ଭୁବନେଶ୍ୱର, ୦୨/୦୬: ମୋବାଇଲ ଓ ଗାଡ଼ି ମିଟର ଦେଖାଉଛି ୧୦୦ ଟଙ୍କା, କିନ୍ତୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ଡ୍ରାଇଭର ମାଗୁଛି ୧୫୦ ଟଙ୍କା । ନ ଦେଲେ ପଛେ ପଛେ ଗୋଡ଼ାଉଛି । ତେଣୁ ଲୋକ ଲଜ୍ୟାକୁ ଡରି ଯାତ୍ରୀମାନେ ଡ୍ରାଇଭରର ଦାବି ଅନୁଯାୟୀ ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି । ଓଲା, ଉବେର ଟ୍ୟାକ୍ସି କମ୍ପାନିର କାର ଓ ଅଟୋ ଡ୍ରାଇଭରଙ୍କ ଏଭଳି ମନଇଛା ଭଡ଼ା ଆଦାୟକୁ ନେଇ ଜନଅସନ୍ତୋଷ ପ୍ରକାଶ ପାଇଛି ।
ଓଲା, ଉବେରରେ ଅଟୋ ଓ କାର ବୁକ୍ କଲେ ସେଥିରେ ଗନ୍ତବ୍ୟ ସ୍ଥାନର ଦୂରତା ଅନୁଯାୟୀ ଯାତ୍ରୀଙ୍କ ନିକଟକୁ ଭଡ଼ା ଟଙ୍କାର ତଥ୍ୟ ଆସିଥାଏ । ତେଣୁ ଯାତ୍ରୀ ବୁକ୍ କରିସାରିଲା ପରେ ସେପଟୁ ଡ୍ରାଇଭର ଯାତ୍ରୀଙ୍କ ମୋବାଇଲକୁ କଲ କରେ । ସେ ପଚାରେ ଆଜ୍ଞା କେଉଁଠିକି ଯିବେ, ଆପଣଙ୍କ ମୋବାଇଲରେ କେତେ ଟଙ୍କା ଦେଖାଉଛି । ଯାତ୍ରୀ ଟଙ୍କା କଥା ଡ୍ରାଇଭରକୁ ଜଣାଇଲା ପରେ ଡ୍ରାଇଭର ସେପଟୁ ଉତ୍ତର ଦେବ ଆଜ୍ଞା ଏତିକିରେ ହେବନି । ତା’ଠାରୁ ଆହୁରି ୫୦%ପ୍ରତିଶିତ ଅଧିକ ଭଡ଼ା ଦାବି କରେ । ଯାତ୍ରୀ ରାଜି ନ ହେଲେ ଡ୍ରାଇଭର ସେପଟୁ କହେ ଆପଣ ବୁକ୍ କ୍ୟାନସେଲ କରି ଦିଅନ୍ତୁ । ଯାତ୍ରୀ ଯେତେଥର ଓଲା, ଉବେରରେ ଥିବା କାର ଓ ଅଟୋକୁ ବୁକ୍ କଲେ ମଧ୍ୟ ସବୁ ଡ୍ରାଇଭରଙ୍କଠାରୁ ଏହି ସମାନ ଉତ୍ତର ମିଳିବ । ତେଣୁ ବାଧ୍ୟହୋଇ ଯାତ୍ରୀମାନେ ଅଧିକ ଟଙ୍କା ଦେଇ ଯିବା ଆସିବା କରୁଛନ୍ତି । ଦୀର୍ଘଦିନ ହେବ ଓଲା, ଉବେର ଡ୍ରାଇଭରଙ୍କ ଏହି ଜୁଲମ ଚାଲିଛି । ରାଜ୍ୟ ପରିବହନ ବିଭାଗକୁ ଲୋକେ ଅଭିଯୋଗ କରୁଛନ୍ତି, କିନ୍ତୁ ଓଲା, ଉବେର ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି । ଫଳରେ ଯାତ୍ରୀମାନଙ୍କ ଉପରେ ଭଡ଼ା ଜୁଲମ ଦିନକୁ ଦିନ ବଢ଼ି ଚାଲିଛି ।
ବଡ଼ଗଡ଼ ବ୍ରିଟ କଲୋନୀର ଅମରଜିତ ମହାପାତ୍ର କହିଛନ୍ତି, ମୁଁ ରାଜମହଲ ଛକ ନିକଟରେ ଓଲା ଅଟୋ ବୁକ୍ କଲି । ମୋର ଗନ୍ତବ୍ୟ ସ୍ଥଳ ବଡ଼ଗଡ଼ ବ୍ରିଟ୍ କଲୋନୀ ବୋଲି ଲେଖିଲି । କିଛି ସମୟରେ ଓଲାର ଅଟୋ ଡ୍ରାଇଭର ମୋତେ ଫୋନ କରି କହିଲେ ଭଡା ଦର କେତେ ଦେଖାଉଛି । ମୁଁ କହିଲି ୭୯ ଟଙ୍କା । ଡ୍ରାଇଭର ମୋତେ କହିଲେ ସେତିକିରେ ଯାଇହେବ ନାହିଁ । ଆଉ ୫୦ ଟଙ୍କା ଅଧିକ ଲାଗିବ । କାହିଁକି ଅଧିକ ଟଙ୍କା ଦେବି ବୋଲି ପଚାରିବାରେ ଡ୍ରାଇଭର କହିଲେ ସେ ପଟୁ ଫେରିବା ଭଡ଼ା ମିଳିବ ନାହିଁ । ତେଣୁ ଆପଣ ଫେରିବା ତେଲ ଖର୍ଚ୍ଚ ଦେବାକୁ ପଡ଼ିବ । ରାତି ୧୦ଟା ହୋଇଯାଇଥିବାରୁ ମୁଁ ବାଧ୍ୟହୋଇ ଅଧିକ ଡ଼ା ଦେଇ ଘରେ ପହଞ୍ଚିଲି ।
ସେହିଭଳି ବଡ଼ଗଡ ଗ୍ରାମ ବାସିନ୍ଦ ବାପି ବେଉରା କହିଛନ୍ତି ଯେ, ଓଲା, ଉବେରଙ୍କ ଏଭଳି ଏକଚାଟିଆ ବେପାର ଉପରେ ରାଜ୍ୟ ପରିବହନ ବିଭାଗ ଅଙ୍କୁଶ ଲଗାଉ । ରାତିରେ ଯାତ୍ରୀମାନଙ୍କଠାରୁ ଏଭଳି ଉପାୟରେ ଉଭୟ କମ୍ପାନି ଦୈନିକ ଲକ୍ଷ ଲକ୍ଷ ଟଙ୍କା ନେଇ ଯାଉଛନ୍ତି । ଯଦି କମ୍ପାନି ଏଥିରେ ସମ୍ପୃକ୍ତ ନାହିଁ, ତେବେ ଯେତେ ଅଭି ଯୋଗ କଲେ ବି ଏଭଳି ଅଟୋ ଓ କାର ଡ୍ରାଇଭରମାନଙ୍କୁ ସଂସ୍ଥା ବାହାର କରୁନି କାହିଁକି । ଯଦି ଆମ କଥା ମିଛ ତେବେ ଓଲା, ଉବେର ଓ ରାଜ୍ୟ ପରିବହନ ବିଭାଗର କର୍ମଚାରୀମାନେ ଯାତ୍ରୀ ହୋଇ ରାତି ୧୦ଟାରେ ଯାତ୍ରା କଲେ ବାସ୍ତବ ଚିତ୍ର କ’ଣ ଜାଣି ପାରିବେ ।