ମୁମ୍ବାଇ:  ବଲିଉଡର ୭୦ତମ ଫିଲ୍ମଫେୟାର ଆଓ୍ବାର୍ଡର ରାତି ସମ୍ପୂର୍ଣ୍ଣ ଭାବରେ ଅଭିଷେକ ବଚ୍ଚନଙ୍କର ଥିଲା। ତାଙ୍କ ପିତା ଅମିତାଭ ବଚ୍ଚନଙ୍କ ୮୩ତମ ଜନ୍ମଦିନ ଅବସରରେ ଆୟୋଜିତ ଏହି ଉତ୍ସବରେ ଅଭିଷେକ ବଚ୍ଚନ ମଞ୍ଚ ଉପରେ ତାଙ୍କ ପିତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ସବୁଠାରୁ ବଡ଼ କଥା ହେଉଛି, ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତି ସମସ୍ତଙ୍କ ହୃଦୟ ମଧ୍ୟ ଜିତିଥିଲେ ଅଭିଷେକ। ଏହି ବିଶେଷ ମୁହୂର୍ତ୍ତରେ ତାଙ୍କ ସହିତ ତାଙ୍କ ମାଆ ଜୟା ବଚ୍ଚନ ଏବଂ ଭଉଣୀ ଶ୍ୱେତା ବଚ୍ଚନ ଉପସ୍ଥିତ ଥିଲେ। କିନ୍ତୁ, ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଝିଅ ଆରାଧ୍ୟା ଉପସ୍ଥିତ ନଥିଲେ। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । 

ପୁରସ୍କାର ଗ୍ରହଣ କରିବା ପୂର୍ବରୁ, ଅଭିଷେକ ତାଙ୍କ ପିତାଙ୍କ ସବୁଠାରୁ ସ୍ମରଣୀୟ ଗୀତଗୁଡ଼ିକର ଏକ ମନମୋହକ ପ୍ରଦର୍ଶନ କରିଥିଲେ। ଏହି ସଂଗୀତ  ଦର୍ଶକଙ୍କୁ ବିମୋହିତ କରିଥିଲା। ପ୍ରଦର୍ଶନ ସମୟରେ, ମାଆ ଜୟା କାନ୍ଦି ପକାଇଥିଲେ। ଅଭିଷେକ ମଞ୍ଚରୁ ଓହ୍ଲାଇ ତାଙ୍କ ମାଆଙ୍କ ପାଖକୁ ଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ । ଏହି ମୁହୂର୍ତ୍ତ କେବଳ ଜୟାଙ୍କ ପାଇଁ ନୁହେଁ, ବରଂ ଦର୍ଶକମାନଙ୍କ ପାଇଁ ମଧ୍ୟ ଭାବପୂର୍ଣ୍ଣ ଥିଲା। ଏହା ପରେ ଯେତେବେଳେ ଶ୍ରେଷ୍ଠ ଅଭିନେତା ପୁରସ୍କାର ଘୋଷଣା କରାଗଲା ଏବଂ ଅଭିଷେକଙ୍କ ନାମ ନିଆଗଲା, ସମଗ୍ର ହଲ୍ କରତାଳିରେ ଫାଟି ପଡ଼ିଲା। ଜୟା ବଚ୍ଚନ ଏବଂ ଶ୍ୱେତା ବଚ୍ଚନ ଠିଆ ହୋଇ ତାଳି ମାରିଥିଲେ । ଭାଣିଜୀ ନଭ୍ୟା ନଭେଲି ନନ୍ଦାଙ୍କ ଆନନ୍ଦ ମଧ୍ୟ କ୍ୟାମେରାରେ କଏଦ ହୋଇଥିଲା। 

ସେପଟେ ସୋସିଆଲ ମିଡିଆରେ ପୁରସ୍କାର ବିତରଣ ଉତ୍ସବରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଆରାଧ୍ୟାଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ କରିଛନ୍ତି ପ୍ରଶଂସକ । କେହି ୟୁଜର ଲେଖିଛନ୍ତି, ‘ହୁଏତ ପାରିବାରିକ ମତଭେଦ ଯୋଗୁଁ ସେ ନିଜକୁ ସାର୍ବଜନୀନ ସ୍ଥାନରୁ ଦୂରେଇ ରଖିଛନ୍ତି।’କିନ୍ତୁ ଅଭିଷେକ ବଚ୍ଚନ ପୁରସ୍କାର ଗ୍ରହଣ କରିବା ପରେ ଭାବପ୍ରବଣ ହୋଇ କହିଥିଲେ, ‘ମୋ କ୍ୟାରିୟରର ୨୫ ବର୍ଷ ହୋଇଗଲାଣି ଏବଂ ଏତେ ବର୍ଷ ଧରି ମୁଁ ଏହି ପୁରସ୍କାର ପାଇଁ ଭାଷଣ ଦେବା ଅଭ୍ୟାସ କରୁଛି । ଆଜି, ଯେତେବେଳେ ମୁଁ ଏହି ପୁରସ୍କାର ପାଇଛି, ମୋର ଶବ୍ଦ ନାହିଁ।’ ସେ ଆହୁରି କହିଥିଲେ, ‘ମୁଁ ଏହି ପୁରସ୍କାର ଦୁଇଜଣଙ୍କୁ ଉତ୍ସର୍ଗ କରିବାକୁ ଚାହୁଁଛି। ମୋ ଝିଅ ଆରାଧ୍ୟା ଏବଂ ମୋ ପତ୍ନୀ ଐଶ୍ୱର୍ଯ୍ୟା। ସେମାନେ ମୋତେ ସବୁବେଳେ ମୋର ସ୍ୱପ୍ନ ପୂରଣ କରିବାର ସ୍ୱାଧୀନତା ଦେଇଛନ୍ତି। ମୁଁ ଯାହା ବି, ଏହା ସେମାନଙ୍କ ଯୋଗୁଁ। ଏହି ପୁରସ୍କାର ମୋ ପରିବାର ଏବଂ ମୋର ନାୟକ, ମୋ ବାପାଙ୍କୁ ଉତ୍ସର୍ଗୀକୃତ।’ ଅଭିଷେକ ଏହି ପୁରସ୍କାର 'ଆଇ ୱାଣ୍ଟ ଟୁ ଟକ୍' ଫିଲ୍ମ ପାଇଁ ପାଇଛନ୍ତି ।