ନୂଆଦିଲ୍ଲୀ ୦୨/୧୨: ବେଦିରେ ବସି ବହାହେଲା କନିଆଁ । ଶାଶୂ ଘରକୁ ବିଦାକଲେ ପରିବାର ଲୋକେ। ହେଲେ ଶାଶୂ ଘରକୁ ଯିବାର ମାତ୍ର ୨୦ମିନିଟ୍ ପରେ ଘରୁ ବାହାରି ଆସିଲେ ନବବଧୂ। ଆଉ କହିଲେ, "ମୁଁ ଏଠାରେ ରହିବାକୁ ଚାହୁଁନାହିଁ। ମୋ ବାପଘରକୁ ଯାଉଛି।" ଏପରି କିଛି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଦେଓରିଆ ଜିଲ୍ଲାରେ।
ଦେଓରିଆ ଜିଲ୍ଲାର ଭଲୁଆନି ଅଞ୍ଚଳର ଜଣେ ଯୁବକ ନଭେମ୍ବର ୨୫ ତାରିଖରେ ବିବାହ କରିଥିଲେ। ନଭେମ୍ବର ୨୬ ତାରିଖ ଦିନ ତାଙ୍କ କନ୍ୟା ସହିତ ଘରକୁ ଫେରିଥିଲେ। କନ୍ୟା ଆସିବା ପରେ, ତାଙ୍କ ଶାଶୂ ଘରଲୋକେ ସମସ୍ତ ରୀତିନୀତି ପାଳନ କରିଥିଲେ। ତା'ପରେ କନ୍ୟା ତାଙ୍କ କୋଠରୀ ଭିତରକୁ ଯାଇଥିଲେ। କିନ୍ତୁ ମାତ୍ର ୨୦ ମିନିଟ୍ ପରେ, କନ୍ୟା କୋଠରୀରୁ ବାହାରକୁ ଆସି କହିଲେ ଯେ ସେ ଏହି ଘରେ ରହିବାକୁ ଚାହାଁନ୍ତି ନାହିଁ।
ପରିବାରର ସମସ୍ତେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସେ ମାନି ନଥିଲେ। ଶେଷରେ ବାଧ୍ୟ ହୋଇ ସେମାନେ ଗାଁ ଲୋକଙ୍କୁ ଡାକି ପଞ୍ଚାୟତ ବସାଇଲେ । ସେଠାକୁ କନ୍ୟାଙ୍କ ବାପା-ମାଆଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ। ସେଠାରେ ମଧ୍ୟ ସମସ୍ତେ ତାଙ୍କୁ ବୁଝାଇବାକୁ ଚେଷ୍ଟା କଲେ, କିନ୍ତୁ ସେ ନିଜ ଜିଦ୍ ରେ ଅଟଳ ରହିଲେ। କାରଣ ପଚାରିବାରୁ ତାଙ୍କ ଶାଶୂଘର ଲୋକଙ୍କ ବ୍ୟବହାର ଭଲ ନୁହେଁ ଏବଂ ସେ ଘର ତାଙ୍କ ଯୋଗ୍ୟ ନୁହେଁ ବୋଲି କହିଲେ। ପଞ୍ଚାୟତର ନିଷ୍ପତ୍ତି ପରେ, କନ୍ୟାର ଶାଶୂଘର ଲୋକ ତାଙ୍କୁ ତାଙ୍କ ବାପାଘରକୁ ପଠାଇ ଦେଲେ ଏବଂ ସମସ୍ତ ଯୌତୁକ ସାମଗ୍ରୀ ଫେରାଇ ଦେଇଥିଲେ। ବର୍ତ୍ତମାନ ଏହି ଘଟଣା ଚର୍ଚ୍ଚାର କେନ୍ଦ୍ର ପାଲଟିଛି।