ଭୁବନେଶ୍ୱର,୨୪/୦୭: ବିଏମ୍‌ସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଇଇ) ଜଗନ୍ନାଥ ପଟ୍ଟନାୟକ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋଟିପତି ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ। ଗତକାଲି ତାଙ୍କ ସରକାରୀ କ୍ୱାର୍ଟର୍ସ,  ରଣପୁରରେ ଥିବା ଫାର୍ମ ହାଉସ୍‌, ରାୟଗଡ଼ାର  ଗୁଣୁପୁରର ଜଙ୍ଗମ ଷ୍ଟ୍ରିଟ୍‌ ସ୍ଥିତ ପୈତୃକ ଘର  ସହ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିଲା। ଏହି ସମୟରେ ୧୦ କୋଟିରୁ ଅଧିକ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ସୂଚନା ଦେଇଛି । ତାଙ୍କୁ ଗିରଫ କରାଯାଇଥିବା ବେଳେ କୋର୍ଟ ଚାଲଣ କରାଯିବ ବୋଲି ସୂଚନା ମିଳିଛି।  ବୁଧବାର  ଭିଜିଲାନ୍ସ ଟିମ ୪ଟି ସ୍ଥାନ‌ରେ ଚଢ଼ାଉ କରିଥିଲା।  ଭୋର ୫ଟାରୁ ଆରମ୍ଭ ହୋଇଥିଲା  ଚଢ଼ଉ ରାତି ୯ଟାରେ ଚାଲିଥିଲା।

ବିଏମ୍‌ସି ଯନ୍ତ୍ରୀଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ  ରହିଛି, ବଡ଼ଗଡ଼ ପ୍ଲଟ୍‌ ନମ୍ବର ଆରପି-୧୨ରେ  ୩ ମହଲା ଘର । ଯାହା ୪୫୬୦ ବର୍ଗଫୁଟ୍‌ରେ  ଠିଆ ହୋଇଛି । ରାୟଗଡ଼ା ଗୁଣୁପୁରରେ ୨ଟି  ଦୁଇ ମହଲା ଘର, ବଡ଼ଗଡ଼ ଓ ଖଣ୍ଡଗିରିରେ ୨ଟି  ପ୍ଳଟ୍‌, ବାଲିଅନ୍ତା ତହସିଲ୍‌ ରଣପୁର ମୌଜାରେ  ରହିଛି ୧.୫୭ ଏକରରେ ଏକ ଫାର୍ମ ହାଉସ୍‌ ।  ଉକ୍ତ ଫାର୍ମ ହାଉସ୍‌ ଭିତରେ ୨ ମହଲା ଘର  ରହିଛି । ଗୋଟିଏ ପୋଖରୀ ବି ଅଛି । ଫାର୍ମ  ହାଉସରେ କଦଳୀ, ପିଜୁଳି, ଡ୍ରାଗନ୍‌ ଫ୍ରୁଟ୍‌,  ଅଙ୍ଗୁର, ଲେମ୍ବୁ, ବ୍ଲାକ୍‌ବେରୀ, ନଡ଼ିଆ ଆମ୍ବ ଓ  ଚନ୍ଦନ ଗଛ ଲଗାଯାଇଛି ।  ଚଢ଼ଉ ସମୟରେ ତାଙ୍କ ବଡ଼ଗଡ଼ ଘରୁ  ଗୋଟିଏ ଦେଶୀ ବନ୍ଧୁକ, ୨ଟି ବାରାସିଂହା ଶିଙ୍ଘ,  ୪୬୦ ଗ୍ରାମ୍‌ ସୁନା ଅଳଙ୍କାର ମିଳିଛି । ତା’ଛଡା  ବ୍ୟାଙ୍କ୍‌, ବୀମା ଓ ମ୍ୟୁଚୁଆଲ୍‌ ଫଣ୍ଡରେ ୮୦ ଲକ୍ଷ  ୩୫ ଟଙ୍କା ନିବେଶ ହୋଇଛି । ତାଙ୍କ ଘରୁ ୨ଟି  ବାଇକ୍‌ ଓ ୧ଟି କାର୍‌ ଠାବ ହୋଇଛି । ୭ ଲକ୍ଷ  ଟଙ୍କାର ଦାମୀ ଗୃହ ଉପକରଣ ରହିଛି । ତାଙ୍କ  ପତ୍ନୀଙ୍କ ନାଁରେ ବ୍ୟାଙ୍କ୍‌ରେ ଲକର ରହିଛି ।  ଚଢ଼ଉରେ ଭିଜିଲାନ୍ସର ୬ ଜଣ  ଡିଏସ୍‌ପି, ୧୦ ଇନସ୍ପେକ୍ଟର ଓ ଅନ୍ୟ ୪ କର୍ମଚାରୀ ସାମିଲ ହୋଇଥିଲେ । ବନ୍ୟଜନ୍ତୁଙ୍କ ଶିଙ୍ଗ ଓ  ବେଆଇନ୍‌ ବନ୍ଧୁକ ତାଙ୍କ ପାଇଁ ଅଧିକ ଅଡୁଆ ସୃଷ୍ଟି  କରିଛି । 

ଜଗନ୍ନାଥ ୧୯୯୨ ନଭେମ୍ବରରେ ରାୟଗଡ଼ା  ଗୁଣୁପୁର ଏନ୍‌ଏସିରେ କନିଷ୍ଠ ଯନ୍ତ୍ରୀ (ଜେଇ) ଭାବେ  ଚାକିରି ଜୀବନ ଆରମ୍ଭ କରିଥିଲେ । ୨୦୧୧ରେ ତାଙ୍କର  ସହକାରୀ ଯନ୍ତ୍ରୀ (ଏଇ) ଭାବେ ପଦନ୍ନୋତି ହେଲା ପରେ  ବ୍ରହ୍ମପୁର ମ୍ୟୁନିସିପାଲିଟିରେ କାର୍ଯ୍ୟ ଆରମ୍ଭ କରିଥିଲେ । ୨୦୧୬ରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ରେ ଏଇ ଭାବେ ତାଙ୍କର ବଦଳି ହୋଇଥିଲା । ୨୦୨୪ରେ  ଶ୍ରୀ ପଟ୍ଟନାୟକଙ୍କର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ(ଏକଜିକ୍ୟୁଟିଭ୍‌  ଇଞ୍ଜିନିୟର) ଭାବେ ପଦନ୍ନୋତି ହୋଇଥିଲା ।