ପାଟଣାଗଡ଼, ୧୯/୧୧ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସ୍ଥାନୀୟ ସୁଭଦ୍ରା ଭଵନ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଆନୁକୂଲ୍ୟରେ ବ୍ଳକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ମୋଟ ୧୦୨ ଜଣ ଭିନ୍ନକ୍ଷମଙ୍କୁ ଚି଼ହ୍ନଟ ସହ ପଞ୍ଜିକରଣ କରାଯାଇଛି।
ବିଡ଼ିଓ ସୁମନ୍ତ ମିଞ୍ଜ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ଶିବିରରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟଅତିଥି ଭାବେ ଯୋଗଦେଇ ଉକ୍ତ ଶିବିରକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରଣୀ ପ୍ରଭାମୟୀ ନାୟକ ଯୋଗଦେଇ ଥିବା ବେଳେ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ କମଳାକାନ୍ତ ବାରିକ ମଞ୍ଚ ପରିଚାଳନା କରିଥିଲେ। ମୂଖ୍ୟ ଅତିଥି ସାଂସଦ ବିଶି ଏହି ଶିବିର ଆୟୋଜନର ଆଭିମୁଖ୍ୟ ଓ ଉପାଦେୟତା ସମ୍ଭନ୍ଧରେ ଉପସ୍ଥାପନ କରିବା ସହ ଶିବିରରେ ମୁଖ୍ୟତଃ ବିଭିନ୍ନ ପ୍ରକାର ଭିନ୍ନକ୍ଷମ ବ୍ୟକ୍ତିଙ୍କ ଭତ୍ତା ପାଇଁ, ଯାତାୟାତ ପାଇଁ ବସପାସ , ବର୍ଦ୍ଧିତ ଭତ୍ତା ଯୋଗାଇଦେବା ଏବଂ ବ୍ୟାଙ୍କରୁ ଋଣ ପାଇବା ନେଇ ପ୍ରମାଣ ପତ୍ର ପ୍ରଦାନ ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିଭିନ୍ନ ସୁବିଧା ରହିଛି ବୋଲି ବ୍ୟକ୍ତବ୍ୟ ରଖିଥିଲେ। ଶିବିର ରେ ୪ ଜଣ ହିତାଧିକାରୀଙ୍କୁ ବସପାସ୍ ମୂଖ୍ୟ ଅତିଥି ସାଂସଦ ଶ୍ରୀ ବିଶି ବଣ୍ଟନ କରିଥିଲେ।
ସେହିପରି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଭିନ୍ନକ୍ଷମଙ୍କ ପାଇଁ ଉଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ଓ ଆର୍ଥିକ ସହାୟତା ଭତ୍ତା , ହ୍ୱିଲର ଚେୟାର, ତିନି ଚକିଆ ସାଇକେଲ, ବିବାହ ପ୍ରୋତ୍ସାହନ, ଶ୍ରବଣ ଯନ୍ତ୍ର ଆଦି ଚିହ୍ନଟ କରି ପଞ୍ଜିକୃତ କରାଯାଇଥିଲା । ଏହି ସମ୍ଭନ୍ଧରେ ସୂଚନା ପ୍ରଦାନ କରିବା ସହ ଭିନ୍ନକ୍ଷମଙ୍କ ପାଇଁ ପ୍ରତି ମାସର ୨ ଓ ୧୬ ତାରିଖରେ ବଲାଙ୍ଗୀର ଠାରେ ଭିନ୍ନକ୍ଷମଙ୍କ ପାଇଁ ମେଡିକାଲ ବୋର୍ଡ଼ ବସିଵା ନେଇ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବାରିକ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରିଣୀ ଆଶା ପ୍ରଧାନ, ବ୍ଳକର ସମସ୍ତ ଷ୍ଟାଫ୍, ଅଙ୍ଗନୱାଡ଼ି କର୍ମୀ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।