ଭୁବନେଶ୍ୱର,୧୪/୦୧: ବୁଲା କୁକୁରଙ୍କ ଉତ୍ପାତ ମାମଲାରେ ନେଇ ସୁପ୍ରିମକୋର୍ଟ ଆଜି କ’ଣ ନିର୍ଦ୍ଦେଶ ଦେଇଛନ୍ତି? ଆମେ ତ ଜାଣିନୁ । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ କପି ଆସୁ, ଦେଖିବା । ତା’ପରେ ବୁଲା କୁକୁରଙ୍କୁ ନେଇ କ’ଣ କରିବା କଥା, କରାଯିବ । ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ବରିଷ୍ଠ ଅଧିକାରୀ ଅତି ହାଲୁକା ଭାବେ ଏକଥା କହିଛନ୍ତି । ବୁଲା କୁକୁରଙ୍କ ଦୌରାତ୍ମ୍ୟ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ଅତ୍ୟନ୍ତ କଡ଼ା ଟିପ୍ପଣୀ ଓ ନିର୍ଦ୍ଦେଶନାମା ଦେଇଛନ୍ତି । ହେଲେ ଏତେ ବଡ଼ ଖବର ବିଏମସି ପାଖରେ ନାହିଁ ।
ଆଜିର ଘଟଣା ବିଷୟରେ ସିନା ଜାଣିପାରିନାହାନ୍ତି, ମାତ୍ର ୨ ମାସ ପୂର୍ବରୁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ବି ଏଯାଏ ପାଳନ କରିନାହିଁ ବିଏମ୍ସି । ଭୁବନେଶ୍ୱରରେ ଯୁଆଡ଼େ ଯିବ, ମାଳମାଳ ବୁଲା କୁକୁର । ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ବସଷ୍ଟାଣ୍ଡ ଓ ରେଳ ଷ୍ଟେସନରୁ ବୁଲା କୁକୁର ହଟାଇବାକୁ ସୁପ୍ରିମକୋର୍ଟ ଗତ ନଭେମ୍ବରରେ ନିର୍ଦ୍ଦେଶ ଦେଇଥିଲେ । ଏହାକୁ କଡ଼ାକଡ଼ି ଲାଗୁ କରିବାକୁ ସେତେବେଳେ ଦମ୍ଭୋକ୍ତି ଦେଖାଇଥିଲା ବିଏମ୍ସି । କିନ୍ତୁ, ଏବେ ବି କ୍ୟାପିଟାଲ ହସ୍ପିଟାଲ ରୋଗୀ ପଞ୍ଜିକରଣ କେନ୍ଦ୍ରରେ ଦିନରାତି କୁକୁର ପଲ ଶୋଉଛନ୍ତି । ଟିକେ ଅନ୍ୟମନସ୍କ ହେଲେ କୁକୁର କାମୁଡିବା ଥୟ । ହସ୍ପିଟାଲର ଏମ୍ସିଏଚ୍ ବିଲ୍ଡିଂ ପାଖରେ ବି ମାଳମାଳ କୁକୁର । ଶିଶୁ ଓ ମହିଳାଙ୍କୁ କାମୁଡିବାକୁ ଗୋଡ଼ାଇ ଆସୁଛନ୍ତି । ବରମୁଣ୍ଡା ବସ୍ ଟର୍ମିନାଲରେ ମଧ୍ୟ କୁକୁର ହାଉଯାଉ । ଭୁବନେଶ୍ୱର ରେଳ ଷ୍ଟେସନ ପ୍ଲାଟଫର୍ମରେ ଏମିତି ବୁଲା କୁକୁର ବୁଲୁଛନ୍ତି ।
ହସ୍ପିଟାଲ, ସ୍କୁଲ, ବସ୍ଷ୍ଟାଣ୍ଡ, ସବୁଠି ଏଭଳି ସ୍ଥିତି । ବିଏମସି ଗତବର୍ଷ ସେପ୍ଟେମ୍ବରରେ ଭୁବନେଶ୍ୱରରେ ବୁଲା କୁକୁର ଗଣନା କରିଥିଲା । ମୋଟ ସଂଖ୍ୟା ଥିଲା ୪୭ ହଜାର । ଇତିମଧ୍ୟରେ କୁକୁର ପ୍ରଜନନ ଋତୁ ଆସି ପହଞ୍ଚିଛି । ଏ ସଂଖ୍ୟା ଢେର ବଢ଼ିଯାଇଛି । ଏବେ ପ୍ରାୟ ୫୦ ହଜାରରୁ ଅଧିକ ବୁଲା କୁକୁର ରାଜଧାନୀରେ ରାଜ୍ କରୁଛନ୍ତି । କଲୋନି, ବସ୍ତି, ମାର୍କେଟ ଯୁଆଡ଼େ ଯିବେ, କୁକୁର ପଲ ଦେଖିବେ । କୁକୁର ଛୁଆ କେତେବେଳେ ଗାଡ଼ି ତଳେ ପଶି ମରୁଛନ୍ତି, ଆଉ କେବେ କୁକୁର ହିଂସ୍ର ହୋଇ ମଣିଷକୁ ଆକ୍ରମଣ କରୁଛନ୍ତି । ଗାଡ଼ି ଚାଳକଙ୍କୁ ଏମିତି ଗୋଡ଼ାଉଛନ୍ତି, ଲୋକେ ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି । କ୍ୟାପିଟାଲ ହସ୍ପିଟାଲରୁ ମିଳିଥିବା ତଥ୍ୟ ମୁତାବକ ଗତ ୪ ମାସରେ ୪୨୦୦ରୁ ଅଧିକ କୁକୁର କାମୁଡ଼ା ରୋଗୀ ଆସିଛନ୍ତି ।
ପ୍ରତିଦିନ ପ୍ରାୟ ୯ ଜଣ କୁକୁର କାମୁଡ଼ା ରୋଗୀ କ୍ୟାପିଟାଲ ହସ୍ପିଟାଲକୁ ଆସୁଛନ୍ତି । କ୍ୟାପିଟାଲ ହସ୍ପିଟାଲ ଡାକ୍ତର ରଞ୍ଜନ ଦାସ କହିଛନ୍ତି, ଜାନୁଆରୀ ମାସ ହେଉଛି କୁକୁରଙ୍କ ପ୍ରଜନନ ସମୟ । ଏହି ସମୟରେ କୁକୁରମାନେ ଅଧିକ ହିଂସ୍ର । ତେଣୁ କୁକୁର କାମୁଡ଼ା ସଂଖ୍ୟା ବୃଦ୍ଧି ପାଇଛି । ବିଏମସି ଡେପୁଟି କମିଶନର ଅଶୋକ ଦାସ କହିଛନ୍ତି, ବିଭିନ୍ନ ଅନୁଷ୍ଠାନ, ହସ୍ପିଟାଲ, ଷ୍ଟେସନ, ବସଷ୍ଟାଣ୍ଡରୁ ନିୟମିତ କୁକୁର ହଟାଯାଉଛି । ବାକି ସ୍ଥାନରେ କୁକୁରଙ୍କୁ ଉଠାଇ ବନ୍ଧ୍ୟାକରଣ କରି ପୁଣି ସେଇ ଅଞ୍ଚଳରେ ଛଡ଼ାଯାଉଛି । ବିଏମସି କର୍ତ୍ତୃପକ୍ଷଙ୍କ କଥା ଓ କାମ ଭିତରେ ଆକାଶ ପାତାଳ ଫରକ । ସହରରେ ବୁଲା କୁକୁର ରାତିଦିନ ଉତ୍ପାତ କରୁଛନ୍ତି । ସ୍କୁଲ ପିଲା ରାସ୍ତାରେ ଯା’ଆସ କରିବା ବିପଜ୍ଜନକ ହୋଇପଡ଼ିଛି । ଅନେକ ସମୟରେ ବୁଲା କୁକୁର ଅଚାନକ ଏଭଳି ଆକ୍ରମଣ କରି ମାଡ଼ି ଆସୁଛନ୍ତି, ଲୋକେ ପଡ଼ି ଆହତ ହେଉଛନ୍ତି । ତଥାପି ବିଏମସି ବେପରୁଆ ।
ବିଏମସିର କୁକୁର ବନ୍ଧ୍ୟାକରଣ ରେକର୍ଡରେ ଏଯାବତ୍ ୭୪୦୩ ଅସ୍ତ୍ରୋପଚାର ରହିଛି । ମାତ୍ର ଏ ଅସ୍ତ୍ରୋପଚାର କେତେ ସତ, କେତେ ମିଛ, ତାହା ବିଏମ୍ସି ହିଁ ଜାଣିଥିବ । କାରଣ ବୁଲା କୁକୁର ବଂଶ ହୁ ହୁ ହୋଇ ବଢ଼ି ଚାଲିଛି । ଯେଉଁ ଗଳିରୁ ଗତ ବର୍ଷକ ଭିତରେ ବୁଲା କୁକୁରଙ୍କୁ ଉଠାଇ ବନ୍ଧ୍ୟାକରଣ ପାଇଁ ନିଆଯାଇଥିଲା, ସେଇ ଅଞ୍ଚଳରେ ଏବେ ପଲପଲ କୁକୁର ଛୁଆ ବୁଲୁଛନ୍ତି । ଆଜି ସୁପ୍ରିମକୋର୍ଟ କଡ଼ା ଶବ୍ଦରେ ତାଗିଦ କରିଛନ୍ତି ଯେ ଯେଉଁମାନେ ବୁଲା କୁକୁରଙ୍କୁ ରାସ୍ତାରେ ଖାଇବାକୁ ଦେଉଛନ୍ତି, ସେମାନେ କୁକୁରଙ୍କୁ ନିଜ ଘରକୁ ନେଇ ରଖନ୍ତୁ । ଏଭଳି ଲୋକଙ୍କୁ ବିଏମି ଚିହ୍ନଟ କରି କିଛି କାର୍ଯ୍ୟାନୁଷ୍ଠାନ ନେବ କି? ବୁଲା କୁକୁର କାମୁଡ଼ା ଓ ଆକ୍ରମଣର ଆହତମାନଙ୍କୁ ପ୍ରଶାସନ କ୍ଷତିପୂରଣ ସହାୟତା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ବିଏମସି କେତେ ଦୂର ପାଳନ କରୁଛି, ତାହା ଦେଖିବାର କଥା ।