ଭୁବନେଶ୍ୱର,୧୭/୧୧: ବିହାର ବନ୍ଧୁକ ବେପାରୀଙ୍କଠାରୁ କାର୍ବାଇନ୍ ଓ ୫ ପିସ୍ତଲ ଜବତ ଘଟଣାରେ କମିଶନରେଟ ପୁଲିସ୍ର ସ୍ପେଶାଲ କ୍ରାଇମ୍ ୟୁନିଟ୍ (ଏସସିୟୁ) ତଦନ୍ତକୁ ଆଗେଇଛି । ୨ ପେସାଦାର ବନ୍ଧୁକ ବେପାରୀଙ୍କ ଅପରାଧିକ ରେକର୍ଡ ଜାଣିବାକୁ ବିହାର ପୁଲିସ ସହ ଯୋଗାଯୋଗ କରିଛି । ଆଜି୨ ଅଭିଯୁକ୍ତଙ୍କୁ ୫ ଦିନରେ ରିମାଣ୍ଡରେ ନେବାକୁ ଏସ୍ସିୟୁ ଅଦାଲତରେ ଆବେଦନ କରିବ ।
ପ୍ରାଥମିକ ସ୍ତରରେ ୨ ଅଭିଯୁକ୍ତ ଦିବ୍ୟାଂଶୁ କୁମାର ଓ ଚନ୍ଦନ କୁମାର ପୁଲିସକୁ ସୂଚନା ଦେଇଛନ୍ତି ଯେ, ସେମାନେ ଗତ ୪ ମାସ ଧରି ଓଡ଼ିଶାରେ ବନ୍ଧୁକ ବେପାର ଜାଲ ବିଛାଇଥିଲେ । କିନ୍ତୁ ସେମାନେ ଦୀର୍ଘ ବର୍ଷ ଧରି ଏହି ସିଣ୍ଡିକେଟ୍ ଚଳାଉଥିବା ଏସ୍ସିୟୁ ସନ୍ଦେହ କରୁଛି । ବିହାର ପୁଲିସ ସେମାନଙ୍କୁ କେତେ ଥର ବାନ୍ଧିଛି? ଓଡ଼ିଶାକୁ ପୂର୍ବରୁ କେତେ ଥର ବନ୍ଧୁକ ବେପାର ଉଦ୍ଦେଶ୍ୟରେ ଆସିଛନ୍ତି? କେବଳ ଭୁବନେଶ୍ୱର ନା ଅନ୍ୟ କେଉଁ ସହରରେ କାହାକୁ ବନ୍ଧୁକ ବିକିଛନ୍ତି? ବିଶେଷକରି ଭୁବନେଶ୍ୱରରେ କେଉଁ କେଉଁ ଅପରାଧ ଗ୍ୟାଙ୍ଗ, ଖଣି ମାଫିଆ, ବିଲ୍ଡର ଓ ରାଜନେତାଙ୍କୁ ବନ୍ଧୁକ ଯୋଗାଇଛନ୍ତି? ରିମାଣ୍ଡ ବେଳେ ସେ ନେଇ ତନାଘନା କରାଯିବ । ଏହି ସିଣ୍ଡିକେଟ୍ରେ ଓଡ଼ିଶାର ଏକାଧିକ ଦଲାଲ ସାମିଲ ଥିବା ମଧ୍ୟ ସନ୍ଦେହ କରାଯାଉଛି । ସେମାନେ ୨ ଅନ୍ତଃରାଜ୍ୟ ବନ୍ଧୁକ ବେପାରୀଙ୍କ ଯୋଗାଯୋଗରେ ରହି ବିହାରର ମୁଙ୍ଗେରରୁ ସିଧାସଳଖ ବନ୍ଧୁକ ଆଣି ବିକୁଥାଇପାରନ୍ତି । ରିମାଣ୍ଡ ଅବଧିରେ ସେମାନଙ୍କୁ ଜେରା କରାଗଲେ, ସବୁ ସତ ସାମ୍ନାକୁ ଆସିବ ବୋଲି ଡିସିପି (ଏସ୍ସିୟୁ) ଅନୁପ୍ କାନୁନଗୋ କହିଛନ୍ତି ।
ସୂଚନାଯୋଗ୍ୟ, ଦିବ୍ୟାଂଶୁ ଓ ଚନ୍ଦନକୁ ଶନିବାର ଭୋର ସମୟରେ ଏସ୍ସିୟୁର ଏକ ଦଳ ୟୁନିଟ୍-୩ ମାଳିସାହିରୁ ଗିରଫ କରିଥିଲା ।