ନୂଆଦିଲ୍ଲୀ,୦୫/୦୮: ବ୍ରାଜିଲ୍ ପୂର୍ବତନ ରାଷ୍ଟ୍ରପତି ଜେୟର ବୋଲସୋନାରୋଙ୍କୁ ଗୃହବନ୍ଦୀ କରିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି । ତାଙ୍କ ନାମରେ ୨୦୨୨ ନିର୍ବାଚନ ହାରିବା ପରେ ବଳପୂର୍ବକ କ୍ଷମତା କବଜା କରିବା ଅଭିଯୋଗ ରହିଛି । ଏହି ମାମଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୫୦ ପ୍ରତିଶତ ଟାରିଫ୍ ନିଷ୍ପତ୍ତି ସହ ଯୋଡ଼ା ହୋଇଛି । ବୋଲସୋନାରୋ ଏବେ ରାଜଧାନୀ ବ୍ରାସିଲିୟାରେ ନଜରବନ୍ଦୀ ହୋଇ ରହିବେ । ଏହି ମାମଲା ପୂରା ଦକ୍ଷିଣ ଆମେରିକାରେ ଚର୍ଚ୍ଚାରେ ରହିଛି । ବିଶେଷ କରି ଯେବେ ବ୍ରାଜିଲ୍ ଓ ଆମେରିକା ମଧ୍ୟରେ ଟ୍ରେଡ୍ ୱାର ବି ତୀବ୍ର ହୋଇଛି ।
କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଦକ୍ଷିଣପନ୍ଥୀ ନେତା ବୋଲସୋନାରୋଙ୍କୁ କଡ଼ା ନଜରବନ୍ଦୀ ରଖାଯିବ, କେବଳ ପରିବାର ସଦସ୍ୟ ଏବଂ ଓକିଲମାନେ ତାଙ୍କୁ ଭେଟି ପାରିବେ। ଏହା ସହିତ, ନିର୍ଦ୍ଦେଶ ଅନୁଯାୟୀ ତାଙ୍କ ରିଓ ଡି ଜେନେରିଓ ଘରୁ ସମସ୍ତ ମୋବାଇଲ୍ ଫୋନ୍ ଜବତ କରାଯିବ । ୨୦୨୨ ନିର୍ବାଚନରେ ହାରିବା ପରେ ବୋଲସୋନାରୋ ଏକ ବିଦ୍ରୋହ ଉଦ୍ୟମର ନେତୃତ୍ୱ ନେଇଥିବା ଅଭିଯୋଗ ହୋଇଛି । ନିର୍ବାଚନ ଫଳାଫଳ ପରିବର୍ତ୍ତନ କରିବାକୁ ଯୋଜନା କରିଥିବା ଅଭିଯୋଗ ରହିଛି । ସେଥିରେ ରାଷ୍ଟ୍ରପତି ଲୁଲା ଓ ଜଷ୍ଟିସ୍ ଡି ମାରେସ ହତ୍ୟା ଷଡ଼ଯନ୍ତ୍ର ସାମିଲ ଥିବା କୁହାଯାଉଛି ।
ପୂର୍ବତନ ରାଷ୍ଟ୍ରପତି ୭୦ ବର୍ଷୀୟ ବୋଲସୋନାରୋଙ୍କ ସହିତ ୩୩ ସହଯୋଗୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ ରହିଛି । ବିଦ୍ରୋହ ଷଡ଼ଯନ୍ତ୍ର, ଏକ ହିଂସାତ୍ମକ ଅପରାଧ ସଂଗଠନରେ ଯୋଗଦାନ, ଗଣତନ୍ତ୍ରକୁ ସମାପ୍ତ କରିବାକୁ ଚେଷ୍ଟା ଏବଂ ସରକାରୀ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ଭଳି ଗମ୍ଭୀର ଅଭିଯୋଗ ରହିଛି। ପବ୍ଲିକ ପ୍ରସିକ୍ୟୁଟର ପାଓଲୋ ଗୋନେଟ୍ କହିଛନ୍ତି ଯେ, ବୋଲସୋନାରୋଙ୍କ ସହିତ ତାଙ୍କର ପୂର୍ବତନ ଉପରାଷ୍ଟ୍ରପତି ଜେନେରାଲ ବ୍ରାଗା ନେଟୋ ମଧ୍ୟ ଏହି ଷଡ଼ଯନ୍ତ୍ରରେ ସାମିଲ ଥିଲେ ।
ସୁପ୍ରିମକୋର୍ଟ ଗତ ମାସରେ ବୋଲସୋନାରୋଙ୍କ ଗତିବିଧି ଉପରେ ନଜର ରଖିବାକୁ ଇଲେକ୍ଟ୍ରୋନିକ୍ ଏଙ୍କଲ୍ ମନିଟର୍ ପିନ୍ଧିବାକୁ ପଡିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ ଏବେ ଅନ୍ତର୍ଜାତୀୟ ନଜର ରହିଛି । ଏହା କେବଳ ଏକ ରାଜନୈତିକ ସଂଙ୍କଟ ନୁହେଁ ବରଂ ବିଶ୍ୱସ୍ତରରେ ଆମେରିକା-ବ୍ରାଜିଲ ସମ୍ପର୍କକୁ ମଧ୍ୟ ପ୍ରଭାବିତ କରୁଛି ।