କଟକ,୦୮/୦୪: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ଚଢ଼ଉ ଓ ତାଙ୍କ ଆକାଉଣ୍ଟ ଅଚଳ କରିଦିଆଯିବା ମାମଲାରେ କେସ୍ ଡାଏରୀ (ସିଡି) ଦାଖଲ ପାଇଁ ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ପୂର୍ବରୁ ସିବିଆଇ ପକ୍ଷରୁ ରିପୋର୍ଟ ଦାଖଲ ପରେ ଆବେଦନକାରୀଙ୍କ ପକ୍ଷରୁ ପ୍ରତିଜବାବ ଦାଖଲ କରାଯାଇଥିଲା । ତେବେ ଏହି ପ୍ରତିଜବାବ ଅଦାଲତଙ୍କ ରେକର୍ଡକୁ ଆସିନଥିବାରୁ ହାଇକୋର୍ଟ ମାମଲାର ଶୁଣାଣିକୁ ଆସନ୍ତା ମେ’୫ ତାରିଖକୁ ଧାର୍ଯ୍ୟ କରିଛନ୍ତି । ସେପର୍ଯ୍ୟନ୍ତ ବିଷ୍ଣୁପଦ ସେଠୀ ଏବଂ ତାଙ୍କ ପରିବାରକୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିବ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍.କେ. ପାଣିଗ୍ରାହୀ ନିର୍ଦ୍ଦେଶ ଦେଇଛନ୍ତି ।
ଏକ ବିଲ୍ ପାସ୍ ପାଇଁ ୧୦ ଲକ୍ଷ ଲାଞ୍ଚ କାରବାର ଅଭିଯୋଗରେ ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ୍ ଲିମିଟେଡ୍ର ଜେନେରାଲ ମ୍ୟାନେଜର୍ ଚଞ୍ଚଳ ମୁଖାର୍ଜୀ, ସନ୍ତୋଷ ମହାରଣା ଏବଂ ଅନ୍ୟମାନଙ୍କ ନାମରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଯଦିଓ ଏଫ୍ଆଇଆ୍ରରେ ଶ୍ରୀ ସେଠୀଙ୍କ ନାମ ନଥିଲା କିନ୍ତୁ ସିବିଆଇ ପକ୍ଷରୁ ତାଙ୍କ ଘରେ ଚଢ଼ଉ କରାଯିବା ସହ ବିଭିନ୍ନ ରେକର୍ଡପତ୍ର ଯାଞ୍ଚ୍ କରାଯାଇଛି ।
ସେହିପରି ଶ୍ରୀ ସେଠୀ ଏବଂ ପତ୍ନୀଙ୍କ ନାମରେ ଥିବା ଆକାଉଣ୍ଟ୍କୁ ସିବିଆଇ ପକ୍ଷରୁ ଅଚଳ କରି ଦିଆଯାଇଛି । ଏହାକୁ ବିରୋଧ କରି ଶ୍ରୀ ସେଠୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆକାଉଣ୍ଟ୍କୁ ସଚଳ କରିବା ସହ ସିବିଆଇର ବେଆଇନ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବା ପାଇଁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ହାଇକୋର୍ଟ ପୂର୍ବ ଶୁଣାଣିରେ ଶ୍ରୀ ସେଠୀଙ୍କ ବିରୋଧରେ ସିବିଆଇ କୌଣସି ପ୍ରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ ବୋଲି ଅନ୍ତରୀଣ ସୁରକ୍ଷା ଦେଇଥିଲେ । ଏଥିସହ ସିବିଆଇକୁ ଜବାବ ରଖିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦେବାଶିଷ ପଣ୍ଡା ମାମଲା ପରିଚାଳନା କରୁଛନ୍ତି ।