ମୁମ୍ବାଇ, ୧୧।୪: ବଲିଉଡର ଭାଇଜାନ୍ ସଲମାନ ଖାନଙ୍କ ଆଗାମୀ ଚଳଚ୍ଚିତ୍ରକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି । କିନ୍ତୁ, ଏହି ଫିଲ୍ମକୁ ନେଇ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି । କେବଳ ଫିଲ୍ମର ନାଁ ନୁହେଁ, ବରଂ ଏହାର କାହାଣୀରେ ମଧ୍ୟ ବ୍ୟାପକ ପରିବର୍ତ୍ତନ କରାଯାଇଛି । ସୂଚନା ଅନୁଯାୟୀ, ଫିଲ୍ମର ପ୍ରାୟ ୪୦ ପ୍ରତିଶତ ଅଂଶକୁ ପୁଣିଥରେ ସୁଟିଂ କରିବାକୁ ପଡ଼ିଛି । ଅପୂର୍ବ ଲାଖିଆଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ନାମ ପ୍ରଥମେ ‘ବ୍ୟାଟେଲ୍ ଅଫ୍ ଗଲଓ୍ୱାନ’ ରଖାଯାଇଥିଲା । ଏହି ଫିଲ୍ମଟି ୨୦୨୦ ମସିହାରେ ଭାରତ-ଚୀନ ସୀମାରେ ହୋଇଥିବା ସଂଘର୍ଷ ଉପରେ ଆଧାରିତ ଥିଲା । କିନ୍ତୁ, ସାମ୍ପ୍ରତିକ କୂଟନୈତିକ ସ୍ଥିତି ଏବଂ ବିଷୟବସ୍ତୁର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ପକ୍ଷରୁ କିଛି ପରିବର୍ତ୍ତନ ପାଇଁ ପରାମର୍ଶ ଦିଆଯାଇଥିଲା । ଏହା ପରେ ମେକର୍ସ ଫିଲ୍ମର ନାଁ ବଦଳାଇ ‘ମାତୃଭୂମି’ ରଖିବା ସହ ସ୍କ୍ରିପ୍ଟରେ ମଧ୍ୟ ଅଦଳବଦଳ କରିଛନ୍ତି ।

ଏହା ବି ପଢ଼ନ୍ତୁ... 'ଧୁରନ୍ଧର' ଭିଲେନଙ୍କୁ ସାହାଯ୍ୟ ମାଗୁଛନ୍ତି ଲୋକେ; ଗୁଜବରେ ଅତିଷ୍ଠ ହୋଇ ସତ କହିଲେ ଅଭିନେତା

କାହାଣୀରେ କାହିଁକି ହେଲା ପରିବର୍ତ୍ତନ ?

ମନ୍ତ୍ରଣାଳୟର ପରାମର୍ଶ ପରେ ନିର୍ଦ୍ଦେଶକ ଅପୂର୍ବ ଲାଖିଆ ଫିଲ୍ମର ଏକ ବଡ଼ ଭାଗକୁ ଦ୍ୱିତୀୟ ଥର ସୁଟ୍ କରିଛନ୍ତି । ନୂଆ ସଂସ୍କରଣରେ କାହାଣୀକୁ ସିଧାସଳଖ ବାସ୍ତବ ଘଟଣା ସହ ନଯୋଡ଼ି ଏକ କାଳ୍ପନିକ ରୂପ ଦିଆଯାଇଛି । ରିପୋର୍ଟ ଅନୁଯାୟୀ, ଫିଲ୍ମରୁ ‘ଚୀନ୍’ ନାଁକୁ ହଟାଇ ଦିଆଯାଇଛି । ସଂଘର୍ଷର ପୃଷ୍ଠଭୂମି ରହିବ, କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ଦେଶର ନାମ ନିଆଯିବ ନାହିଁ । ଫିଲ୍ମକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଏଥିରେ କିଛି ଅତିରିକ୍ତ ବ୍ୟାକ୍-ଷ୍ଟୋରୀ, ଭାବପ୍ରବଣ ଏବଂ ରୋମାଣ୍ଟିକ ଦୃଶ୍ୟ ଯୋଡ଼ା ଯାଇଛି ।

ରିଲିଜ୍ ଡେଟ୍‌କୁ ନେଇ ସସପେନ୍ସ:

ଏହି ସମସ୍ତ ପରିବର୍ତ୍ତନ ଏବଂ ରି-ସୁଟିଂ କାରଣରୁ ଫିଲ୍ମର ରିଲିଜ୍ ତାରିଖ ବାରମ୍ବାର ଘୁଞ୍ଚିବାରେ ଲାଗିଛି । ପ୍ରଥମେ ଏହା ଏପ୍ରିଲ୍ ୨୦୨୬ରେ ରିଲିଜ୍ ହେବାର ଥିଲା, କିନ୍ତୁ ଏବେ ଏହା ସ୍ୱାଧୀନତା ଦିବସ ଅବସରରେ ଅଗଷ୍ଟ ୧୪ରେ ପରଦାକୁ ଆସିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ମନ୍ତ୍ରଣାଳୟ ପକ୍ଷରୁ ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ଅନୁମୋଦନ ମିଳିନଥିବାରୁ ମେକର୍ସ କୌଣସି ଆଧିକାରିକ ଘୋଷଣା କରିନାହାନ୍ତି । ସଲମାନ ଖାନ ଏବଂ ଚିତ୍ରାଙ୍ଗଦା ସିଂଙ୍କ ଅଭିନୀତ ଏହି ଫିଲ୍ମରେ ଦେଶପ୍ରେମର ଏକ ନୂଆ ରୂପ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।