• ଲୋକସଭା ପରେ ରାଜ୍ୟସଭାରେ ରହିବେନି ଜଣେ ବି ବିଏସ୍‌ପି ସାଂସଦ
  • ୩୬ ବର୍ଷ ପରେ ପ୍ରଥମ
  • ୨୦୨୬ ରେ ସରିବ ରାମଜୀ ଗୌତମଙ୍କ କାର୍ଯ୍ୟକାଳ
  • ୨୦୨୪ ର ଲୋକସଭା ନିର୍ବାଚନରେ ଖାତା ଖୋଲି ପାରିନଥିଲା

ନୂଆଦିଲ୍ଲୀ,୨୩।୧୨: ବହୁଜନ ସମାଜବାଦୀ ପାର୍ଟି ରାଜନୈତିକ ଦଳ ଆଧାରରେ ଲଗାତାର ସଙ୍କୁଚିତ ହେବାରେ ଲାଗିଛି। ବିଧାନସଭାରୁ ନେଇ ସଂସଦ ପର୍ଯ୍ୟନ୍ତ ଧିରେ ଧିରେ ଦୁର୍ବଳ ହେଉଛି। ୟୁପି ବିଧାନସଭାରେ ବିଏସ୍‌ପିର କେବଳ ଜଣେ ବିଧାୟକ ରହିଛନ୍ତି, ସେଭଳି ବିଧାନ ପରିଷଦରେ କୌଣସି ସଦସ୍ୟ ମଧ୍ୟ ନାହାଁନ୍ତି। ସଂସଦରେ ଲୋକସଭା ପରେ ଏବେ ୨୦୨୬ ରେ ରାଜ୍ୟସଭାରେ ବିଏସପିର କୌଣସି ସାଂସଦ ମଧ୍ୟ ନାହାନ୍ତି। ଏଭଳି ଭାବରେ ବିଏସ୍‌ପିର ସ୍ବର ନଭେମ୍ବର ୨୦୨୬ ପରେ ସଂସଦରେ ଶୁଣିବାକୁ ମିଳିବନି।

ବିଏସ୍‌ପି ୨୦୨୪ ର ଲୋକସଭା ନିର୍ବାଚନରେ ଖାତା ଖୋଲି ପାରିନଥିଲା। ସଂସଦରେ ବିଏସ୍‌ପିର ଏକମାତ୍ର ସଦସ୍ୟ ରାମାଜୀ ଗୌତମ ରହିଛନ୍ତି। ଯିଏକି ରାଜ୍ୟସଭାରେ ଅଛନ୍ତି। ରାମଜୀ ଗୌତମଙ୍କ କାର୍ଯ୍ୟକାଳ ୨୦୨୬ ରେ ଶେଷ ହୋଇଯିବ। ଏହାପରେ ସଂସଦରେ ବିଏସ୍‌ପିର ଜଣେ ସଦସ୍ୟ ମଧ୍ୟ ରହିବେନି। ବିଏସପିର ରାଜନୈତିକ ଇତିହାସରେ ପ୍ରଥମ ଥର ହେବ, ସେତେବେଳେ ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ ବିଏସ୍‌ପିର ସଦସ୍ୟଙ୍କ ସଂଖ୍ୟା ଶୂନ ହେବ।

ଉତ୍ତର ପ୍ରଦେଶର ୧୦ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ନଭେମ୍ବର ୨୦୨୬ ରେ ଶେଷ ହୋଇଯିବ। ଏହି ୧୦ ରାଜ୍ୟସଭା ସାଂସଦଙ୍କ ଭିତରେ ବିଜେପିର ୮, ସପା ଓ ବିଏସ୍‌ପିର ଜଣେ ଲେଖାଏଁ ସଦସ୍ୟ ରହିଛନ୍ତି। ଯାହାଙ୍କର କାର୍ଯ୍ୟକାଳ ୨୫ ନଭେମ୍ବର ୨୦୨୬ ରେ ଶେଷ ହେବାକୁ ଯାଉଛି। ୨୦୨୬ ରେ ରିଟାୟର ହେବାକୁ ଥିବା ରାଜ୍ୟସଭା ସାଂସଦଙ୍କ ଭିତରେ ବିଜେପିରୁ ବୃଜଲାଲ, ସୀମା ଦ୍ବିବେଦୀ, ଚନ୍ଦ୍ରପ୍ରଭା ଓରଫ୍ ଗୀତା, ହରଦୀପ ସିଂହ ପୁରୀ, ଦିନେଶ ଶର୍ମା, ନୀରଜ ଶେଖର, ଅରୁଣ ସିଂହ ଓ ବିଏଲ୍ ବର୍ମାଙ୍କ ନାଁ ରହିଛି। ସପାରୁ ପ୍ରଫେସର ରାମଗୋପାଳ ଯାଦବ ଥିବା ବେଳେ ବିଏସ୍‌ପିରୁ ରାମଜୀ ଗୌତମ ରହିଛନ୍ତି।

ବିଏସ୍‌ପିର ରାଷ୍ଟ୍ରୀୟ କୋ-ଅର୍ଡିନେଟର ରାମଜୀ ଗୌତମ ବର୍ତ୍ତମାନ ବିଏସ୍‌ପିର ଏକମାତ୍ର ରାଜ୍ୟସଭା ସଦସ୍ୟ ରହିଛି। ଯିଏକି ୨୦୧୯ରେ ବିଜେପିର ସମର୍ଥନରୁ ସାଂସଦ ହୋଇଥିଲେ। ରାମଜୀ ଗୌତମ ୨୦୨୬ ଶେଷରେ ଅବସର ନେବାକୁ ଯାଉଛନ୍ତି। ତାଙ୍କର ୬ ବର୍ଷର କାର୍ଯ୍ୟକାଳ ମଧ୍ୟ ଶେଷ ହେବାକୁ ଯାଉଛି। ରାମଜୀ ଗୌତମଙ୍କ ରାଜ୍ୟସଭା ଟର୍ମ ପୁରା ହେବା ସହ ବିଏସ୍‌ପି ସାଂସଦଙ୍କ ସଂଖ୍ୟା ସଂସଦରେ ଜିରୋ ହୋଇଯିବ। ବିଏସ୍‌ପି ମଧ୍ୟ ଫେରିବାର କୌଣସି ପ୍ରକାର ସମ୍ଭାବନା ଦେଖିବାକୁ ମିଳୁନି।

ୟୁପି ବିଧାନସଭାର ବର୍ତ୍ତମାନର ସଂଖ୍ୟା ବିଷୟରେ ଯଦି କଥା ହେବା ତେବେ ବିଜେପି ପାଇଁ ୨୫୮, ସମାଜବାଦୀ ପାର୍ଟି ପାଇଁ ୧୦୩, ଅପନା ଦଳ ପାଇଁ ୧୩, ଆରଏଲଡିର ୯, ନିଷାଦ ପାର୍ଟି ୫, ଏସ୍‌ବିଏସ୍‌ପି ୬, କଂଗ୍ରେସ ୨, ଜନସତ୍ତା ଦଳ ଲୋକତାନ୍ତ୍ରିକ ୨, ବିଏସପି ୨ ଏବଂ ଏସପି ବିଦ୍ରୋହୀଙ୍କ ୩ ବିଧାୟକ ରହିଛନ୍ତି। ଅର୍ଥାତ ମୋଟ ୪୦୨ସଦସ୍ୟଙ୍କ ସଂଖ୍ୟା ପୂର୍ଣ୍ଣ ରହିଛି ଓ ଗୋଟିଏ ଆସନ ଖାଲି ରହିଛି। ଏହି ଆଧାରରେ, ଗୋଟିଏ ରାଜ୍ୟସଭା ଆସନ ପାଇଁ ୩୭ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଏହି ଗଣନା ଆଧାରରେ, ଏସପି ୨ ଓ ବିଜେପି ୮ଟି ରାଜ୍ୟସଭା ଆସନରେ ଜିତିପାରିବ।  ଅତୀତରେ ବିଏସ୍‌ପି ଉତ୍ତର ପ୍ରଦେଶର ସବୁଠାରୁ ମଜବୁତ ରାଜନୈତିକ ଦଳ ଥିଲା। ମାୟାବତୀ ୪ ଥର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି, କିନ୍ତୁ ବର୍ତ୍ତମାନ ସମୟରେ ବିଏସ୍ପି ପାଖରେ ୟୁପିରେ କେବଳ ଜଣେ ବିଧାୟକ ରହିଛନ୍ତି। ଏବେ ସାଢେ ୩ ଦଶକ ପରେ ରାଜ୍ୟସଭାରେ ଜଣେ ବି ବିଏସ୍ପି ସାଂସଦ ରହିବେନି।