ତାଳଚେର, ୨୩/୦୨: ଦୁଇ ପରିବାରର ସହମତିରେ ଧୁମ୍‌ଧାମରେ ବାହାଘର ଓ ଭୋଜିଭାତ  ହେଲା । ବରକନ୍ୟା ଘରକୁ ଫେରିଲେ । ତିନିଦିନ  ଶାଶୂଘରେ ରହିବା ପରେ ନବବଧୂ ଚତୁର୍ଥୀ ଦିନ  ସକାଳୁ ହଠାତ୍‌ ପ୍ରେମିକ ସାଙ୍ଗରେ ଯିବାକୁ ଜିଦ୍‌  ଧରିଲେ । ବହୁ ବୁଝାସୁଝା ପରେ ବି ସେ ଶୁଣିଲେନି ।  ଏକା ଜିଦ୍‌ ସେ ପ୍ରେମିକ ସହ ରହିବେ । ଶେଷରେ  ଥାନାକୁ କଥା ଗଲା । ଦୁଇ ପରିବାର ଲୋକଙ୍କ  ଉପସ୍ଥିତିରେ ଚୁକ୍ତିନାମା ଲେଖି ପ୍ରେମିକ ସାଙ୍ଗରେ  ଯାଇଛନ୍ତି ନବବଧୂ । ଏଭଳି ଏକ ଘଟଣା ଦେଖିବାକୁ  ମିଳିଛି ତାଳଚେର ଥାନା ଇଲାକାରେ ।  

ସୂଚନା ଅନୁଯାୟୀ, ତାଳଚେର ଟାଉନ୍‌ ଅଞ୍ଚଳର  ଜଣେ ଯୁବକଙ୍କର ବଅଁରପାଳ ଥାନା ଇଲାକାର  ଜଣେ ଯୁବତୀଙ୍କ ସହ ବିବାହ ଠିକ୍‌ ହୋଇଥିଲା ।  ସେ ଥିଲେ ଘରର ବଡ଼ ଝିଅ । ବିବାହ ସ୍ଥିର  ହେବା ପରେ ସମ୍ପୃକ୍ତ ଯୁବତୀ ତାଙ୍କ ପ୍ରେମିକ ସହ  ଫେରାର୍‌ ହୋଇଯାଇଥିଲେ । ଯେହେତୁ ବିବାହ ସ୍ଥିର  ହୋଇସାରିଛି ସମ୍ପୃକ୍ତ ଯୁବତୀଙ୍କ ସାନ ଭଉଣୀକୁ  ପରିବାର ଲୋକ ଧାର୍ଯ୍ୟ ସ୍ଥାନରେ ବିବାହ କରିବାକୁ  କହିଥିଲେ । ସେତେବେଳେ ସାନ ଭଉଣୀ ତାଙ୍କର ଅନ୍ୟ ଜଣେ ଯୁବକ ସହ ପ୍ରେମ ସମ୍ପର୍କ ଥିବା ଜଣାଇବାକୁ ସାହସ ଜୁଟାଇ ପାରିନଥିଲେ । ପରିବାର ଲୋକଙ୍କ ବାଧ୍ୟବାଧକତାରେ ବିବାହ କରିବାକୁ ହଁ  ଭରିଥିଲେ । ଗତ ୧୮ ତାରିଖରେ ବୈଦିକ ରୀତିନୀତି  ଅନୁଯାୟୀ ବିବାହ ସମ୍ପନ୍ନ ହୋଇଥିଲା । ଭୋଜିଭାତ  ହସଖୁସି ଭିତରେ ତିନି ଦିନ ଧରି ଶାଶୂଘରେ ରହିଥିଲେ ନବବଧୂ । ମାତ୍ର ଭିତରେ ଭିତରେ  ପ୍ରେମିକକୁ ଝୁରୁଥିଲେ। 

ଶୁକ୍ରବାର ଚତୁର୍ଥୀ ଥିବା ବେଳେ ସକାଳେ ହଠାତ୍‌ ନବବଧୂ ଏ ପ୍ରସଙ୍ଗରେ ମୁହଁ ଖୋଲିଥିଲେ । ୭ ବର୍ଷ  ଧରି ସେ ଜଣେ ଯୁବକଙ୍କୁ ପ୍ରେମ କରୁଥିବା ଓ ତାଙ୍କୁ ବିବାହ କରିବାକୁ ଚାହୁଁଥିବା ଶାଶୂଘର ଲୋକଙ୍କୁ ନବବଧୂ ସାହସ ଜୁଟାଇ ଜଣାଇଥିଲେ । ନିଜ ଇଚ୍ଛା  ବିରୋଧରେ ପରିବାର ଲୋକଙ୍କ ବାଧ୍ୟବାଧକତାରେ  ବିବାହ କରିଥିବା କହିବା ସହ ଏଠାରେ ରହିବାକୁ ଚାହୁଁନଥିବା ଜଣାଇଥିଲେ । ଏହାଶୁଣି ନବବିବାହିତ ଯୁବକ ଓ ତାଙ୍କ ପରିବାର ଲୋକ ସ୍ତବ୍ଧ  ହୋଇଯାଇଥିଲେ । ନବବଧୂଙ୍କ ପରିବାର ଲୋକେ  ଆସି ତାଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେ କୌଣସି  କଥା ଶୁଣିନଥିଲେ । ଗୋଟିଏ ଜିଦ୍‌ ସେ ପ୍ରେମିକ  ସହ ରହିବେ । ଶେଷରେ କଥା ତାଳଚେର ଥାନାକୁ  ଯାଇଥିଲା । ସେଠାରେ ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ନବବଧୂ ଚୁକ୍ତିନାମା ଲେଖି ପ୍ରେମିକଙ୍କ ସହ ଯାଇଥିଲେ । ଏବେ ସେ ଯେଉଁ ଯୁବକଙ୍କୁ ବିବାହ  କରିଛନ୍ତି ଓ ଛାଡ଼ିଯାଉଛନ୍ତି ତାଙ୍କୁ ଭବିଷ୍ୟତରେ କୌଣସି ପ୍ରକାର ହଇରାଣ ହରକତ କରିବେ ନାହିଁ  ବୋଲି ଚୁକ୍ତିନାମାରେ ଉଲ୍ଲେଖ କରିଛନ୍ତି । ଏହି  ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।