ମୁମ୍ବାଇ, ୧୧।୪: ବକ୍ସ ଅଫିସରେ ଇତିହାସ ରଚିଛି ରଣବୀର ସିଂଙ୍କ ଅଭିନୀତ ଫିଲ୍ମ ‘ଧୁରନ୍ଧର’ । ବିଶେଷ କରି ଏହାର ଦ୍ୱିତୀୟ ଭାଗ ଧୁରନ୍ଧର-୨ ୧୬୦୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରି ଭାରତର ସବୁଠାରୁ ସଫଳ ଚଳଚ୍ଚିତ୍ର ତାଲିକାରେ ସ୍ଥାନ ପାଇଛି । ଏହି ଫିଲ୍ମରେ ପ୍ରତିଟି କଳାକାରଙ୍କ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି । କିନ୍ତୁ, ଏବେ ଏହି ଫିଲ୍ମର ଜଣେ ଚର୍ଚ୍ଚିତ କଳାକାର ଏକ ଅଜବ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଫିଲ୍ମରେ ଆତଙ୍କବାଦୀ 'ଜହୁର ମିସ୍ତ୍ରୀ' ଭୂମିକାରେ ଅଭିନୟ କରିଥିବା ଅଭିନେତା ବିବେକ ସିହ୍ନା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏକ ତାଲିକା ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ ଏହି ଛୋଟ ଭୂମିକା ପାଇଁ ବିବେକଙ୍କୁ ୮୦ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ମିଳିଛି । ଏହି ଖବର ପ୍ରସାରିତ ହେବା ପରେ ଲୋକମାନେ ତାଙ୍କୁ ସାହାଯ୍ୟ ମାଗିବା ଆରମ୍ଭ କରିଦେଇଛନ୍ତି ।

ଏହା ବି ପଢ଼ନ୍ତୁ... ବିଶ୍ୱ ଯୁଦ୍ଧ ଚିନ୍ତା ମଧ୍ୟରେ ଭାରତର 'ମିଶନ ଏନର୍ଜି': ୟୁଏଇରେ ଜୟଶଙ୍କର, ଆମେରିକା ପରେ ଏବେ ୟୁରୋପ ଗସ୍ତରେ ବିଦେଶ ସଚିବ

"ଛୁଆ ଦେହ ଖରାପ, ଟଙ୍କା ଦିଅ" - ମେସେଜ୍ରେ ଭରିଗଲା ଇନବକ୍ସ

ବିବେକ ସିହ୍ନା ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ, ଯେବେଠାରୁ ତାଙ୍କ ଫିସ୍କୁ ନେଇ ଗୁଜବ ବଢ଼ିଛି, ତାଙ୍କ ପାଖକୁ ଶହ ଶହ ମେସେଜ୍ ଆସୁଛି । କେହି କହୁଛି "ସାର୍ ଛୁଆ ଦେହ ଖରାପ, ପଇସା ଦିଅନ୍ତୁ" ତ ଆଉ କେହି ନିଜର ଆର୍ଥିକ ଅଭାବ ପାଇଁ ସାହାଯ୍ୟ ମାଗୁଛନ୍ତି । ଏହି ସମସ୍ୟାରେ ଅତିଷ୍ଠ ହୋଇ ବିବେକ ଭିଡିଓ ଜରିଆରେ କହିଛନ୍ତି । "ଭାଇ, ସତରେ ମୋତେ ଏତେ ଟଙ୍କା ମିଳିନାହିଁ । ଫିଲ୍ମ ପାଇଁ ଭଲ ପାରିଶ୍ରମିକ ମିଳିଛି, କିନ୍ତୁ ଯାହା କୁହାଯାଉଛି ତାହା ସମ୍ପୂର୍ଣ୍ଣ ମିଛ । ମୁଁ ମୁମ୍ବାଇ ଭଳି ସହରରେ ରହୁଛି, ଏଠାରେ ବହୁତ ଖର୍ଚ୍ଚ । ଯାହା ମିଳିଥିଲା ତାହା ମଧ୍ୟ ସରିଗଲାଣି । ମୋ ପାଖରେ ଯଦି ସେତେ ଟଙ୍କା ଥାଆନ୍ତା, ତେବେ ମୁଁ ନିଶ୍ଚୟ ସାହାଯ୍ୟ କରିଥାଆନ୍ତି ।"

ଅଭିନୟ ପାଇଁ ମିଳୁଛି ପ୍ରଶଂସା:

ମାତ୍ର କିଛି ସମୟର ଭୂମିକା ହେଲେ ମଧ୍ୟ ବିବେକ ସିହ୍ନା ନିଜର ଜୀବନ୍ତ ଅଭିନୟ ଜରିଆରେ ସମସ୍ତଙ୍କ ନଜର ଆକର୍ଷଣ କରିଛନ୍ତି । ଟ୍ରେଲର ଆସିବା ଦିନଠାରୁ ହିଁ 'ଜହୁର ମିସ୍ତ୍ରୀ' ଚରିତ୍ରକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଏବେ ଏହି ଲୋକପ୍ରିୟତା ତାଙ୍କ ପାଇଁ ଏଭଳି ଏକ ବିଚିତ୍ର ସମସ୍ୟା ସୃଷ୍ଟି କରିବ ବୋଲି ସେ ହୁଏତ କେବେ ଭାବି ନଥିଲେ ।