ନୂଆଦିଲ୍ଲୀ,୧୯/୦୧: ବଜେଟ୍‌କୁ ଆଉ ମାତ୍ର ଦିନ କେଇଟା ରହିଲା । ତେଣୁ ବିଭିନ୍ନ ଶିଳ୍ପ ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିକଟରେ ନିଜ ନିଜର ଦାବି ଉପସ୍ଥାପନ କରାଯାଉଛି । ପ୍ରମୁଖ ଇଲେକ୍ଟ୍ରାନିକ୍‌ସ ଉପକରଣ ଉପରେ ମୂଳ ସୀମା ଶୁଳ୍କ ହ୍ରାସ କରିବା ପାଇଁ ଇଲେକ୍ଟ୍ରୋନିକ୍ସ ଶିଳ୍ପ ସଂଘ ଏମ୍ଏଆଇଟି ଦାବି କରିଛି ।

ଏହାସହିତ ଟିକସ ପ୍ରୋତ୍ସାହନ ବଢ଼ାଇବା ପାଇଁ ଦାବି ଉପସ୍ଥାପନ କରିଛି ଆଇଟି ଉତ୍ପାଦନକାରୀ ସଂଘ ଏମ୍ଏଆଇଟି । ସଂଘ ପକ୍ଷରୁ ଅର୍ଥ ଏବଂ ଆଇଟି ମନ୍ତ୍ରାଳୟ ନିକଟରେ ପ୍ରାକ୍-ବଜେଟ୍ ସୁପାରିସ ଦାଖଲ କରାଯାଇଛି । ପ୍ରମୁଖ ସବ୍- ଆସେମ୍ବ୍ଲଜ୍ ଯେପରି କ୍ୟାମେରା ମଡ୍ୟୁଲ୍, ଡିସ୍ପ୍ଲେ ଆସେମ୍ବ୍ଲିଜ୍ ଏବଂ କନେକ୍ଟର ଉପରେ ଆମଦାନି ଶୁଳ୍କକୁ ୧୦%ରୁ କମାଇ ୫% କରିବା ପାଇଁ ଦାବି କରାଯାଇଛି । ଉତ୍ପାଦନ ଖର୍ଚ୍ଚ କମାଇବା ସହ ପ୍ରତିଯୋଗିତା ବଢ଼ାଇବା ଉଦ୍ଦେଶ୍ୟରେ ଶିଳ୍ପ ସଂଘ ପକ୍ଷରୁ ଏହି ସୁପାରିସ ହୋଇଛି । ସାମ୍ପ୍ରତିକ ଜଟିଳ ଭୁ-ରାଜନୈତିକ ସ୍ଥିତି, ବାଣିଜ୍ୟ ଏବଂ ଟାରିଫ୍ ଅନିଶ୍ଚିତତା ମଧ୍ୟରେ ୨୦୨୬- ୨୭ ବଜେଟ୍ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି । ବିଶ୍ୱ ଯୋଗାଣ ଶୃଙ୍ଖଳରେ ବାଧା, ଭୁ-ରାଜନୈତିକ ସମସ୍ୟା ଏବଂ କଠୋର ବାଣିଜ୍ୟ ନୀତି ଆଦି ଶିଳ୍ପଜଗତକୁ ଚିନ୍ତିତ କରିଛି । ଏଭଳି ସ୍ଥିତିରେ ବଜେଟ୍ରେ ଏହାର ପ୍ରଭାବକୁ ପ୍ରତିହତ କରିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଠୋସ୍ ରଣନୀତି ଆଣିପାରନ୍ତି ବୋଲି ଅନୁମାନ ରହିଛି । ଆଇସିଟି ଗ୍ରହଣୀୟତା, ଏଆଇ ଇଣ୍ଟିଗ୍ରେଶନ୍, ମାର୍କେଟ୍ ଆକ୍ସେସ୍, ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗ, ଷ୍ଟାର୍ଟଅପ୍ ଓ ରପ୍ତାନି-କୈନ୍ଦ୍ରିକ ଏମ୍ଏସ୍ଏମ୍ଇଗୁଡ଼ିକ ପାଇଁ ପରିବର୍ଦ୍ଧିତ ଋଣ ଯୋଗାଣ ଆଦି ବ୍ୟବସ୍ଥା କରିବା ଲାଗି ଏମ୍ଏଆଇଟି ପକ୍ଷରୁ ଦାବି କରାଯାଇଛି ।