ନୂଆଦିଲ୍ଲୀ,୨୦/୧୦: ହଂକଂରେ ବଡ଼ ବିମାନ ଦୁର୍ଘଟଣା ହୋଇଛି । ହଂକଂ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଏକ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ରନ୍‌ୱେରୁ ଖସି ସିଧା ସମୁଦ୍ରରେ ପଡିଛି ବିମାନ । ଏଥିରେ ଦୁଇ ଗ୍ରାଉଣ୍ଡ ଷ୍ଟାଫଙ୍କର ମୃତ୍ୟୁ ହୋଇଛି । ଦୁବାଇରୁ ଆସିଥିବା ଏକ ମାଲବାହୀ ପ୍ଲେନ୍‌ ହଂକଂ ଏୟାରପୋର୍ଟରେ ଲ୍ୟାଣ୍ଡି ସମୟରେ ଦୁର୍ଘଟଣାର ଶିକାର ହୋଇଛି । ପ୍ଲେନ୍‌ଟି ରନ୍‌ୱେରୁ ସିଧା ସମୁଦ୍ରରେ ପଡିଛି । ବିମାନଟି ଏମିରେଟ୍ସ  EK9788, ବୋଇଂ 747-481 ହୋଇଥିବା ଜଣାପଡିଛି । ବିମାନଟି ଦୁଇଖଣ୍ଡ ହୋଇ ସମୁଦ୍ରରେ ପଡିଥିବା ଫଟୋରେ ସ୍ପଷ୍ଟ ଭାବେ ଜଣାପଡୁଛି ।

ହଂକଂ ଏୟାରପୋର୍ଟ ତରଫରୁ ଜାରି କରାଯାଇଥିବା ରିପୋର୍ଟ ମୁତାବକ, ପ୍ଲେନରେ ଥିବା ୪ ଜଣ କ୍ରୁ ମେମ୍ବରଙ୍କୁ ଉଦ୍ଧାର କରାଯାଇଛି । ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ସୂଚନା ମୁତାବକ, ପ୍ଲେନ୍ ଖସିଯିବା କାରଣରୁ ରନଓ୍ୱେ କଡରେ ଠିଆ ହୋଇଥିବା ଦୁଇ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ବିମାନଟି ସିଧା ଯାଇ ସମୁଦ୍ରରେ ପଡ଼ିଥିଲା । ଦୁର୍ଘଟଣା ପରେ ହଂକଂ ଏୟାରପୋର୍ଟର ଦୁର୍ଘଟଣା ହୋଇଥିବା ରନଓ୍ୱେକୁ ବନ୍ଦ କରିଦିଆଯାଇଛି । ମିଳିଥିବା ସୂଚନା ମୁତାବକ ବିମାନଟି ୩୨ ବର୍ଷର ପୁରୁଣା ବିମାନ ଥିଲା । ଆଉ କାର୍ଗୋ ବିମାନ ଭାବେ କାମ କରୁଥିଲା । ଦୁବାଇରୁ ଆସିଥିବା ବିମାନଟି ସ୍ଥାନୀୟ ସମୟ ପ୍ରାୟ ୩ଟା ୫୦ରେ ହଂକଂରେ ଅବତରଣ କରିଥିଲା । ବିମାନବନ୍ଦର ନିଶ୍ଚିତ କରିଛି ଯେ, ବିମାନଟିରେ ଏମିରେଟ୍ସର ଏକ ଫ୍ଲାଇଟ୍ ନମ୍ବର ଥିଲା । ବିମାନ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହଁ ।