ନୂଆଦିଲ୍ଲୀ ୧୧/୦୮: ବ୍ରିଟେନ୍ର ଜଣେ ସାଂସଦ ନିକଟରେ ନିଜର ଏଆଇ ଭର୍ସନ୍ ଲଞ୍ଚ କରିଛନ୍ତି । ଲିଡ୍ସ ସାଉଥ୍ ୱେଷ୍ଟ ଓ ମୋରଲେ ଆସନରୁ ଲେବର ପାର୍ଟିର ସାଂସଦ ଥିବା ମାର୍କ ସିୱର୍ଡସ ନିଜର ଭର୍ଚୁଆଲ ଭର୍ସନକୁ ‘ଏଆଇ ମାର୍କ’ ନାମ ଦେଇଛନ୍ତି । ଏହି ଏଆଇ ଅବତାରକୁ ସେ ଏକ ଟେକ୍ ଷ୍ଟାର୍ଟଅପ୍ ‘ନ୍ୟୁରଲ୍ ଭଏସ୍’ ସହ ମିଶି ପ୍ରସ୍ତୁତ କରିଛନ୍ତି । ‘ଏଆଇ ମାର୍କ’ ତାଙ୍କର ସ୍ୱର ଓ ଚେହେରାକୁ ବ୍ୟବହାର କରିଥାଏ । ଏହା ମାଧ୍ୟମରେ ସେ ଲୋକମାନଙ୍କ ପ୍ରଶ୍ନର ଉତ୍ତର ଦେବା ସହ ଜରୁରି ସୂଚନା ସେୟାର କରୁଛନ୍ତି । ଏହି ଏଆଇ ଭର୍ସନ ତାଙ୍କୁ ନିଜ ସଂସଦୀୟ କ୍ଷେତ୍ରର ଜନତାଙ୍କ ସହ ଚବିଶ ଘଣ୍ଟା ଧରି ଯୋଡ଼ି ହୋଇ ରହିବାର ଅବସର ପ୍ରଦାନ କରୁଥିବା ସେ ଏକ୍ସରେ ପୋଷ୍ଟ କରିଛନ୍ତି ।
ମାର୍କଙ୍କ ଅନୁସାରେ, ସାଂସଦ ଓ ସ୍ଥାନୀୟ ବ୍ୟବସାୟୀ ଜେରିମି ସ୍ମିଥ୍ ଯେତେବେଳେ ଏଆଇ ଭର୍ସନ ପ୍ରସ୍ତୁତ କରିବା ବିଚାରଧାରା ତାଙ୍କ ସହ ସେୟାର କଲେ ସେ ଖୁବ୍ ଖୁସି ହୋଇଗଲେ । କାରଣ ବର୍ତ୍ତମାନ ବିଶ୍ୱରେ ଏଆଇ ବିପ୍ଳବ ଚାଲିଛି । ଏହାକୁ ଖୋଲା ହୃଦୟରେ ସ୍ୱାଗତ ନ କଲେ ପଛରେ ରହିଯିବାର ଆଶଙ୍କା ରହିଛି । ନୂଆ ଟେକ୍ନୋଲୋଜି ତାଙ୍କର ସ୍ଥାନ ନେବାକୁ ଯାଉନାହିଁ । ବରଂ ଏକ ଅତିରିକ୍ତ ଟୁଲ୍ ଭାବେ ବ୍ୟବହାର କରାଯିବ । ଲୋକଙ୍କୁ ଏହା ଯେକୌଣସି ସମୟରେ ତାଙ୍କ ସହ ଯୋଗାଯୋଗ କରିବାର ଏକ ବିକଳ୍ପ ପ୍ରଦାନ କରିବ ।
ଜନତା ନିଜର ଇଚ୍ଛା ମୁତାବକ ‘ଏଆଇ ମାର୍କ’ ସହ ଯୋଡ଼ି ହୋଇ ନିଜର ସମସ୍ୟା ଓ ପ୍ରଶ୍ନ ଉପରେ ଚର୍ଚ୍ଚା କରିପାରିବେ । ଆବଶ୍ୟକୀୟ ସହାୟତା ପାଇପାରିବେ । ତେବେ ମାର୍କଙ୍କର ଏହି ଏଆଇ ଭର୍ସନକୁ ଅନେକ ସମାଲୋଚନା କରାଯାଉଛି । କିଛି ଲୋକ ଦର୍ଶାଇଛନ୍ତି ଯେ, ପ୍ରାୟ ସମୟରେ ଏହା ସ୍ପଷ୍ଟ ଜବାବ ଦେଉନାହିଁ । ସ୍ଥାନୀୟ ଭାଷାକୁ ଠିକ୍ ଭାବେ ଉଚ୍ଚାରଣ କରିପାରୁନାହିଁ । ଲୋକଙ୍କର ସମସ୍ୟାକୁ ବି ସହଜରେ ବୁଝିପାରୁନାହିଁ । କେବଳ ସେତିକି ନୁହେଁ, ଗୁରୁତର ସମସ୍ୟା ପ୍ରସଙ୍ଗରେ ଏହାଦ୍ୱାରା କୌଣସି ସମାଧାନ ମିଳୁନି । ଅନ୍ୟପଟେ ଏହାକୁ ପ୍ରସ୍ତୁତ କରିଥିବା ଷ୍ଟାର୍ଟଅପ୍ ‘ନ୍ୟୁରଲ୍ ଭଏସ୍’ର ଡାଟା ପଲିସୀକୁ ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଛି । କମ୍ପାନିର ନୀତି ଅନୁସାରେ ଏହା ୟୁଜର୍ସମାନଙ୍କର ଡାଟାକୁ ଅନିଶ୍ଚିତ କାଳ ଲାଗି ସଂରକ୍ଷିତ ରଖିପାରିବ । ଏଭଳିସ୍ଥଳରେ ସେହି ଡାଟାକୁ ଭବିଷ୍ୟତରେ ଅପବ୍ୟବହାର କରାଯାଇପାରେ ବୋଲି ଅନେକ ଚିନ୍ତା ପ୍ରକଟ କରିଛନ୍ତି ।