ଭୁବନେଶ୍ୱର (ପ୍ରମେୟ ଡିଜିଟାଲ) ୧୮/୧୧: ଭୁବନେଶ୍ୱର ସାଲିଆସାହିରେ ନାହିଁ ନଥିବା ଉତ୍ତେଜନା । ମଙ୍ଗଳବାର ବିଡିଏ ଓ ବିଏମସି ପକ୍ଷରୁ ରାସ୍ତା ନିର୍ମାଣ ପାଇଁ ଉଚ୍ଛେଦ ଅଭିଯାନ ବେଳେ ପୁଲିସ ଓ ବସ୍ତି ବାସିନ୍ଦା ମୁହାଁମୁହିଁ ହୋଇଛନ୍ତି । ସେପଟେ ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି ଯେ, ଥଇଥାନ ନ କରି ଉଚ୍ଛେଦ କରୁଛନ୍ତି। ଆମକୁ ଘର ଦେଇନାହାନ୍ତି। ବସ୍ତି ବାହାର ଲୋକଙ୍କୁ ସବୁ ଦିଆଯାଇଛି।
ସାଲିଆ ସାହିରେ ବୁଲଡୋଜର ଭାଙ୍ଗିଲା ଘର । ନନ୍ଦନକାନନରୁ ଜୟଦେବ ବିହାରକୁ ଯୋଡିବାକୁ ଏକାମ୍ରକାନନରୁ ସମାନ୍ତରାଳ ବାମପାର୍ଶ୍ବର ରାସ୍ତା କାମ ଅଧାରେ ଅଟକି ରହିଛି। ୨୦୦ ଫୁଟିଆ ଏ ରାସ୍ତାକାମରେ ବସ୍ତି ବାସିନ୍ଦାଙ୍କ ଘର ବାଧକ ସାଜୁଛି । ଏଥିପାଇଁ ସରକାରୀ ଘର ପାଇବା ପରେ ବି ଘର ଛାଡୁନଥିବା ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବାକୁ ବିଡିଏ ବିଏମସିର ଯୁଗ୍ମ ଏନଫାର୍ସମେଣ୍ଟ ଟିମ୍ ପହଞ୍ଚି ବହୁ ଘର ଭାଙ୍ଗିଛି । ବହୁ ଘର ଭଙ୍ଗା ବେଳେ ଲୋକମାନେ ପ୍ରତିବାଦ କରିଥିଲେ । ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ବେଳେ ପୁଲିସ ଓ ପ୍ରଶାସନିକ ଅଧିକାରୀ ଲୋକମାନଙ୍କୁ ବୁଝାସୁଝା କରିଛନ୍ତି।
ବସ୍ତି ଉଚ୍ଛେଦ ଅଭିଯାନକୁ ବିରୋଧ କରି ଲୋକମାନେ ହୋହଲ୍ଲା କରିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ । ଉଚ୍ଛେଦ ଅଭିଯାନ ବେଳେ ଆଇନ ଶୃଙ୍ଖଳାକୁ ଆଖିରେ ରଖି ୫ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି । ଏକାମ୍ରକାନନ ଛକରୁ ହାତିଆସୁଣୀ ପଡ଼ିଆ ମଧ୍ୟରେ ସାଲିଆସାହି ଭିତରେ ବାକି ଥିବା ରାସ୍ତା କାମ ଆଗକୁ ନେବାକୁ ଏ ଉଚ୍ଛେଦ ଚାଲିଛି । ପ୍ରାୟ ୫୧୭ ଘର ଉଚ୍ଛେଦ କରିବାକୁ ବୁଲଡୋଜର ସହ ଏନଫୋର୍ସମେଣ୍ଟ ଟିମ୍, ପୁଲିସ ସହାୟତାରେ କାମ କରୁଛି ।