ଭୁବନେଶ୍ୱର,୦୬/୦୯: ଏଣିକି ସମସ୍ତ ସରକାରୀ ଅଫିସରେ ବିଏସ୍ଏନ୍ଏଲ୍ ନେଟୱର୍କ ବ୍ୟବହାର କରାଯିବ । ଇଣ୍ଟରନେଟ, ବ୍ରଡବ୍ୟାଣ୍ଡ, ଲ୍ୟାଣ୍ଡଲାଇନ, ଲିଜ୍ ଲାଇନ ପାଇଁ କେବଳ ବିଏସ୍ଏନ୍ଏଲ୍ ନେଟୱର୍କ ସେବା ବ୍ୟବହାର କରିବାକୁ ସମସ୍ତ ସରକାରୀ ବିଭାଗକୁ ନିର୍ଦ୍ଦେଶ ଜାରି ହୋଇଛି । କେନ୍ଦ୍ର ସରକାରଙ୍କଠାରୁ ନିର୍ଦ୍ଦେଶ ପାଇବା ପରେ ଏ ସଂକ୍ରାନ୍ତରେ ରାଜ୍ୟ ଇଲୋକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ସବୁ ବିଭାଗକୁ ଚିଠି କରିଛି । ସମବାୟ ବିଭାଗ ସମେତ ବିଭିନ୍ନ ବିଭାଗ ଏହାକୁ ତତ୍କାଳ କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି ।
ବିଏସ୍ଏନଏଲ୍ ଓ ଏମ୍ଟିଏନ୍ଏଲ୍ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ସରକାରୀ ଉଦ୍ୟୋଗ ହୋଇଥିବାରୁ ଏହାର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଏଥିପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗର ଅଫିସରେ ବିଏସ୍ଏନଏଲ୍ ଓ ଏମ୍ଟିଏନ୍ଏଲ୍ ନେଟୱର୍କ ବ୍ୟବହାର ବାଧ୍ୟତାମୂଳକ କରିବାକୁ ସ୍ଥିର ହୋଇଛି । ସେହିପରି ବିଭିନ୍ନ ରାଜ୍ୟ ସରକାରଙ୍କୁ ମଧ୍ୟ ଏହାକୁ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଏ ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ କେନ୍ଦ୍ର ଟେଲିକମ୍ ମନ୍ତ୍ରଣାଳୟରୁ ଗତ ଏପ୍ରିଲରେ ଏକ ଚିଠି ଆସିଥିଲା । ଏହାକୁ ଆଧାର କରି ରାଜ୍ୟ ଇଲୋକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ବିଏସ୍ଏନ୍ଏଲ୍ ସେବାକୁ ସରକାରୀ ଅଫିସ କାମରେ ବ୍ୟବହାର କରିବାକୁ କୁହାଯାଇଛି । ଯେଉଁଠାରେ ଏହି ସେବା ଉପଲବ୍ଧ ସେଠାରେ ଶୀଘ୍ର ଆରମ୍ଭ କରିବା ଓ ପୂର୍ବରୁ ଯେଉଁ ନେଟୱର୍କ ଅପରେଟର ଏହି ସେବା ଯୋଗାଉଛି, ତାହାର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଠି ସମ୍ଭବପର ଶୀଘ୍ର ବିଏସ୍ଏନଲ୍ ସେବା କାର୍ଯ୍ୟକ୍ଷମ କରିବାକୁ ହେବ । ଏ ସଂକ୍ରାନ୍ତରେ ୩୦ ସେପ୍ଟେମ୍ବର ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ସମବାୟ ବିଭାଗ ତା’ ଅଧୀନସ୍ଥ ସମସ୍ତ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦେଇଛି ।