ବାଙ୍ଗିରିପୋଷି,୧୧/୧୧: ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥକୁ ଅବରୋଧ କରାଯାଇଛି। ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ଏହି ଜାତୀୟ ରାଜପଥ ଅବରୋଧ କରା ଯାଇଛି । ଫଳରେ ଜାତୀୟ ରାଜପଥରେ ଚଳାଚଳ ଠପ୍ ହୋଇ ପଡ଼ିଛି । ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ମୋଟର ଅଟକି ରହିଛି । ଆଦିବାସୀ ସେଙ୍ଗେଲ ଅଭିଯାନର ସଦସ୍ୟମାନେ ଏହି ଅବରୋଧରେ ସାମିଲ୍ ହୋଇ ପୋଲିସ ବିରୋଧରେ ନାରା ଦେବା ସହ ଗୋଟିଏ ଗୋଷ୍ଠୀକୁ ଗିରଫ ଦାବି କରିଛନ୍ତି।
ସୂଚନା ଯୋଗ୍ୟ, ଗତ କିଛିଦିନ ତଳେ ବାଙ୍ଗିରିପୋଷି ବ୍ଲକ୍ ର ଦିଘି ପଞ୍ଚାୟତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ଗାଁ ରେ ତାଙ୍କ ଶବ ସତ୍କାର ପାଇଁ ଗ୍ରାମବାସୀ ବିରୋଧ କରିଥିଲେ । ମୃତକ ଙ୍କ ପରିବାର କୁ ଆଦିବାସୀ ସାମାଜିକ ପ୍ରଥା ଅନୁସାରେ ପଣ ଦେବାପାଇଁ ଗାଁ ରେ କିଛି ଲୋକ ଜିଦ୍ କରିଥିଲେ ଏବଂ ଶବ ପଡିରହିବାର ପ୍ରାୟ ୩୦ ଘଣ୍ଟା ପରେ ପୋଲିସ ହସ୍ତକ୍ଷେପ ଫଳରେ ଶବ ସତ୍କାର କରା ଯାଇଥିଲା। ଆଜି ସେହି ଗାଁ ରେ ପୁଣି ମୃତ ବ୍ୟକ୍ତି ଙ୍କ ଶୁଦ୍ଧିକ୍ରିୟା କାର୍ଯ୍ୟ ଥିବା ବେଳେ ଗାଁ ରେ କିଛି ଲୋକ ମୃତକଙ୍କ ପରିବାରକୁ ପଣ ନ ଦେବା ଯାଏଁ କୈାଣସି କାର୍ଯ୍ୟ ହୋଇ ପାରିବ ନାହଁ ବୋଲି ଅସହଯୋଗ କରିଥିଲେ। ଫଳରେ ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି।