ମନମୁଣ୍ଡା,୬/୧ : ବୌଦ୍ଧ ଜିଲ୍ଲା ମହୋତ୍ସବ ସ୍ଥାନୀୟ କଳା ପ୍ରଦର୍ଶନର ଏକ ଉତ୍କୃଷ୍ଟ ତଥା ଶ୍ରେଷ୍ଠ ମଞ୍ଚ। ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ ଜିଲ୍ଲା ମହୋତ୍ସବ ଅନନ୍ୟ। ଏହାରି ମାଧ୍ୟମରେ ଦର୍ଶକ ବାହାର ଜିଲ୍ଲା ତଥା ରାଜ୍ୟର ନୃତ୍ୟ, ଗୀତ ଇତ୍ୟାଦି କଳା ପ୍ରଦର୍ଶନ ଦେଖିବାର ଅପୂର୍ବ ସୁଯୋଗ ପାଉଥିବାବେଳେ ସେହି ଅଞ୍ଚଳର ସଂସ୍କୃତିର ଝଲକ ମଧ୍ୟ ପାଇଥାନ୍ତି । ସେହିପରି ସ୍ଥାନୀୟ ଜିଲ୍ଲାର ଅନେକ କଳାକାରଙ୍କଠାରେ କଳା ଭରପୁର ରହିଛି । ସେମାନେ ମଞ୍ଚ ପାଉଥିଲେ ମଧ୍ୟ ଏତେ ଦର୍ଶକଙ୍କ ସମାବେଶର ମହୋତ୍ସବ ପାଆନ୍ତି ନାହିଁ ଓ କଳାପ୍ରେମୀ ମଧ୍ୟ ସେମାନଙ୍କ ପ୍ରଦର୍ଶନ ଦେଖିବାରୁ ବଞ୍ଚିତ ହୋଇଥାନ୍ତି। ଫଳରେ ବଣ ମଲ୍ଲି ବଣରେ ଫୁଟି ଝଡ଼ି ଯିବା ସଦୃଶ ହୋଇଥାଏ । କିନ୍ତୁ ଜିଲ୍ଲା ପ୍ରଶାସନ ସ୍ଥାନୀୟ କଳାକାରଙ୍କୁ ସେମାନଙ୍କ କଳା ପ୍ରଦର୍ଶନ ପାଇଁ ମହୋତ୍ସବ ମଞ୍ଚ ପ୍ରଦାନ କରିଥିଲେ ଏବଂ ସେମାନଙ୍କ ଡାଲଖାଇ, ରସରକେଲି, ସହ ବଙ୍ଗଳା ପାନ ଓ ଲାଲ୍ ମନ୍ଦାର ଇତ୍ୟାଦି ଅନେକ ଲୋକ ଗୀତ ଓ ନୃତ୍ୟ ଦର୍ଶକଙ୍କୁ ବିଭୋର ଓ ବିମୁଗ୍ଧ କରିଥିବା ଦର୍ଶକମାନେ ପ୍ରତିକ୍ରିୟା ଦେଇଥିଲେ। ସେହିପରି ବାହାର ଜିଲ୍ଲା ତଥା ରାଜ୍ୟର କଳାକାରଙ୍କ ସାଂସ୍କୃତିକ ପରିବେଷଣ ମଧ୍ୟ ଉଚ୍ଚ କୋଟିର ରହିଥିଲା। ସେହି ଅଞ୍ଚଳର କଳା ଓ ସଂସ୍କୃତି ସମ୍ପର୍କରେ ମଧ୍ୟ ସ୍ଥାନୀୟ ଦର୍ଶକ ଅଭିଭୂତ ହୋଇଥିବା ଜାଣିବାକୁ ମିଳିଛି ।

ପାଞ୍ଚ ଦିନ ଧରି ଅନୁଷ୍ଠିତ ହୋଇ ଆସୁଥିବା ଏହି ମହୋତ୍ସବର ଆଜିର ଉଦଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଏବଂ ସମ୍ମାନିତ ଅତିଥି ଭାବେ ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ପ୍ରମୁଖ ଯୋଗଦେଇ ମହୋତ୍ସବର ସୁନ୍ଦର ସାଜସଜ୍ଜା, ଆକର୍ଷଣୀୟ ଅଲୋକିକରଣ, ଚମତ୍କାର ଆୟୋଜନ ଓ ରୂପରେଖକୁ ଭୂୟସୀ ପ୍ରଶଂସା କରିଥିଲେ । ଓଡ଼ିଶାର ମଧ୍ୟ ଭାଗ ତଥା ପ୍ରାଣକେନ୍ଦ୍ରରେ ପ୍ରତିଷ୍ଠିତ ବୌଦ୍ଧ ଜିଲ୍ଲା ରାଜ୍ୟର ସବୁଠୁ ଛୋଟ ଜିଲ୍ଲା ହେଲେ ମଧ୍ୟ ଏହାର ହୃଦୟ ବଡ଼, ଲୋକମାନଙ୍କ ଆଚାର, ବ୍ୟବହାର ଉତ୍ତମ ଏବଂ ଏହାର ମହୋତ୍ସବ ଆୟୋଜନ କିନ୍ତୁ ବଡ଼ ଓ ମହାନ ଏବଂ ରାଜ୍ୟର ଅଗ୍ରଣୀ ଜିଲ୍ଲା ମହୋତ୍ସବ ତୁଳନାରେ କୌଣସି ଗୁଣରେ କମ୍ ନୁହେଁ ବୋଲି ପୂର୍ବ ଦିନର ଅତିଥିଙ୍କ ସମେତ ଆଜିର ଅତିଥି ମଧ୍ୟ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଅତିଥିଗଣ ମହୋତ୍ସବର ସ୍ମରଣିକା 'ଯଶୋଧାରା'ର ଶୁଭ ଉନ୍ମୋଚନ କରିବା ସହ ଏହାର ସଂପାଦକୀୟ ଗୋଷ୍ଠୀ ଏବଂ ମହୋତ୍ସବ କମିଟି ସଦସ୍ୟ ଡିଆଇପିଆର ଓ ରୀତା କାନ୍ତି ବଳିୟାର ସିଂଙ୍କ ସମେତ ଅନ୍ୟ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମହୋତ୍ସବ ପ୍ରସ୍ତୁତି ବୈଠକଠାରୁ ଆରମ୍ଭ କରି ଉଦଯାପନୀ ଦିବସ ପର୍ଯ୍ୟନ୍ତ ଏହାର ଆୟୋଜନରେ ବହୁ ବାଧାବିଘ୍ନ ସତ୍ତ୍ୱେ କୌଣସି ବିବାଦ କିମ୍ବା ଅପ୍ରୀତିକର ପରିସ୍ଥିତି ଦେଖା ଦେଇ ନ ଥିଲା। ଏଥିରେ ଖୁସି ବ୍ୟକ୍ତ ପୂର୍ବକ ମହୋତ୍ସବର ସଭାପତି ତଥା ଜିଲ୍ଲାପାଳ ବିଭୂତି ଭୂଷଣ ନାଏକ ମହୋତ୍ସବ ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଥିବାରୁ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।