ଭୁବନେଶ୍ୱର/ଚନ୍ଦ୍ରଶେଖରପୁର, ୧୭/୦୩: ବେଆଇନ ଗ୍ୟାସ୍ ବିକ୍ରି ଉପରେ ଜୋରଦାର ଚଢାଉ କରିଛି ବିଏମ୍ସି ଯୋଗାଣ ବିଭାଗ । କଳାବଜାରୀ କରୁଥିବା ଦୋକାନରୁ ବେଆଇନ ସିଲିଣ୍ଡର ଜବତ ହୋଇଛି । ଏହା ସହ ମାଜିଷ୍ଟ୍ରେଟ୍ ଏବଂ ପୁଲିସ ଉପସ୍ଥିତିରେ ଦୁଇଟି ଦୋକାନକୁ ସିଲ କରାଯାଇଛି । ଏହି ସବୁ ଦୋକାନ କେଉଁଠୁ ସିଲିଣ୍ଡର ଆଣି ବିକ୍ରି କରୁଥିଲେ ତାର ଖୋଳତାଡ ଆରମ୍ଭ କରିଛି ଯୋଗାଣ ବିଭାଗ । ସେପଟେ ଦୁଇ ଦୋକାନୀ ଫେରାରା ହୋଇଥିବା ବେଳେ ସେମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି ।
ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବିଏମ୍ସି ଅତିରିକ୍ତ ଖାଦ୍ୟ ଯୋଗାଣ ଅଧିକାରୀ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ । ପ୍ରଥମେ ସାମନ୍ତରାପୁରରେ ଥିବା ଏକ ଘରୋଇ ଗ୍ୟାସ୍ ଏଜେନ୍ସି ଉପରେ ଚଢଉ କରାଯାଇଥିଲା । ଏହାର ଷ୍ଟକ ଯାଞ୍ଚ କରିଥିଲା ଯୋଗାଣ ବିଭାଗ । ଏହା ସହ ଲୁଇସ୍ ରୋଡ୍ରେ ଥିବା ଏକ ଗ୍ୟାସ୍ ଏଜେନ୍ସି ଉପରେ ମଧ୍ୟ ଚଢଉ କରାଯାଇଥିଲା ।
ଚନ୍ଦ୍ରଶେଖରପୁର ବିଡିଏ କଲୋନୀ ଓ ନୀଳାଦ୍ରି ବିହାରରେ ଯୋଗାଣ ବିଭାଗ ତରଫରୁ ଅତର୍କିତ ଚଢ଼ଉ କରାଯାଇ ଗ୍ୟାସ ସିଲିଣ୍ଡର ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଦୁଇଟି ଦୋକାନକୁ ସିଲ୍ କରାଯାଇଛି । ବିଶେଷ ସୂଚନା ଆଧାରରେ ସିଏସଓ ଡ଼ ଜ୍ଞାନେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଏକ ୬ ଜଣିଆ ଟିମ୍ ଚନ୍ଦ୍ରଶେଖରପୁର ପୁଲିସ ସହାୟତାରେ ପ୍ରଥମେ ବିଡିଏ କଲୋନୀ ସ୍ଥିତ ଏକ ଗ୍ୟାସ୍ ଗୋଦାମରେ ଚଢ଼ାଉ କରିଥିଲେ । ଦୋକାନ ବନ୍ଦ ଥିବାରୁ ମାଜିଷ୍ଟ୍ରେଟ୍ ଏବଂ କମିଶନରେଟ୍ ପୁଲିସ ସହାୟତାରେ ଦୋକାନ ଭଙ୍ଗାଯାଇଥିଲା । ସେଠାରୁ ବେଆଇନ ଭାବେ ଗଚ୍ଛିତ ଥିବା ୪୯ଟି ଗ୍ୟାସ୍ ସିଲିଣ୍ଡର ଜବତ କରିଥିଲେ । ସେଥିରେ ୨୯ଟି କମର୍ସିଆଲ ସିଲିଣ୍ଡର ଓ ୨୦ଟି ଡୋମେଷ୍ଟିକ ସିଲିଣ୍ଡର ରହିଥିଲା । ଏହାକୁ ଜବତ କରି ଏକ ଏଜେନ୍ସିକୁ ଜିମା ଦେଇ ଗୋଦାମ ଘରକୁ ସିଲ୍ କରାଯାଇଥିଲା । ସେହିପରି ନୀଳାଦ୍ରି ବିହାର ସେକ୍ଟର ୩ ଅଞ୍ଚଳରେ ଥିବା ଏକ ଗ୍ୟାସ୍ ଦୋକାନରେ ଚଢ଼ାଉ କରାଯାଇଥିଲା । ସେଠାରୁ ୪୫ଟି ସିଲିଣ୍ଡର ଜବତ କରାଯିବା ସହିତ ଗ୍ୟାସ୍ ଭରିବା ପାଇଁ ବ୍ୟବହୃତ ହେଉଥିବା ମଟର ଓ ଗ୍ୟାସ୍ ଚୁଲା ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇ ଦୋକାନ ଘରକୁ ସିଲ୍ କରାଯାଇଥିଲା । ଗିରଫ ଭୟରେ ଉଭୟ ମାଲିକ ଫେରାର ହୋଇଯାଇଛି।
ଅଧିକ ପଢ଼ନ୍ତୁ : - କଟକ ବଡ଼ ଡାକ୍ତରଖାନା ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, ୧୨କୁ ବଢ଼ିଲା ମୃତ୍ୟୁସଂଖ୍ୟା, ତଦନ୍ତ ଟିମ୍ ଗଠନ