ନୂଆଦିଲ୍ଲୀ ୨୦/୦୭: କୁହାଯାଏ ପାଠ ପଢ଼ିବାର କୌଣସି ବୟସ ନଥାଏ । ହରିୟାଣା ରେୱାଡ଼ି ଜିଲ୍ଲା ଭଡ଼ଙ୍ଗୀ ଗାଁର ୬୩ ବର୍ଷୀୟ ସୁଶୀଳା ଦେବୀ ଏହାର ଉଦାହରଣ । ଯେଉଁ ବୟସରେ ଲୋକେ ନାତି, ନାତୁଣୀଙ୍କ ଗହଣରେ ଜୀବନ ବିତାଇବା କଥା ଚିନ୍ତା କରନ୍ତି, ସେହି ବୟସରେ ସେ ନିଜ କାହାଣୀକୁ ନୂଆ କରି ଲେଖିଛନ୍ତି । ଚଳିତବର୍ଷ ସୁଶୀଳା ୭୯.୬ ପ୍ରତିଶତ ନମ୍ବର ରଖି ଦଶମ ଶ୍ରେଣୀ ପରୀକ୍ଷା ପାସ୍ କରିଛନ୍ତି । ଆଗକୁ ଗ୍ରାମ ପଞ୍ଚାୟତ ନିର୍ବାଚନ ଲଢ଼ି ସରପଞ୍ଚ ହେବାକୁ ତାଙ୍କର ଇଚ୍ଛା ରହିଥିବା ସେ ପ୍ରକାଶ କରିଛନ୍ତି ।

ପରିବାରର ଖରାପ ଆର୍ଥିକ ସ୍ଥିତି ଯୋଗୁ ପଞ୍ଚମ ଶ୍ରେଣୀରୁ ପଢ଼ା ଛାଡି଼ଥିଲେ ସୁଶୀଳା । ଏହାପରେ ବିବାହ, ୩ ସନ୍ତାନଙ୍କ ଜନ୍ମ, ପାରିବାରିକ ଦାୟିତ୍ୱ ତାଙ୍କୁ ଆଗକୁ ପାଠ ପଢ଼ିବାର ସୁଯୋଗ ଦେଇନଥିଲା । ପାଠ ପ୍ରତି ତାଙ୍କର ଆଗ୍ରହ କିନ୍ତୁ କମିନଥିଲା । ଆନୁଷ୍ଠାନିକ ଭାବେ ଶିକ୍ଷା ଲାଭ କରି ନପାରିଲେ ସୁଦ୍ଧା ସେ ଖବରକାଗଜ, ଟିଭି ମାଧ୍ୟମରେ ସାଂପ୍ରତିକ ଘଟଣାବଳୀ ସଂପର୍କରେ ଜ୍ଞାନ ଅର୍ଜନ କରିବାକୁ ଚେଷ୍ଟା ଜାରି ରଖିଥିଲେ । ତେବେ ପାଠପଢ଼ା ପ୍ରତି ତାଙ୍କର ତାଙ୍କର ଏଭଳି ମନୋଭାବକୁ ପୁଅ ବିଷ୍ଣୁ ଗମ୍ଭୀରତାର ସହ ନେଇଥିଲେ । ଏଥିସହ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଓପନ୍ ସ୍କୁଲିଂ(ଏନଆଇଓସ୍)ରେ ନାମ ଲେଖାଇ ଦେଇଥିଲେ । ଏହାପରେ ସୁଶୀଳା ଦଶମ ପରୀକ୍ଷା ଲାଗି ପ୍ରସ୍ତୁତି କରିଥିଲେ ।

ଆହୁରି ପଢ଼ନ୍ତୁ...Asteroid That Killed Dinosaurs: ଡାଇନୋସରଙ୍କୁ ବିଲୁପ୍ତ କରିଥିବା ବିରଳ ଉଲ୍କାପିଣ୍ଡ ଚିହ୍ନଟ, ପ୍ରାଚୀନ ମାଟିର ନମୂନା ପରୀକ୍ଷାରୁ ମିଳିଲା ପ୍ରମାଣ

ପ୍ରାଥମିକ ଭାବେ ଗଣିତ, ବିଜ୍ଞାନ ଏବଂ ଇଂରାଜୀ ଭଳି ପାଠ ତାଙ୍କୁ କଷ୍ଟକର ଲାଗିଥିଲା । କିନ୍ତୁ ସ୍ୱାମୀ, ପୁଅ, ନାତି, ନାତୁଣୀମାନେ ତାଙ୍କୁ ପାଠ ବୁଝିବାରେ ସହାୟତା କରିଥିଲେ । ପ୍ରତିଦିନ ସେ ଘରକାମ ସହ ୩-୪ ଘଣ୍ଟା ପଢୁଥିଲେ । ଶେଷରେ ଏପ୍ରିଲ ମାସରେ ଏନଆଇଓସ୍ ପକ୍ଷରୁ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ସୁଶୀଳାଙ୍କ ଗୋଡ଼ ଆଉ ତଳେ ଲାଗିଲା ନାହିଁ । ସେ ୭୯.୬ ପ୍ରତିଶତ ନମ୍ବର ରଖି ପାସ୍ କରିଥିଲେ । ଇଂରାଜୀରେ ତାଙ୍କର ୮୯, ବିଜ୍ଞାନରେ ୮୮, ଗଣିତରେ ୭୮, ଚିତ୍ରାଙ୍କନରେ ୭୬ ଏବଂ ହିନ୍ଦୀରେ ୬୭ ନମ୍ବର ରହିଥିଲା । ତାଙ୍କର ଏହି ସଫଳତା ଏବେ ପରିବାର ସହ ପୂରା ଗାଁ ପାଇଁ ଗର୍ବର ବିଷୟ ପାଲଟିଛି । ଆଗକୁ ସେ ପାଠପଢ଼ା ଜାରି ରଖିବାକୁ ସ୍ଥିର କରିଛନ୍ତି । ସେହିପରି ଗାଁର ଅନ୍ୟ ବୟସ୍କଙ୍କୁ ପାଠପଢ଼ା ପୁଣି ଥରେ ଆରମ୍ଭ କରିବାକୁ ପ୍ରେରିତ କରୁଛନ୍ତି ।..