ନବରଙ୍ଗପୁର,୧୮/୬ : ନବରଙ୍ଗପୁର ସହର ଶିଶୁ ଉଦ୍ୟାନ ପାଚେରୀ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କ ପରିଚୟ ମିଳିପାରି ନାହିଁ। ମୃତକଙ୍କ ବେକରେ ବର ଗଛ ଓହଳ ଗୁଡ଼ାଇ ହୋଇଥିବାରୁ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ି ନାହିଁ।
ସୂଚନାନୁଯାୟୀ, ବୁଧବାର ସକାଳେ ନବରଙ୍ଗପୁର ସହରର କୃଷକ ବଜାର ପାଚେରୀ ନିକଟରେ ଏକ ଅଜଣା ଯୁବକଙ୍କ ଶବ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ଖବର ପାଇ ଟାଉନ୍ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଯୁବକଙ୍କ ବେକରେ ବରଗଛ ଓହଳ ଗୁଡେ଼ଇ ରହିଥିବା ବେଳେ ବରଗଛ ତଳେ ଯୁବକଙ୍କ ଶବ ପଡ଼ିରହିଛି। ମୃତକଙ୍କ ପରିଚୟ ମିଳିନଥିବା ବେଳେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ତଦନ୍ତ ପରେ ଯୁବକଙ୍କ ପରିଚୟ ଓ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କୁହାଯାଉଛି।