ନୂଆଦିଲ୍ଲୀ, ୧୯/୨ : କୁହାଯାଏ ସବୁବେଳେ ଜାଣିଶୁଣି ବନ୍ଧୁ ବାନ୍ଧିବ । ସେଥିପାଇଁ ତ ବନ୍ଧୁ ଘର କରିବା ପୂର୍ବରୁ ଅନେକ ତଥ୍ୟ ନେଇଥାନ୍ତି ଲୋକେ । କିନ୍ତୁ ଯଦି ନଜାଣି ବନ୍ଧୁ ବାନ୍ଧିବେ ପରେ କାନ୍ଦିବାଟା ହିଁ ସାର ହେବ । ତେବେ ଏଭଳି ଏକ ଘଟଣା ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି । ଜଣେ ନବବିବାହିତ ମହିଳା ମାତ୍ର ୨ ଦିନ ଭିତରେ ଘରୁ ଛୁ ମାରିଛି । କେବଳ ଏତିକି ନୁହେଁ ଟଙ୍କା, ସୁନା ଗହଣା ସହ କଳା ବୁଲାଇ ଫେରାର ହୋଇଛି । ପୁଲିସକୁ ଖବର ଦେବା ପରେ ଏବେ ଖୋଜାଖୋଜି ଚାଲିଛି ।
ମିଳିଥିବା ଖବର ଅନୁସାରେ ଜଣେ ଦଲାଲ ଜରିଆରେ ଏହି ଝିଅ ସହ ବିବାହ ହୋଇଥିଲା । ସେ ଲକ୍ଷେ ଟଙ୍କାରେ ଏହି ଯୁବତୀଙ୍କ ସହ ବିବାହ କରାଇବା ପାଇଁ ବୁଝିଥିଲା । ମାତ୍ର ବିବାହର ଅଳ୍ପ କେଇ ଘଣ୍ଟା ମଧ୍ୟରେ ଯୁବତୀ ଜଣକ ଫେରାର ହୋଇଥିବାବେଳେ ଦଲାଲକୁ ଧରିଛନ୍ତି ପୁଅଘର ଲୋକେ । ସେପଟେ ଦଲାଲ ଜଣକ ଝିଅ ସମ୍ପର୍କ ସବୁ ତଥ୍ୟ ଜାଣିନଥିବା କହିଛି । ଏହାସହ ସେ ପ୍ରତିଶୃତି ଦେଇଛି କି, ଆଉ ଗୋଟିଏ ଝିଅ ଠିକ୍ କରିଦେବ । ମାତ୍ର ଏକଥାରେ ପରିବାର ଲୋକେ ରାଜି ନଥିବା ଜଣାଇଛନ୍ତି । ସେପଟେ ଆଉ ଏକ ଖବର ଶୁଣିବାକୁ ମିଳିଛି ଯୁବତୀ ଜଣକ ବିବାହର ଗୋଟିଏ ଦିନ ପରେ ଦେହ ଖରାପ ହୋଇଥିଲା । ଯେତେବେଳେ ମେଡିକାଲ ଯାଇଥିଲେ ଡାକ୍ତର କହିଥିଲେ କି, ସେ ଗର୍ଭବତୀ ଅଛନ୍ତି । ଯାହା ଶୁଣିବା ପରେ ପୁଅଘର ଲୋକେ ମଧ୍ୟ ଚମକି ପଡ଼ିଥିଲେ । ଏବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।