ଜମ୍ମୁ: ସୀମା ସୁରକ୍ଷା ବଳ (BSF) ଜମ୍ମୁ ଓ କାଶ୍ମୀରର କାଠୁଆ ଜିଲ୍ଲାରେ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଛି। ଏବଂ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଗୁଳି କରି ଗିରଫ କରିଛି। ଏହି ଘଟଣା ଆନ୍ତର୍ଜାତୀୟ ସୀମାରେ ଘଟିଛି, ଯେଉଁଠାରେ BSF ଯବାନମାନେ ସନ୍ଦିଗ୍ଧ ଗତିବିଧି ଦେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।
BSF ସୂତ୍ରରୁ ଜଣାପଡିଛି ଯେ, ଅନୁପ୍ରବେଶକାରୀ ଜଣକ ରାତିରେ ସୀମା ଅତିକ୍ରମ କରିବାକୁ ଚେଷ୍ଟା କରୁଥିଲେ। BSF ଯବାନମାନେ ତାଙ୍କୁ ରୋକିବାକୁ ଚେତାବନୀ ଦେଇଥିଲେ। କିନ୍ତୁ ସେ ନ ଅଟକି ଆଗକୁ ବଢ଼ିବାକୁ ଚେଷ୍ଟା କରିଥିଲେ। ଫଳରେ, ସୁରକ୍ଷା ବଳ ବାଧ୍ୟ ହୋଇ ଗୁଳି ଚଳାଇଥିଲେ ଏବଂ ଅନୁପ୍ରବେଶକାରୀଙ୍କୁ ଗୁଳିବିଦ୍ଧ ଅବସ୍ଥାରେ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି। ଅନୁପ୍ରବେଶକାରୀଙ୍କ ପରିଚୟ ଓ ଉଦ୍ଦେଶ୍ୟ ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରହିଛି।
ଏହି ଘଟଣା ପରେ BSF ପାକିସ୍ତାନ ରେଞ୍ଜର୍ସ ସହ ଏକ ଫ୍ଲାଗ ମିଟିଂରେ ଘଟଣା ସମ୍ପର୍କରେ ତୀବ୍ର ପ୍ରତିବାଦ ଜଣାଇଛି। ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁପ୍ରବେଶ ରୋକିବା ପାଇଁ ଅଧିକ ସତର୍କତା ଅବଲମ୍ବନ କରାଯାଉଛି।
ଏହା ପୂର୍ବରୁ ମଧ୍ୟ ଜମ୍ମୁ ଓ କାଶ୍ମୀର ଏବଂ ପଞ୍ଜାବର ବିଭିନ୍ନ ସୀମାନ୍ତ ଅଞ୍ଚଳରେ BSF ଦ୍ୱାରା ଅନୁପ୍ରବେଶ ଉଦ୍ୟମକୁ ବିଫଳ କରାଯାଇଛି। ଏହି ଘଟଣା ଭାରତ-ପାକିସ୍ତାନ ସୀମାରେ ଚାଲିଥିବା ଉତ୍ତେଜନାକୁ ଆହୁରି ଅଧିକ କରିଛି।