ନୂଆଦିଲ୍ଲୀ,୨୭।୧: କେନ୍ଦ୍ର ବଜେଟ୍ ୨୦୨୬-୨୭ ଆଗତ ହେବାକୁ ଆଉ ଗୋଟିଏ ସପ୍ତାହରୁ କମ୍ ସମୟ ରହିଛି। ସବୁଥର ଭଳି ଏଥର ମଧ୍ୟ ଧନୀଠାରୁ ନେଇ ଗରିବଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ନଜର ବଜେଟ୍ ଉପରେ ରହିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବେ, ଆଗାମୀ ମାସଗୁଡ଼ିକରେ ଭାରତର ଅର୍ଥନୀତି ପାଇଁ ସରକାରଙ୍କ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବେ।

୨୦୨୬ କେନ୍ଦ୍ରୀୟ ବଜେଟ୍ ପୂର୍ବରୁ, କରଦାତା ଏବଂ ଉଦ୍ୟୋଗପତି ସରକାରଙ୍କଠାରୁ ଅନେକ କିଛି ଆଶା ରଖିଛନ୍ତି। କେନ୍ଦ୍ର  ଅର୍ଥମନ୍ତ୍ରୀ ରବିବାର, ୧ ଫେବୃଆରୀରେ ତାଙ୍କର ବଜେଟ୍ ଭାଷଣ ଦେବେ। ଏହା ତାଙ୍କର ଲଗାତାର ନବମ କେନ୍ଦ୍ରୀୟ ବଜେଟ୍ ଭାଷଣ। ଯାହାକି ଭାରତ ପାଇଁ ଏକ ରେକର୍ଡ।

ବଜେଟ୍ ଆଗତ ହେବା ପୂର୍ବର କ’ଣ ରହିଛି ପକ୍ରିୟା ?

୨୮ ଜାନୁଆରୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହକୁ ମିଳିତ ଭାବରେ ଅଭିଭାଷଣ ଦେବା ସହିତ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ।

୨୯ ଜାନୁଆରୀ: ଲୋକସଭା ସଚିବାଳୟ ଦ୍ୱାରା ଜାରି କରାଯାଇଥିବା ପ୍ରୋଭିଜନାଲ କ୍ୟାଲେଣ୍ଡର ଅନୁଯାୟୀ, ଏହି ଦିନ ଗୃହ କାର୍ଯ୍ୟ ଆରମ୍ଭ ହେବ।

୨୯ ଜାନୁଆରୀ: ଏଫଏମ ସୀତାରମଣ ଏହି ଦିନ ସକାଳ ୧୧ଟାରେ ଇକୋନୋମିକ୍ ସର୍ଭେ ଉପସ୍ଥାପନ କରିବେ। ଅର୍ଥନୀତିର ଏକ ବ୍ୟାପକ ସ୍ଥିତି ଉପସ୍ଥାପନ କରୁଥିବା ଅର୍ଥନୈତିକ ସର୍ଭେ ବଜେଟର ଗୋଟିଏ ଦିନ ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପନ କରାଯାଏ।

୧ ଫେବୃଆରୀ: ନିର୍ମଳା ସୀତାରମଣ ଲୋକସଭାରେ ସକାଳ ୧୧ଟାରେ ୨୦୨୬ ବଜେଟ ଉପସ୍ଥାପନ କରିବେ।

୧୩ ଫେବୃଆରୀ: ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ।

୯ ମାର୍ଚ୍ଚ: ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଏହି ଦିନ ଆରମ୍ଭ ହେବ।

୨ ଏପ୍ରିଲ: ବଜେଟ ଅଧିବେଶନର ଶେଷ ଦିନ, ଯାହା ପରେ ଲୋକସଭା ଏବଂ ରାଜ୍ୟସଭା ଅନିର୍ଦ୍ଦିଷ୍ଟ ସମୟ ପାଇଁ ମୁଲତବୀ ରହିବ।

​​​​​​​

ଚଳିତ ବଜେଟର ପ୍ରମୁଖ ଦିଗ

୨୦୨୬ ର ବଜେଟ୍ ବିଭିନ୍ନ କ୍ଷେତ୍ରକୁ ଆବଣ୍ଟନ ମାଧ୍ୟମରେ ଭାରତର ଅଭିବୃଦ୍ଧିକୁ ଏକ ଐତିହାସିକ ସ୍ଥାନରେ ପହଞ୍ଚାଇବା ଉପରେ ଧ୍ୟାନ ଦେବ। ଏହି ବର୍ଷ ରେଳବାଇ, ଭିତ୍ତିଭୂମି, ସହରାଞ୍ଚଳ ବିକାଶ, ମାନୁଫାକଚରିଂ, ଅଟୋ, ପ୍ରତିରକ୍ଷା, ଇଲେକ୍ଟ୍ରୋନିକ୍ସ, ଏମଏସଏମଇ, ନବୀକରଣୀୟ ଶକ୍ତି ଏବଂ ଏଆଇ ଅନ୍ତର୍ଭୁକ୍ତ ରହିଛି। ଏହା ସହ ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ, କୃଷି ଏବଂ ଲଜିଷ୍ଟିକ୍ସ ଭଳି ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକୁ ମଧ୍ୟ ସରକାରଙ୍କ ପକ୍ଷରୁ ଲାଭ ମିଳିବାର ସମ୍ଭାବନା ଅଛି।

ଗତ ବର୍ଷ ବଜେଟ୍ ୨୦୨୫ରେ, ଅର୍ଥମନ୍ତ୍ରୀ ସୀତାରମଣ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆୟକର ହ୍ରାସ କରି ଭାରତୀୟ କରଦାତାଙ୍କୁ ଏକ ମେଗା ପ୍ରୋତ୍ସାହନ ଦେଇଥିଲେ, ଯାହା ଲକ୍ଷ ଲକ୍ଷ ମଧ୍ୟବିତ୍ତ ଶ୍ରେଣୀର କରଦାତାଙ୍କୁ ଲାଭ ଦେଇଥିଲା। ୧ ଏପ୍ରିଲ୍ ୨୦୨୬ରୁ ଲାଗୁ ହେବାକୁ ଥିବା ନୂଆ ଏବଂ ସରଳ ଆୟକର ଆଇନ ୨୦୨୫ ସମ୍ପର୍କରେ ସ୍ପଷ୍ଟ ନିୟମ ଓ ମାର୍ଗଦର୍ଶନ ମଧ୍ୟ ଚଳିତ ବଜେଟରେ ଘୋଷଣା ହୋଇପାରେ।

ଆହୁରି ପଢନ୍ତୁ : ମହାକାଳେଶ୍ୱର ମନ୍ଦିରରେ ଭିଆଇପି ଦର୍ଶନ ଉପରେ ରୋକ ମାମଲା: ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ, ଦେଲେ କଡ୍ଡା ଟିପ୍ପଣୀ