ଭୁବନେଶ୍ୱର ୧୧/୦୪: ରାଜଧାନୀ ଭୁବନେଶ୍ବରରେ ପୁଣି ଏନ୍‌କାଉଣ୍ଟର୍। ବ୍ରାଉନସୁଗାର ବେପାରୀ ଶେଖ୍ ଜାମସେଦ୍‌କୁ ଏନ୍‌କାଉଣ୍ଟର୍ କଲା ସ୍ପେଶାଲ କ୍ରାଇମ୍ ୟୁନିଟ୍। ଶେଖ୍ ଜାମସେଦ୍‌ର ଗୋଡ଼ରେ ବାଜିଛି ଦୁଇଟି ଗୁଳି। ତାକୁ ତୁରନ୍ତ ଉଦ୍ଧାର କରାଯାଇ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି। ଜାମ୍‌ସେଦ୍ ନାଁରେ ବିଭିନ୍ନ ଥାନରେ ଏକାଧିକ ମାମଲା ରହିଛି।

ସୂଚନା ଅନୁଯାଇ, ବ୍ରାଉନ୍‌ ସୁଗାର ମାଫିଆ ଶେଖ୍ ଜାମସେଦ୍‌ ଖୋର୍ଦ୍ଧାରେ ବ୍ରାଉନ୍ ସୁଗାର ବିକ୍ରି ନେଇ କମିସନ୍‌ରେଟ୍ ପୋଲିସକୁ ଖବର ମିଳିଥିଲା। ଏହା ପରେ ଆକ୍ସନ୍ ମୋଡ଼କୁ ଆସିଥିଲେ ସ୍ପେଶାଲ କ୍ରାଇମ୍ ୟୁନିଟ୍‌ର ଏକ ଟିମ୍। ଯୋଜନା ମୁତାବିକ ଶେଖ ଜାମସେଦକୁ ଧରିବା ପାଇଁ ଜାଲ ବିଛାଇଥିଲା ପୋଲିସ। ଖଣ୍ଡଗିରି କୋଳଥିଆ ନିକଟରେ ଶେଖ ଜାମସେଦକୁ ଧରିବା ବେଳେ ପୋଲିସକୁ ଦେଖି ପାଲଟା ଗୁଳି ଚଳାଇଥିଲା। ଏହାପରେ ସ୍ପେଶାଲ କ୍ରାଇମ୍ ୟୁନିଟ୍ ଟିମ୍ ପାଲଟ ଜବାବରେ ଗୁଳିମାଡ଼ କରିଥିଲା। ଯେଉଁଥିରେ ଜାମ୍‌ସେଦ୍ ଗୋଡ଼ରେ ଦୁଇଟି ଗୁଳି ବାଜିଥିଲା। ତାକୁ ଉଦ୍ଧାର କରାଯାଇ ଭୁବନେଶ୍ବରର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାର ଚିକିତ୍ସା ଜାରି ରହିଛି। ଅନ୍ୟପଟେ ବାଇକ୍ ଏବଂ ବ୍ରାଉନ୍ ସୁଗାର ଜବତ କରି ପୋଲିସ ତଦନ୍ତ ଚଳାଇଛି।