ନୂଆଦିଲ୍ଲୀ,୨୭/୦୬: ଗତ କିଛି ଦିନ ହେବ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି ଏୟାର ଇଣ୍ଡିଆ ବିମାନ । କିଛି ବିମାନକୁ ବାତିଲ କରାଯାଉଥବା ବେଳେ କିଛି ବିମାନକୁ ମଝି ଆକାଶରୁ ଫେରାଇ ଦିଆଯାଉଛି । ଆଉ ଏହାରି ମଧ୍ୟରେ ପୁଣିଥରେ ଏବେ ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିଛି।
ସୂଚନା ମୁତାବକ, ଆଜି ସକାଳୁ ମୁମ୍ବାଇରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନର ଜଣେ କ୍ର୍ୟୁ ମେମ୍ବରଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଛି । ଯେଉଁଥିରେ ଏୟାର ଇଣ୍ଡିଆ ବିମାନ ୨୯୪୮ରେ ବୋମା ଅଛି ବୋଲି ଧମକ ଆସିଛି । ଏହାପରେ ବିମାନକୁ ତୁରନ୍ତ ଯାଞ୍ଚ କରାଯାଇଥିଲା । କିନ୍ତୁ ଟିମଙ୍କୁ କିଛି ମିଳିନଥିଲା । ଏହା ପରେ,ଏହାକୁ ଏକ ମିଥ୍ୟା କଲ ବୋଲି ଘୋଷଣା କରାଯାଇଥିଲା।
ତେବେ ବାରମ୍ବାର ବାରମ୍ବାର ଏଭଳି ଧମକପୂର୍ଣ୍ଣ କଲକୁ ନେଇ ଏୟାର ଇଣ୍ଡିଆର ସମସ୍ତ ସଦସ୍ୟ ଚିନ୍ତା ପ୍ରକଟ କରିଛନ୍ତି । ଏହା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରି ଦିଆଯାଇଛି । ସେପଟେ କିଏ ଏମିତି ମିଥ୍ୟା ଧମକ ଦେଉଛି ଏନେଇ ତଦନ୍ତ ଜାରି ରଖିଛି ପୁଲିସ । ସେହିପରି ଗତ କିଛି ସପ୍ତାହ ମଧ୍ୟରେ ଏୟାର ଇଣ୍ଡିଆ ବିମାନରେ ଅନେକ ଯାନ୍ତ୍ରିକ ଏବଂ ପରିଚାଳନ ସମସ୍ୟା ଦେଖାଦେଇଛି। ଫଳରେ ଏୟାର ଇଣ୍ଡିଆ ବିମାନର ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରି ଦିଆଯାଇଛି ।