ମାଲକାନଗିରି, ୦୨/୦୬: ମାଲକାନଗିରି ବିଜାଘାଟିରେ ଦୁର୍ଘଟଣା । ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍ । ଏହି ଦୁର୍ଘଟଣାରେ ୧୬ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି ।
ସୂଚନା ମତାବକ, ଏକ ଘରୋଇ ବସ୍ ହାଇଦ୍ରାବାଦରୁ ଭବାନୀପାଟଣା ଯାଉଥିଲା । ଉକ୍ତ ବସ୍ରେ ୫୦ ଜଣ ଯାତ୍ରୀ ଓ କର୍ମଚାରୀ ଯାତ୍ରା କରୁଥିଲେ ।ଭବାନୀପାଟଣା ଯାଉଥିବା ବେଳେ ସୋମବାର ସକାଳେ ମାଲକାନଗିରି ବିଜାଘାଟିରେ ବସ୍ ଦୁର୍ଘଟଣା ଘଟିଥିଲା । ଫଳରେ ବସ୍ଟି ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ୧୬ ଜଣ ଆହତ ହୋଇଥିବା ଜଣାପଡିଛି। ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ମାଲକାନଗିରି ଥାନା ଆଇଆଇସି ରିଗନ କିଣ୍ଡୋଙ୍କ ନେତୃତ୍ୱରେ ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ରହି ତଦନ୍ତ ଚଳାଇଛି ।