ଭୁବନେଶ୍ୱର,୧୫/୦୯:  ବିଏମ୍‌ସିର ଶ୍ରମିକ ମାରଣ ନୀତି  ବିରୋଧରେ ରାଜଧାନୀର ସଫେଇ ମଜଦୁର ସଂଘ ଆନ୍ଦୋଳନ  ଡାକରା ଦିଆଯାଇଛି । ଦରମା  ବୃଦ୍ଧି ଓ ବୋନସ ଦାବିରେ ଆସନ୍ତା ମଙ୍ଗଳବାରଠୁ ଅନର୍ଦ୍ଧିଷ୍ଟ କାଳ ଯାଏ  ଝାଡୁ଼ ବନ୍ଦ ଆନ୍ଦୋଳନ ଚାଲିବ ।

ଧାରଣାରେ ବସିବେ ସଫେଇ  କର୍ମଚାରୀ । ପ୍ରାୟ ୫ ହଜାର ସଫେଇ କର୍ମଚାରୀ ଏହି ନିଷ୍ପତ୍ତି  ନେଇଛନ୍ତି । ସଂଘ ପକ୍ଷରୁ ଚାରି  ଦଫା ଦାବି ରହିଛି । ମୃତ୍ୟୁ ପରେ  ଅନୁଦାନ, ଇପିଏଫ୍‌, ଇଏସ୍‌ଆଇ  ଓ ଦରମା ବୃଦ୍ଧି ସାଙ୍ଗକୁ ସଫେଇ  କର୍ମଚାରୀଙ୍କୁ ବୋନସ ଦେବାକୁ  ଦାବି କରାଯାଇଛି । ଏଥିରେ  ଜାଗୃତି, ଗ୍ରୀନ ସର୍କଲ, ପିଏଚଆର୍‌,  ପିଏମଆର, ଆୱାର ଲ୍ୟାଣ୍ଡ,  ହର୍ସବର୍ଦ୍ଧନ, ଲାୟନ୍ସ, ପ୍ରତ୍ୟୁଷ ଓ  ସୁଲଭ ଏଜେନ୍ସି ଅଧୀନରେ କାର୍ଯ୍ୟ  କରୁଥିବା ସଫେଇ କର୍ମଚାରୀ ଏହି  ଆନ୍ଦୋଳନରେ ସାମିଲ ହେବେ ।

 ସୂଚନାଯୋଗ୍ୟ, ଗତବର୍ଷ ପ୍ରଥମ  ଥର ପାଇଁ ବିଏମ୍‌ସି ପକ୍ଷରୁ  ବୋନସ ମିଳିଥିଲା । କିନ୍ତୁ ଚଳିତ  ବର୍ଷ ବୋନସ ନ ଦେବାକୁ ବିଏମ୍‌ସି  କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତ ।  ଗୋଟିଏ ପଟେ ସାମାଜିକ ସୁରକ୍ଷା  ମିଳୁନଥିବା ବେଳେ ବିଏମ୍‌ସିର  ଏଭଳି ଶ୍ରମିକ ମାରଣ ନୀତି  ବିରୋଧରେ ଆସନ୍ତାକାଲି ସଫେଇ  କାମ ସାରି ଧାରଣାରେ ବସିବାକୁ  ସଂଘ ନିଷ୍ପତ୍ତି ନେଇଛି ।