ଭୁବନେଶ୍ୱର, ୨୦/୧୨: କ୍ୟାପିଟାଲ ହସ୍ପିଟାଲ-ପିଜିଆଇଏମ୍ଇଆର୍ରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପାଥୋଲ୍ୟାବ୍ରେ କମ୍ପ୍ଲିଟ୍ ବ୍ଲଡ୍ କାଉଣ୍ଟ (ସିବିସି) ମେସିନ୍ କିଣା ହୋଇଥିଲା । ମେସିନ୍ ଖରାପ ହେଲେ କମ୍ପାନି କର୍ତ୍ତୃପକ୍ଷ ମରାମତି ପାଇଁ ଗ୍ୟାରେଣ୍ଟି ମଧ୍ୟ ଦେଇଥିଲେ । ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ମେସିନ୍ ସୁରକ୍ଷା ଦିଗରେ ଅବହେଳା କରିଛନ୍ତି । ଫଳରେ ସିବିସି ମେସିନକୁ ମୂଷା କାଟି ଦେଇଛନ୍ତି । ମେସିନ୍ ସପ୍ତାହେ ହେଲାଣି ଅଚଳ ହୋଇ ପଡ଼ିଛି । ହସ୍ପିଟାଲ କର୍ତ୍ତୃପକ୍ଷ ମେସିନ୍ ମରାମତି କରିବା ଲାଗି ଅନୁରୋଧ କରିଥିଲେ । କିନ୍ତୁ କମ୍ପାନି କର୍ତ୍ତୃପକ୍ଷ ସିଧାସଳଖ ଚରମବାଣୀ ଶୁଣାଇଛନ୍ତି । ଆଗ ମୂଷା ଜଗ, ତା’ପରେ ମେସିନ୍ ମରାମତି କରାଯିବ । ମୂଷା ମାରିବା ପାଇଁ ଏକ କାଚ ଘର ନିର୍ମାଣ ପାଇଁ କମ୍ପାନି କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି । ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ କାଚ ଘର ନିର୍ମାଣ କରିଛନ୍ତି । ଖୁବ୍ଶୀଘ୍ର ମେସିନ୍ ସଜଡ଼ା ଯିବ ବୋଲି ସୂଚନା ମିଳିଛି ।
ହସ୍ପିଟାଲ ପାଥୋଲ୍ୟାବ୍ରେ ୨ଟି ସିବିସି ମେସିନ୍ ରହିଛି । ଗୋଟିଏ ମେସିନ୍ ଜରୁରିକାଳୀନ ଅସ୍ତ୍ରୋପଚାର କ୍ଷେତ୍ରରେ ନିୟୋଜିତ ହୋଇଛି । ଅନ୍ୟଟି ଓପିଡ଼ି ସେବା କ୍ଷେତ୍ରରେ ବ୍ୟବହାର କରାଯାଉଛି । ହେଲେ ଏହି ସିବିସି ମେସିନ୍ ଖରାପ ହୋଇଛି । ଯାହା ଫଳରେ ଏବେ ରୋଗୀ ନିରାଶ ହୋଇ ଫେରି ଯାଉଛନ୍ତି । ରୋଗୀ ଅନ୍ୟ ସବୁ ପରୀକ୍ଷା ଏଠାରେ କରୁଥିବା ବେଳେ ସିବିସି ପରୀକ୍ଷା ଘରୋଇ ଲ୍ୟାବ୍ରେ କରିବାକୁ ପଡ଼ୁଛି । ଫଳରେ ରୋଗୀ ହସ୍ପିଟାଲକୁ ବାରମ୍ବାର ଧାଇଁବାକୁ ପଡ଼ୁଛି । ସାଧାରଣତଃ ଏହି ମେସିନ୍ ଦ୍ୱାରା ରୋହିତ ରକ୍ତ କଣିକା, ଶ୍ୱେତ ରକ୍ତ କଣିକା, ପ୍ଲେଟଲେଟ୍, ହିମୋଗ୍ଲୋବିନ୍, ଆନିମିଆ ଓ ରକ୍ତ ସଂକ୍ରମଣ ଆଦି ବହୁ ପରୀକ୍ଷା କରାଯାଇଥାଏ । ଏହି ସବୁ ପରୀକ୍ଷାରୁ ରୋଗୀ ବଞ୍ଚିତ ହେଉଛନ୍ତି । ଯାହାଫଳରେ ରୋଗୀଙ୍କ ସବୁ ପ୍ରକାର ରିପୋର୍ଟ ଡାକ୍ତରଙ୍କ ପାଖରେ ପହଞ୍ଚିପାରୁନି । ରୋଗୀ ଅଧା ଚିକିତ୍ସା ପାଇ କଲବଲ ହେଉଛନ୍ତି ।
ପିପିଲ ନରସିଂହପୁରରୁ ଆସିଥିବା ନବଘନ ମିଶ୍ର କହିଛନ୍ତି, ବାପାଙ୍କୁ ନେଇ ହସ୍ପିଟାଲ ଆସିଥିଲି । ଡାକ୍ତର ସିବିସି ପରୀକ୍ଷା ପାଇଁ ଲେଖିଛନ୍ତି । ହେଲେ ଏଠି ମେସିନ୍ ଖରାପ । ଭାବିଥିଲି ଦିନ ୩ଟା ପରେ ରିପୋର୍ଟ ନେଇ ଡାକ୍ତରଙ୍କୁ ଦେଖାଇ ଗାଁକୁ ଫେରିଯିବି । ହେଲେ ମେସିନ୍ ଖରାପ କ’ଣ କରିବୁ ବୁଦ୍ଧିବାଟ ଦେଖାଯାଉନି । ଖୋର୍ଦ୍ଧାରୁ ନଟବର ସ୍ୱାଇଁ ମଧ୍ୟ ସେହି ଏକା କଥା କହିଛନ୍ତି । ଦୂରରୁ ଆସୁଥିବା ରୋଗୀଙ୍କ ପାଇଁ ଜରୁରିକାଳୀନ ଭିତ୍ତିରେ ମେସିନରେ ପରୀକ୍ଷା ଲାଗି ଅନୁରୋଧ କରିଛନ୍ତି ।