ଲଣ୍ଡନ,୨୫/୦୧: ବ୍ରିଟେନର ଲିଭରପୁଲ ଠାରେ ଏକ ଡ୍ୟାନ୍ସ କ୍ଲାସରେ ବଳପୂର୍ବକ ପ୍ରବେଶ କରି ୩ ଜଣ  ଶିଶୁଙ୍କୁ ଛୁରି ଭୁସି ହତ୍ୟା କରିଥିବା ଜଣେ ଅଭିଯୁକ୍ତକୁ କୋର୍ଟ ୫୨ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଦୋଷୀ  ଅକ୍ସଲ ରୁଦାକୁବାନା (୧୮)  ବିରୋଧରେ ହତ୍ୟା ଓ ହତ୍ୟା ଉଦ୍ୟମ ସମେତ ମୋଟ ୧୦ଟି  ଧାରାରେ ବିଚାର କରାଯାଇଥିଲା ।  

ରାୟ ପ୍ରକାଶ କରିବା ବେଳେ  ବିଚାରପତି ଜୁଲିଅନ ଜୁଜ୍‌ ଏହାକୁ  ସର୍ବାଧିକ ଗମ୍ଭୀର ମାମଲା ବୋଲି  କହିଥିଲେ । ସେ କହିଥିଲେ ଅଭିଯୁକ୍ତ ଅକ୍ସଲ ଉକ୍ତ କ୍ଲାସରେ  ଶିଶୁଙ୍କ ଗଣହତ୍ୟା କରିବାକୁ ଚାହିଁଥିଲା । ତେଣୁ ଜେଲ୍‌ରେ  ୬ମାସ ସଜ୍ଜା କାଟି ସାରିଥିଲେ ମଧ୍ୟ ଦୋଷୀ ଅକ୍ସଲକୁ ୫୨  ବର୍ଷ ପର୍ଯ୍ୟନ୍ତ ଜେଲ୍‌ରେ ରହିବାକୁ ହେବ । ଗତବର୍ଷ ଜୁଲାଇ  ୨୯ରେ ଲିଭରପୁଲ ସାଉଥପୋର୍ଟରେ ଏହି ହତ୍ୟାକାଣ୍ଡ  ଘଟିଥିଲା । ଏଥିରେ ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା  ବେଳେ ଅନ୍ୟ ୧୨ ଜଣ ଆହତ ହୋଇଥିଲେ । ସମସ୍ତ  ମୃତାହତ ଶିଶୁଙ୍କ ବୟସ ୬ରୁ୯ ବର୍ଷ ମଧ୍ୟରେ ଥିଲା ।