କଟକ,୧୭/୦୩: ପୂର୍ବ ଭାରତର ଅନ୍ୟତମ ବୃହତ ସରକାରୀ ହସ୍ପିଟାଲ୍ ଏସ୍‌ସିବି ମେଡିକାଲ୍‌ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ରବିବାର ବିଳମ୍ବିତ ରାତିରେ ଏସ୍ସିବି ଟ୍ରମା ଆଇସିୟୁରେ ନିଆଁ ଲାଗି ୧୨ ଜଣ ରୋଗୀଙ୍କର ଶୋଚନୀୟ ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଅଘଟଣ ପରେ ଟ୍ରମା ଆଇସିୟୁରୁ ସ୍ଥାନାନ୍ତରିତ ୪ ଗୁରୁତରଙ୍କୁ ପ୍ରଥମେ ନ୍ୟୁ ମେଡିସିନ୍ ଆଇସିୟୁରେ ଚିକିତ୍ସା କରାଯିବା ପରେ ବିଳମ୍ବିତ ସନ୍ଧ୍ୟାରେ ୩ ଜଣଙ୍କୁ ନ୍ୟୁରୋ ସର୍ଜରୀ ଆଇସିୟୁ ଓ ଅନ୍ୟ ଜଣଙ୍କୁ ଅର୍ଥୋପେଡିକ୍ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି । ସେମାନଙ୍କ ଚିକିତ୍ସା ପାଇଁ ଏସ୍‌ସିବି କର୍ତ୍ତୃପକ୍ଷ ସ୍ୱତନ୍ତ୍ର ମେଡିକାଲ୍ ଟିମ୍ ଗଠନ କରିଛନ୍ତି ଓ ବିଭିନ୍ନ ବିଭାଗର ବିଶେଷଜ୍ଞ ମିଳିତ ଭାବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛନ୍ତି ।

ଆଇସିୟୁ ବାଦ୍ ୬ ମହଲା ବିଶିଷ୍ଟ ଏହି ବିଲ୍ଡିଂର ତଳ ମହଲା, ଦ୍ୱିତୀୟ ମହଲା ଓ ତୃତୀୟ ମହଲାରେ ପ୍ରାୟ ଶହେ ଦୁର୍ଘଟଣାଗ୍ରସ୍ତ ଚିକିତ୍ସିତ ହେଉଥିଲେ । ସମସ୍ତଙ୍କୁ ବହୁ କଷ୍ଟରେ ଉଦ୍ଧାର କରାଯାଇ ବାହାରକୁ ନିଆଯାଇଥିଲା । ନିଆଁ ଧାସ ଓ ଧୂଆଁ ଭିତରେ ଏହି ଗୁରୁତର ରୋଗୀମାନେ ପ୍ରାୟ ଘଣ୍ଟାଏ କାଳ କଲବଲ ହୋଇଥିଲେ । ତେବେ ଚତୁର୍ଥ ମହଲା ଲିଭର୍ ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ହୋଇଥିବାରୁ ଏହା ଖାଲି ଥିଲା । ଅନ୍ୟପକ୍ଷରେ ପଞ୍ଚମ ମହଲାରେ ଥିବା ସେଣ୍ଟ୍ରାଲ୍ ଆଇସିୟୁ ପର୍ଯ୍ୟନ୍ତ ଧୂଆଁ ଯାଇନଥିବାରୁ ସେଠାରେ ଚିକିତ୍ସାଧୀନ ରୋଗୀଙ୍କୁ ସ୍ଥାନାନ୍ତର କରିବା ଆବଶ୍ୟକ ପଡ଼ିନଥିଲା । ସଟ୍ର୍ ସର୍କିଟ୍ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଭାବେ କୁହାଯାଉଛି । କଟକ ବଡ଼ ଡାକ୍ତରଖାନାରେ ଏଭଳି ବଡ଼ ଅଘଟଣ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ମିଳିଥିବା ବିବରଣୀ ମୁତାବକ, ରବିବାର ବିଳମ୍ବିତ ରାତି ପ୍ରାୟ ୩ଟା ବେଳକୁ ଏସ୍ସିବି ଟ୍ରମା ଆଇସିୟୁରେ ନିଆଁ ଲାଗିଥିଲା । ଦେଖୁଦେଖୁ ନିଆଁ ସାରା ଆଇସିୟୁରେ ଖେଳିଯାଇଥିଲା । ସେଠାରେ ୧୫ଜଣ ରୋଗୀ ଚିକିତ୍ସିତ ହେଉଥିଲେ । ସମସ୍ତଙ୍କ ଦେହରେ ଭେଣ୍ଟିଲେଟର୍, ଅକ୍ସିଜେନ୍, ସାଲାଇନ୍ ଆଦି ଲାଗିଥିଲା । ସେମାନେ ନିଜେ ଉଠିବା ସ୍ଥିତିରେ ନଥିଲେ । ନିଆଁ ଓ ଧୂଆଁ ଏତେ ଅଧିକ ଥିଲା ଯେ ଆଇସିୟୁ ଭିତରକୁ କେହି ପଶିବା ବି କଷ୍ଟକର ହୋଇଯାଇଥିଲା । ଫଳରେ ଆଇସିୟୁ ଭିତରେ ହିଁ ୭ଜଣଙ୍କ ଜୀବନ ଚାଲିଯାଇଥିଲା । ନିଆଁ ଲିଭାଯିବା ପରେ ଏସ୍‌ସିବିର ନ୍ୟୁ ମେଡିସିନ୍ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିବା ରୋଗୀଙ୍କ ଭିତରୁ ୫ଜଣ ସେଠାରେ ଆଖି ବୁଜିଥିଲେ ।

ମୃତକମାନେ ହେଲେ, କଟକ ଜିଲ୍ଲା ଚୌଦ୍ୱାର ଜେନିପୁରର ରମେଶ ଚନ୍ଦ୍ର ପରିଡ଼ା (୪୫), ବାଲେଶ୍ୱର ଜିଲ୍ଲା ରୁପ୍ସା ଅଞ୍ଚଳର ମଧୁସୂଦନ ଦଳାଇ (୫୬), ଯାଜପୁର ଧର୍ମଶାଳା ଥାନା ବଡ଼ମଙ୍ଗଳପୁର ଅଞ୍ଚଳର କୃଷ୍ଣଚନ୍ଦ୍ର ବିଶ୍ୱାଳ (୭୫), କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା ଅନ୍ତର୍ଗତ ନାରାୟଣପୁରର ରବିନ୍ଦ୍ର ଦାସ (୩୦), ଅନୁଗୁଳ ଜିଲ୍ଲାର ଚେରୁ ପରିଡ଼ା (୧୦୦), କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅନ୍ତର୍ଗତ ସରାମୁହିଁ ଗ୍ରାମର ମେନକା ରାଉତ (୭୦), ପଶ୍ଚିମବଙ୍ଗ ଝାଡ଼ଗ୍ରାମ ଅଞ୍ଚଳର ସେକ୍ ଅବଦୁଲ୍ ସତ୍ତାର୍ (୮୦), କଟକ ଜିଲ୍ଲା ମାହାଙ୍ଗା ପାଇକରାପୁରର ଗୌରାଙ୍ଗ ଚନ୍ଦ୍ର ବାରିକ (୪୦), ଭୁବନେଶ୍ୱର ଡୁମଡୁମା ଅଞ୍ଚଳର ଏମ୍ଡି ନୟୁମ୍ (୩୫), କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା କାଶୀପାଲାର ଦସରୁ ମୁଣ୍ଡା (୬୫), କୋରାପୁଟର ପବିତ୍ର ତିସାରି ଓ ଭଦ୍ରକ ଜିଲ୍ଲା ସାବରଂଗ ଥାନା ଅଞ୍ଚଳର କଲ୍ୟାଣୀ ମଲିକ (୧୧) ।

ଅଗ୍ନିକାଣ୍ଡ ସଂପର୍କରେ ସୂଚନା ପାଇ ପ୍ରଥମେ ଏସ୍ସିବି ଅଗ୍ନିଶମ ଟିମ୍ ଓ ପରେ ବକ୍ସିବଜାର ଅଗ୍ନିଶମ କର୍ମଚାରୀ ଆସି ଘଣ୍ଟାଏ କସରତ କରି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲିଭିବା ପରେ ଆଇସିୟୁ ଭିତରର ଦୃଶ୍ୟ ଅତି ହୃଦୟବିଦାରକ ଓ ଛାତି ଥରାଇଦେବା ଭଳି ଥିଲା । ବୀଭତ୍ସ ଭାବେ ପୋଡ଼ି ହୋଇ ୭ ଜଣଙ୍କର ମୃତ୍ୟୁ ହୋଇସାରିଥିଲା । ଆଇସିୟୁର ମୁଖ୍ୟ ଭାଗ ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ଓ ଧ୍ୱସ୍ତ ହୋଇସାରିଥିଲା । ଅନ୍ୟପକ୍ଷରେ ଆଇସିୟୁ ବାଦ୍ ଏହି ବିଲ୍ଡିଂର ବିଭିନ୍ନ ମହଲାରେ ଚିକିତ୍ସିତ ହେଉଥିବା ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରି ବାହାରକୁ ଆଣିବାରେ ସେମାନଙ୍କ ସଂପର୍କୀୟ, ସିକ୍ୟୁରିଟି ଗାର୍ଡ, ମେଡିକାଲ୍ କର୍ମଚାରୀ, ଅଗ୍ନିଶମ କର୍ମଚାରୀ ନାକେଦମ୍ ହୋଇଥିଲେ । ବହୁ କଷ୍ଟରେ ଏହି ଚିକିତ୍ସାଧୀନମାନଙ୍କୁ ପଦାକୁ ଅଣାଯାଇଥିଲା । ଏହି ଟଣାଓଟରା ଭିତରେ ଚିକିତ୍ସାଧୀନ ଅନେକ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କ ଅବସ୍ଥା ମଧ୍ୟ ଶୋଚନୀୟ ହୋଇଯାଇଛି ।

ଏ ଦୁଃଖଦ ଅଘଟଣର କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏସ୍ସିବିରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଚିକିତ୍ସାଧୀନ ଗୁରୁତରଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ଆଜି ଏ ଅଘଟଣର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କେଉଁ ପରିସ୍ଥିତିରେ ଅଘଟଣ ଘଟିଲା, ଏଥିପାଇଁ କିଏ ଦାୟୀ ସବୁକିଛି ତଦନ୍ତ ପରିସରଭୁକ୍ତ ହେବ । ତଦନ୍ତ ରିପୋର୍ଟ ଆଧାରରେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । ଏହା ସହ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ସ୍ୱାସ୍ଥ୍ୟ ସଚିବ ଆଶ୍ୱସ୍ତି ଏସ୍, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଏସ୍ସିବି ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି । ମୃତକଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇବା ସହ ଆହତମାନଙ୍କ ଅବସ୍ଥା ପଚାରି ବୁଝି ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି ।

ଅଧିକ ପଢ଼ନ୍ତୁ :-  SCB ଅଗ୍ନିକାଣ୍ଡରେ ଚାଲିଗଲେ କୃଷ୍ଣ ଚନ୍ଦ୍ର, ଆଜି ICU ରୁ ଡିସଚାର୍ଜ କରିଥାନ୍ତେ ଡାକ୍ତର...

ଏସ୍‌ସିବିର ଏଭଳି ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ ହୋଇଛନ୍ତି । ସ୍ଥାନାନ୍ତର ପ୍ରକ୍ରିୟା ଏବଂ ଚିକିତ୍ସା ସେବା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ । ଉଚ୍ଚସ୍ତରୀୟ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯିବା ବାବଦରେ ମଧ୍ୟ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ୍ କରି ଏସ୍‌ସିବି ଟ୍ରାଜେଡିର ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ଗୁରୁତର ବ୍ୟକ୍ତିଙ୍କୁ ୫୦ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ଉଲ୍ଲେଖ କରିଛନ୍ତି, "ଓଡ଼ିଶାର କଟକର ହସ୍ପିଟାଲରେ ଘଟିଥିବା ଦୁର୍ଘଟଣା ଗଭୀର ଯନ୍ତ୍ରଣାଦାୟକ । ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା । ଆହତମାନଙ୍କ ଆଶୁ ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି ।’