ଢାକା, ୨୫/୧୨ : ସରିଲା ୧୭ ବର୍ଷର ନିର୍ବାସନ। ବାଂଲାଦେଶ ଫେରିଲେ ଡାର୍କ ପ୍ରିନ୍ସ। ପୂର୍ବତନ ପ୍ରଧାନମନ୍ତ୍ରୀ ଖଲିଦା ଜିଆଙ୍କ ପୁଅ ତଥା BNP କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିକ ରହମାନଙ୍କ ଘର ଲେଉଟାଣି। ତାରିକଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ହଜରତ ଶାହଜଲାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରବଳ ଭିଡ଼ ଜମିଛି। ତାଙ୍କୁ ପାଛୋଟି ଆଣିବାକୁ ବିପୁଳ ସଂଖ୍ୟାରେ ସମର୍ଥକ ବିମାନ ବନ୍ଦର ବାହାରେ ଉପସ୍ଥିତ ଅଛନ୍ତି। ଭିଡ଼କୁ ଦୃଷ୍ଟିରେ ରଖି ବିମାନବନ୍ଦରର VVIP ଟର୍ମିନାଲର ମୁଖ୍ୟ ଫାଟକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେନା, BGB, ବାୟୁସେନା, ପୁଲିସ ଏବଂ RABର କର୍ମଚାରୀମାନେ ନିୟୋଜିତ ଅଛନ୍ତି। ୨୦୨୬ ଫେବୃଆରୀ ନିର୍ବାଚନ ପୂର୍ବରୁ ତାଙ୍କ ପ୍ରତ୍ୟାବର୍ତ୍ତନ ଦଳକୁ ବଳ ଦେବ। ସମୀକରଣ ବଦଳିବ। ବିଶେଷ କରି ଭାରତର ସୁରକ୍ଷା ଏବଂ କୂଟନୈତିକ ସମ୍ପର୍କରେ ତାରିକଙ୍କ ପ୍ରତ୍ୟାବର୍ତ୍ତନ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ। 

ଭାରତ ପାଇଁ କାହିଁକି ଖୁସି ଖବର ?

ଐତିହାସିକ ମତଭେଦ ସତ୍ତ୍ଵେ ବର୍ତ୍ତମାନ ସ୍ଥିତିରେ ଭାରତ ଜମାତ-ଏ-ଇସଲାମୀ ଅପେକ୍ଷା ବିଏନପିକୁ ଅପେକ୍ଷାକୃତ ଅଧିକ ଉଦାରବାଦୀ ପାର୍ଟି ବୋଲି ମନେ କରୁଛି। ଲୋକତାନ୍ତ୍ରିକ ବିକଳ୍ପ ରୂପରେ ଦେଖୁଛି। ସେପଟେ ତାରିକଙ୍କ ପ୍ରତ୍ୟାବର୍ତ୍ତନ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଭିତରେ ଜୋସ୍ ଭରିଦେବ ଏବଂ ଆଗାମୀ ନିର୍ବାଚନରେ ବିଏନପି ସରକାର ଗଢିବ ବୋଲି ଭାରତ ଆଶାବାଦୀ ଅଛି। ଶେଖ ହସିନାଙ୍କ ସମୟରେ ଭାରତ-ବାଂଲାଦେଶ ସମ୍ପର୍କରେ ସୁଧାର ଆସିଥିଲା। ଚୀନ ଓ ପାକିସ୍ତାନ ସହ ବାଂଲାଦେଶ ସନ୍ତୁଳିତ ଦୂରତା ରକ୍ଷା କରୁଥିଲା। ହେଲେ ହସିନା ବିତାଡ଼ିତ ହେବା ପରେ ଏହି ସମୀକରଣ ବଦଳିଥିଲା। ପାକିସ୍ତାନ ସହ ୟୁନୁସ ସମ୍ପର୍କ ବଢାଇଥିଲେ ଓ ଭାରତ ସହ ସମ୍ପର୍କ ବିଗିଡ଼ିଥିଲା। ଏପରି ସ୍ଥିତିରେ ବିଏନପି ସରକାରକୁ ଆସିଲେ ବାଂଲାଦେଶ ତାର ବୈଦେଶିକ ନୀତିରେ ସୁଧାର ଆଣିବ ବୋଲି ଅନୁମାନ କରାଯାଉଛି। ସେହିପରି ତାରିକ ରହମାନ ୟୁନୁସ ସରକାରଙ୍କ ଦୀର୍ଘକାଳୀନ ବୈଦେଶିକ ନୀତି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ। ସେ ଜମାତ-ଏ-ଇସଲାମୀ ସହ ମେଣ୍ଟ କରିବାକୁ ମନା କରିଦେଇଥିଲେ। 

ଏହି ଖବରଟିକୁ ପଢନ୍ତୁ- ବାଂଲାଦେଶ ଫେରିବେ ଆଗାମୀ ପ୍ରଧାନମନ୍ତ୍ରୀ ? ୧୭ ବର୍ଷ ଲଣ୍ଡନରେ ରହିଥିଲେ,ଏବେ ୫୦ଲକ୍ଷ ଲୋକ କରିବେ ସ୍ୱାଗତ