ନୂଆଦିଲ୍ଲୀ: ଅଭିନେତା ତଥା ରାଜନେତା ବିଜୟଙ୍କ ଦଳ ଟିଭିକେ ତାମିଲନାଡୁର କରୁରରେ ଏକ ରାଲି ସମୟରେ ଦଳାଚକଟା ହେବା ଘଟଣା ସମଗ୍ର ଦେଶକୁ ଏବେ ଚକିତ କରିଛି। ଏହି ଦୁଃଖଦ ଦୁର୍ଘଟଣାରେ ୧୦ ଜଣ ଶିଶୁଙ୍କ ସମେତ ୪୦ ଜଣ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ଏହି ମାମଲା ଏବେ କୋର୍ଟରେ ପହଞ୍ଚିଛି।
ତେବେ ଏହି ଘଟଣାରେ ଷଡ଼ଯନ୍ତ୍ରର ଗନ୍ଧ ବାରିଛି ଟିଭିକେ । ଏଥିପାଇଁ ଟିଭିକେ ଆଜି (ରବିବାର) ଘୋଷଣା କରିଛି ଯେ, ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଏହା ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚକୁ ଯିବ। ଦଳ ଅଭିଯୋଗ କରିଛି ଯେ, ଦଳାଚକଟା ଦୁର୍ଘଟଣାଜନିତ ନୁହେଁ ବରଂ ଏକ "ଷଡ଼ଯନ୍ତ୍ର"ର ଫଳାଫଳ ଥିଲା। ଟିଭିକେ ମଧ୍ୟ ଘଟଣାସ୍ଥଳରେ ପଥରମାଡ଼ ଏବଂ ପୋଲିସର ଲାଠିଚାର୍ଜକୁ ଇଙ୍ଗିତ କରିଛି। ଟିଭିକେ ଓକିଲ ଆରିଭାଜାଗନ୍ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଦଳ ମାଡ୍ରାସ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଛି, କୋର୍ଟକୁ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଗଠନ କରିବାକୁ କିମ୍ବା କେନ୍ଦ୍ରୀୟ ସଂସ୍ଥା, CBIକୁ ମାମଲା ହସ୍ତାନ୍ତର କରିବାକୁ ଅନୁରୋଧ କରିଛି।
କରୁର ରାଲିରେ ସୁରକ୍ଷା ନିର୍ଦ୍ଦେଶାବଳୀ ଉଲ୍ଲଂଘନ ହୋଇଥିବା ରାଜ୍ୟ ସରକାରଙ୍କ ଦାବିକୁ ଅରିଭାଜାଗନ୍ ପ୍ରତ୍ୟାଖ୍ୟାନ କରିଛନ୍ତି। ସୂଚନା ଅନୁଯାୟୀ, ମାଡ୍ରାସ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏନ. ସେନ୍ଥିଲକୁମାର ସୋମବାର ଅପରାହ୍ନ ୪:୩୦ ରେ ଏହି ମାମଲାରେ ଦାୟର ଏକ ଜରୁରୀ ଆବେଦନର ଶୁଣାଣି କରିବେ। କରୁର ଦଳାଚକଟା ଘଟଣାର ତଦନ୍ତ ସମାପ୍ତ ନହେବା ପର୍ଯ୍ୟନ୍ତ ଟିଭିକେକୁ କୌଣସି ସାଧାରଣ ସଭା କରିବାରୁ ବାରଣ କରିବାକୁ ଆବେଦନରେ ଦାବି କରାଯାଇଛି।
ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ବିଜୟଙ୍କ ଆଗମନ ପୂର୍ବରୁ ହଠାତ୍ ବିଦ୍ୟୁତ୍ ଚାଲିଯାଇଥିଲା। ସଂକୀର୍ଣ୍ଣ ରାସ୍ତା ଏବଂ ବଢ଼ୁଥିବା ଭିଡ଼ ବିଶୃଙ୍ଖଳାକୁ ଆହୁରି ତୀବ୍ର କରିଥିଲା। ଦଳାଚକଟାରେ ଅନେକ ପରିବାର ଅଲଗା ହୋଇଯାଇଥିଲେ ଏବଂ ମହିଳା ଏବଂ ପିଲାମାନେ ଶ୍ୱାସରୁଦ୍ଧ ହୋଇଯାଇଥିଲେ। ପୋଷ୍ଟମର୍ଟମ ରିପୋର୍ଟରେ ମଧ୍ୟ ଅନେକ ମୃତ୍ୟୁର କାରଣ ଭାବରେ ଶ୍ୱାସରୁଦ୍ଧ ହେବା ପ୍ରକାଶ ପାଇଛି। ପରଦିନ, ଘଟଣାସ୍ଥଳରେ ବିଛାଡ଼ି ହୋଇ ପଡିଥିବା ଜୋତା, ଚିରା ପୋଷାକ ଏବଂ ଭଙ୍ଗା ବୋତଲ ଦୁର୍ଘଟଣାର ଭୟାବହତା ପ୍ରକାଶ କରିଥିଲା।
ଅଭିନେତା ବିଜୟ ରବିବାର ଏକ ବାର୍ତ୍ତାରେ କହିଛନ୍ତି ଯେ, ସେ ଏଥିପାଇଁ ଗଭୀର ଦୁଃଖିତ। ସେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଏବଂ ଆହତଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ବିଜୟ କହିଛନ୍ତି, "ଏହା ଏକ ଅପୂରଣୀୟ କ୍ଷତି। ଆପଣଙ୍କ ପରିବାରର ଜଣେ ସଦସ୍ୟ ଭାବରେ, ମୁଁ ଏହି ଦୁଃଖରେ ଆପଣଙ୍କ ସହିତ ଠିଆ ହୋଇଛି।"
ସେପଟେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ମଧ୍ୟ କରୁରରେ ପହଞ୍ଚି ଡାକ୍ତରଖାନାରେ ଆହତ ମାନଙ୍କୁ ଭେଟିଥିଲେ। ସେ ପୀଡିତ ପରିବାରକୁ ସମସ୍ତ ସମ୍ଭାବ୍ୟ ସରକାରୀ ସହାୟତାର ଆଶ୍ୱାସନା ଦେଇଥିଲେ ଏବଂ କହିଥିଲେ ଯେ ସମସ୍ତ ଆବଶ୍ୟକୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।