କଟକ,୦୮/୦୪: ଆଇଏଏସ୍‌  ବିଷ୍ଣୁପଦ ସେଠୀଙ୍କ ଘରେ ଚଢ଼ଉ ଓ ତାଙ୍କ ଆକାଉଣ୍ଟ ଅଚଳ କରିଦିଆଯିବା ମାମଲାରେ କେସ୍‌ ଡାଏରୀ (ସିଡି)  ଦାଖଲ ପାଇଁ ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।  ଏହି ମାମଲାରେ ପୂର୍ବରୁ ସିବିଆଇ ପକ୍ଷରୁ ରିପୋର୍ଟ ଦାଖଲ ପରେ ଆବେଦନକାରୀଙ୍କ ପକ୍ଷରୁ ପ୍ରତିଜବାବ  ଦାଖଲ କରାଯାଇଥିଲା । ତେବେ ଏହି  ପ୍ରତିଜବାବ ଅଦାଲତଙ୍କ ରେକର୍ଡକୁ  ଆସିନଥିବାରୁ ହାଇକୋର୍ଟ ମାମଲାର  ଶୁଣାଣିକୁ ଆସନ୍ତା ମେ’୫ ତାରିଖକୁ  ଧାର୍ଯ୍ୟ କରିଛନ୍ତି । ସେପର୍ଯ୍ୟନ୍ତ ବିଷ୍ଣୁପଦ  ସେଠୀ ଏବଂ ତାଙ୍କ ପରିବାରକୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷା  ବଳବତ୍ତର ରହିବ ହାଇକୋର୍ଟର  ବିଚାରପତି ଜଷ୍ଟିସ୍‌ ଏସ୍‌.କେ.  ପାଣିଗ୍ରାହୀ ନିର୍ଦ୍ଦେଶ ଦେଇଛନ୍ତି ।  

ଏକ ବିଲ୍‌ ପାସ୍‌ ପାଇଁ ୧୦ ଲକ୍ଷ ଲାଞ୍ଚ  କାରବାର ଅଭିଯୋଗରେ ବ୍ରିଜ୍‌ ଆଣ୍ଡ୍‌ ରୁଫ୍‌ କର୍ପୋରେସନ୍‌ ଲିମିଟେଡ୍‌ର  ଜେନେରାଲ ମ୍ୟାନେଜର୍‌ ଚଞ୍ଚଳ  ମୁଖାର୍ଜୀ, ସନ୍ତୋଷ ମହାରଣା ଏବଂ  ଅନ୍ୟମାନଙ୍କ ନାମରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଯଦିଓ  ଏଫ୍‌ଆଇଆ୍‌ରରେ ଶ୍ରୀ ସେଠୀଙ୍କ ନାମ  ନଥିଲା କିନ୍ତୁ ସିବିଆଇ ପକ୍ଷରୁ ତାଙ୍କ ଘରେ ଚଢ଼ଉ କରାଯିବା ସହ ବିଭିନ୍ନ  ରେକର୍ଡପତ୍ର ଯାଞ୍ଚ୍‌ କରାଯାଇଛି ।  

ସେହିପରି ଶ୍ରୀ ସେଠୀ ଏବଂ ପତ୍ନୀଙ୍କ  ନାମରେ ଥିବା ଆକାଉଣ୍ଟ୍‌କୁ ସିବିଆଇ ପକ୍ଷରୁ ଅଚଳ କରି ଦିଆଯାଇଛି । ଏହାକୁ ବିରୋଧ କରି ଶ୍ରୀ ସେଠୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆକାଉଣ୍ଟ୍‌କୁ ସଚଳ କରିବା ସହ ସିବିଆଇର ବେଆଇନ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଇବା ପାଇଁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ହାଇକୋର୍ଟ ପୂର୍ବ ଶୁଣାଣିରେ ଶ୍ରୀ ସେଠୀଙ୍କ ବିରୋଧରେ ସିବିଆଇ କୌଣସି ପ୍ରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ ବୋଲି  ଅନ୍ତରୀଣ ସୁରକ୍ଷା ଦେଇଥିଲେ । ଏଥିସହ  ସିବିଆଇକୁ ଜବାବ ରଖିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଆବେଦନକାରୀଙ୍କ ପକ୍ଷରୁ  ବରିଷ୍ଠ ଆଇନଜୀବୀ ଦେବାଶିଷ ପଣ୍ଡା  ମାମଲା ପରିଚାଳନା କରୁଛନ୍ତି ।