ମୁମ୍ବାଇ,୧୭/୦୭: ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ବମ୍ବେ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ବୀର ସାବରକରଙ୍କୁ ନେଇଦେଇଥିବା ବୟାନ ବିରୋଧରେ ରାହୁଙ୍କ ବିରୋଧରେ ଦାୟର ହୋଇଥିବା ଯାଚିକା ଖାରଜ କରିଛନ୍ତି ହାଇକୋର୍ଟ । ଯାଚିକାରେ ଦାବି ହୋଇଥିଲା କି ରାହୁଲଙ୍କ ବୟାନ ଅପରିପକ୍ୱ ଥିଲା । ଅଭିନବ ଭାରତ କଂଗ୍ରେସର ସଭାପତି ପଙ୍କଜ ଫଡନିସଙ୍କ ଦ୍ୱାରା ଦାୟର ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି । ରାହୁଲ ଗାନ୍ଧୀଙ୍କୁ ସାଭରକରଙ୍କ ଜୀବନୀ ପଢିବାକୁ ନିର୍ଦ୍ଦେଶ ଦିଆଯାଉ ଯାହା ଦ୍ଵାରା ତାଙ୍କ ବିଷୟରେ ଅଜ୍ଞତା ଦୂର ହୋଇପାରିବ ବୋଲି ଆବେଦନରେ ଦାବି କରାଯାଇଥିଲା ।

ଯାଚିକା ଖାରଜ କରି ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ଆଲୋକ ଅରାଧେ ଏବଂ ସନ୍ଦୀପ ମାର୍ନିଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ଆମେ ରାହୁଲ ଗାନ୍ଧୀଙ୍କୁ ସାବରକରଙ୍କ ଜୀବନୀ ପଢିବାକୁ ଆଦେଶ ଦେବୁ ନାହିଁ । ନ୍ୟାୟଳୟ କୌଣସି ନେତାଙ୍କୁ ତାଙ୍କ ବିଚାରଧାରା ବଦଳାଇବାକୁ କୌଣସି ବାଧ୍ୟତାମୂଳକ ଆଦେଶ ଦେଇପାରିବେ ନାହିଁ ।

ଅଧିକ ପଢନ୍ତୁ...‘ହିମନ୍ତଙ୍କୁ ଜେଲ୍‌ ପଠାଇବୁ’: ରାହୁଲଙ୍କ ମନ୍ତବ୍ୟ ଉପରେ ଆସାମ ସିଏମ୍‌ଙ୍କ ଜବାବ, ଭୁଲି ଗଲେ କି ସେ ନିଜେ ଜାମିନରେ ଅଛନ୍ତି

ଯାଚିକାରେ କଣ କୁହାଯାଇଥିଲା- ବାର ଏବଂ ବେଞ୍ଚ ରିପୋର୍ଟ ଅନୁଯାୟୀ, ଆବେଦନକାରୀ ଦାବି କରିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ବୟାନ ତାଙ୍କର ମୌଳିକ କର୍ତ୍ତବ୍ୟ ପାଳନ କରିବାର ଅଧିକାରକୁ ଉଲ୍ଲଂଘନ କରିଛି ।  କାରଣ ସମ୍ବିଧାନ ନାଗରିକମାନଙ୍କୁ ସ୍ୱାଧୀନତା ସଂଗ୍ରାମର ଆଦର୍ଶକୁ ପାଳନ ଏବଂ ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇଛି ।

କଣ କହିଥିଲେ ରାହୁଲ ? ଯାଚିକା ଦାୟର କରିଥିବା କହିଛନ୍ତି ଯେ, ମାର୍ଚ୍ଚ ୨୦୨୩ରେ ରାହୁଲ ଗାନ୍ଧୀ ଲଣ୍ଡନରେ ସାଭରକରଙ୍କୁ ଏପରି ଜଣେ ବ୍ୟକ୍ତି ଭାବରେ ଚିତ୍ରିତ କରିବାକୁ ଚେଷ୍ଟା କରିଥିଲେ ଯିଏ ମୁସଲମାନମାନଙ୍କର ଅପମାନରେ ଆନନ୍ଦ ପାଆନ୍ତି। ସାଭରକରଙ୍କୁ ଜଣେ କାପୁରୁଷ ଭାବରେ ଚିତ୍ରିତ କରିବାକୁ ଚେଷ୍ଟା କରିଥିଲେ ଏବଂ ଏକ ଅପମାନଜନକ ଉଲ୍ଲେଖରେ କହିଥିଲେ, "ମୋ ନାମ ସାବରକର ନୁହେଁ, ମୁଁ ଗାନ୍ଧୀ ଏବଂ ଗାନ୍ଧୀ କାହାକୁ କ୍ଷମା ମାଗନ୍ତି ନାହିଁ।"