ବୁର୍ଲା,୨୬/୦୬: ଭଙ୍ଗା ଦଦରା କୋଠା  ତଳେ ଚାଲିଥିବା ସମ୍ବଲପୁର ଜିଲ୍ଲାର ସବୁଠାରୁ  ଗୁରୁତ୍ୱ ବହନ କରୁଥିବା ବୁର୍ଲା ଥାନା ଆଉ  କିଛିଦିନ ମଧ୍ୟରେ ନୂତନ କୋଠାକୁ ସ୍ଥାନାନ୍ତର  ହେବ । ୩ କୋଟି ୪୫ ଲକ୍ଷ ବ୍ୟୟରେ ନିର୍ମାଣ  ହୋଇଥିବା ଏହି ନୂତନ କୋଠା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଆସନ୍ତା ମାସ ପ୍ରଥମ ସପ୍ତାହ ଆଡକୁ ଏହି ନୂତନ କୋଠା  ଉଦ୍‌ଘାଟନ ହେବ ବୋଲି ଜଣାପଡିଛି । ଏହି କୋଠା ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ ବୋଲି  ପୁଲିସ ବିଭାଗର କିଛି ବରିଷ୍ଠ ଅଧିକାରୀଙ୍କ  ମଧ୍ୟରେ ଆଲୋଚନା ହେଉଥିବା ବେଳେ  କିଏ ଉଦ୍‌ଘାଟନ କରିବେ ତାହା ସ୍ୱଷ୍ଟ ସୂଚନା  ମିଳିପାରିନାହିଁ ।    

ହୀରାକୁଦ ଡ୍ୟାମ୍‌ ନିର୍ମାଣ ସମୟରୁ  ସୁରକ୍ଷା ଦୃଷ୍ଟି କୋଣରୁ ବୁର୍ଲା ସହରରେ ଥାନା ପ୍ରତିଷ୍ଠା ହୋଇଥିଲା । କିନ୍ତୁ ଥାନା  ପାଇଁ ନିଜସ୍ୱ କୋଠା ନଥିବା ବେଳେ ଡ୍ୟାମ୍‌  ଡିଭିଜନର ଏକ କୋଠାରେ ଥାନା ସ୍ଥାପନ  ହୋଇଥିଲା । ସେହିଦିନ ଠାରୁ ସେହି  କୋଠାରେ ଆଜି ପର୍ଯ୍ୟନ୍ତ ବୁର୍ଲା ଥାନା ଚାଲିଛି ।  ଏହି କୋଠାଟି ପୁରୁଣା ହୋଇଥିବା ବେଳେ  ଭଙ୍ଗା ଦଦରା କୋଠାରେ କାର୍ଯ୍ୟ କରୁଛନ୍ତି  ପୁଲିସ କର୍ମଚାରୀ । ପୂର୍ବରୁ ଏହି ଥାନା କୋଠା  ଦୁର୍ବଳ ଯୋଗୁଁ ଅନେକ ସମୟରେ ଛାତରୁ  ସିଲିଙ୍ଗ ଖସିବା ନଜିର ରହିଛି । ଅଳ୍ପକେ  ବିପଦରୁ ବର୍ତ୍ତିଯାଇଥିଲେ ପୁଲିସ କର୍ମଚାରୀ । ଏପରିକି ଥାନାରେ ହାଜତ ନ ଥିବାରୁ ପୁଲିସ  ଅଫିସର୍ସ ମାନେ ଯେଉଁଠାରେ କାର୍ଯ୍ୟ କରନ୍ତି  ସେହି ଅଫିସ୍‌ କୋଠାରେ ଅପରାଧୀଙ୍କୁ  ରଖାଯାଇଥାଏ । ଏଭଳି ଅନେକ ସମସ୍ୟା  ଦେଇ ଗତିକରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ଥାନାର ଶୋଚନୀୟ ଅବସ୍ଥାକୁ ନେଇ ବିଭିନ୍ନ ସମୟରେ  ପ୍ରଶ୍ନବାଚୀ ସୃଷ୍ଟି ହେଉଥିଲା । ପୂର୍ବ ସରକାରଙ୍କ  ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ନୂତନ  ଥାନା ନିର୍ମାଣ କରାଯାଇଥିଲେ ମଧ୍ୟ ବୁର୍ଲା  ଥାନାକୁ ଗୁରୁତ୍ୱ ଦିଆଯାଇ ନଥିଲା । ତେବେ  ନୂତନ ସରକାର ଆସିବା ପରେ ବୁର୍ଲା ଥାନାକୁ  ଏକ ଅତ୍ୟାଧୁନିକ ଥାନାରେ ପରିଣତ କରିବା  ପାଇଁ ପଦକ୍ଷେପ ନେଇଥିବା ଜଣାପଡିଛି ।  

ବୁର୍ଲା ସହରର ପ୍ଲାନେଟୋରିୟମ୍‌ ଛକ  ନିକଟରେ ଥିବା ସରକାରୀ ଜମିକୁ ବୁର୍ଲା ଥାନା  ନାମରେ କରାଇ ଏକ ନୂତନ କୋଠା ନିର୍ମାଣ କରାଯାଉଛି । ରାଜ୍ୟ ସରକାର ଏହି ନୂତନ  ଥାନା ନିର୍ମାଣ ପାଇଁ ୩ କୋଟି ୪୫ ଲକ୍ଷ ୩୯  ହଜାର ୭୦୪ ଟଙ୍କା ବ୍ୟୟ ବରାଦ କରିଛନ୍ତି । ତିନି ମହଲାକୁ ମିଶାଇ ଚାରିମହଲା ବିଶିଷ୍ଟ  ଏହି ନୂତନ କୋଠାରେ ସମସ୍ତ ପ୍ରକାର ସୁବିଧା  ସୁଯୋଗ ରହିବ ବୋଲି କୁହାଯାଉଛି । ଅଫିସର୍ସ ଏବଂ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟାଳୟ  କୋଠାରୀ ରହିବାର ବ୍ୟବସ୍ଥା କରାଯାଇଛି ।  ବର୍ତ୍ତମାନ ଚାଲୁଥିବା ଏହି ପୁରୁଣା କୋଠାରେ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ବ୍ୟବସ୍ଥା  ମଧ୍ୟ ନଥିବା ବେଳେ ନୂତନ କୋଠାରେ  ସବୁ ପ୍ରକାର ବ୍ୟବସ୍ଥା ଯାହା ଗୋଟିଏ ଥାନା  ପାଇଁ ଆବଶ୍ୟକ ସେହି ସବୁ ବ୍ୟବସ୍ଥା  ରହିବ ବୋଲି କୁହାଯାଉଛି ।

 ସୂଚନା ଥାଉ କି  ବୁର୍ଲା ଥାନା ଅଧିନରେ ମୁଖ୍ୟତଃ ହୀରାକୁଦ  ଜଳଭଣ୍ଡାର, ଓଏଚ୍‌ପିସି, ଭିମ୍‌ସାର୍‌, ଭିସୁଟ୍‌,  ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଆଇଆଇଏମ୍‌,  କୃଷି ମହାବିଦ୍ୟାଳୟ ସମେତ ଅନେକ ବଡ଼  ବଡ଼ ପ୍ରତିଷ୍ଠାନ ଏବଂ କଳକାରଖାନାର ସୁରକ୍ଷା  ବ୍ୟବସ୍ଥା ନିର୍ଭର କରେ । ବୁର୍ଲା ଥାନା ଅଧିନରେ  ଚାରୋଟି ପୁଲିସ ଫାଣ୍ଡି ରହିଛି । ତେବେ  ଏତେବଡ଼ ଗୁରୁଦାୟିତ୍ୱ ରହିଥିବା ବୁର୍ଲା ଥାନା  ଆଗକୁ ନବକଳେବର ହେବାକୁ ଯାଉଛି ।