ନୂଆଦିଲ୍ଲୀ,୦୧/୦୮: ପାରାଙ୍କୁ ଦାନା ଦେବା ଉପଦ୍ରବ ସୃଷ୍ଟିକାରୀ, ଅସ୍ୱାସ୍ଥ୍ୟକର। ଏହା ଜନ ସ୍ୱାସ୍ଥ୍ୟ ସହ ଜଡ଼ିତ ଏବଂ ସବୁ ବୟସର ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଜ୍ଜନକ । ଏନେଇ ଟିପ୍ପଣୀ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଜଷ୍ଟିସ୍ ଜି.ଏସ୍ କୁଲକର୍ଣ୍ଣି ଏବଂ ଜଷ୍ଟିସ୍ ଆରିଫ୍ ଡାକ୍ତରଙ୍କ ଖଣ୍ଡପୀଠ ପଶୁପ୍ରେମୀଙ୍କ ପକ୍ଷରୁ ଦାଏର ପିଟିସନର ଶୁଣାଣି କରିବା ସହ ପାରାଙ୍କୁ ଦାନା ଖୁଆଉଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିବା ଲାଗି ମୁମ୍ବାଇ ନଗର ନିଗମ ବା ବିଏମ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି । ବିଏମ୍ସି ସହରର କବୁତରଖାନାରେ ପାରା ଜମା ହେବା ବନ୍ଦ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବା ଏବଂ କଡ଼ା ନିୟମ କାର୍ଯ୍ୟକାରୀ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।
ଜୁଲାଇ ୩ରେ ଏହି ମାମଲାର ଶୁଣାଣି ବେଳେ ହାଇକୋର୍ଟ ବିଏମ୍ସିକୁ କୌଣସି ପୁରୁଣା ପାରାଖାନାକୁ ଭଙ୍ଗା ଯିବା ଉପରେ ରୋକ ଲଗାଇଥିଲେ । କିନ୍ତୁ ପାରାଙ୍କୁ ଦାନା ଦେବାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି କହିଥିଲେ । ବିଏମ୍ସି ପାରାଖାନାକୁ ଭାଙ୍ଗିବା ପ୍ରାଣୀ କ୍ରୂରତା ନିବାରଣ ଆଇନର ଉଲ୍ଲଂଘନ ବୋଲି ପିଟିସନରେ କୁହାଯାଇଥିଲା । ତେବେ ଅନୁମତି ନ ମିଳିବା ସତ୍ତେ୍ୱ ଲୋକେ ପାରାଙ୍କୁ ଦାନା ଦେବା ଆଇନ ପ୍ରତି ଘୋର ଅବହେଳା ବୋଲି ହାଇକୋର୍ଟ ଦର୍ଶାଇଥିଲେ । ଏଭଳି ପାରାଗୁଡ଼ିକୁ ଲୋକେ ଭିଡ଼ ଜମାଇ ଖୁଆଇବା ଦ୍ୱାରା ରୋଗ ବ୍ୟାପିପାରେ । ପାରା ମଳ, ପର ଏବଂ ଶରୀରରୁ ବାହାରୁଥିବା ଧୂଳିକଣା ଆଦି ବା ପରଜୀବୀଙ୍କ ଜରିଆରେ ରୋଗ ମଣିଷଙ୍କୁ ସଂକ୍ରମିତ ହୋଇପାରେ । ଫଳରେ ମଣିଷ ଜୀବନ ବିପଦରେ ପଡ଼ିପାରେ ବୋଲି ଅଦାଲତ କହିଥିଲେ । ତେଣୁ କେହି ଏହି ନିର୍ଦ୍ଦେଶକୁ ଅବମାନନା କରି ପାରାଙ୍କୁ ଦାନା ଦେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।