ଭୁବନେଶ୍ୱର,୧୮/୦୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷା ଫଳର ପୁନଃ ମୂଲ୍ୟାୟନ ସହ ପରୀକ୍ଷା ଖାତା ନକଲ ଓ ମାର୍କ ଯାଞ୍ଚ ପାଇଁ ଫି ହ୍ରାସ କରିଛି ସିବିଏସ୍ଇ । ପୂର୍ବରୁ ଛାତ୍ରଛାତ୍ରୀମାନେ ନିଜ ଉତ୍ତରଖାତାର ସ୍କାନ୍ କପି ପାଇବା ପାଇଁ ୭୦୦ ଟଙ୍କା ପ୍ରଦାନ କରୁଥିଲେ। ଏହାକୁ ହ୍ରାସ କରି ୧୦୦ ଟଙ୍କା ରଖାଯାଇଛି ।

ସେହିପରି ମାର୍କ ଯାଞ୍ଚ ପାଇଁ ପୂର୍ବରୁ ୫୦୦ ଟଙ୍କା ଫି ରହିଥିବା ବେଳେ ଏହାକୁ ୧୦୦କୁ ହ୍ରାସ କରାଯାଇଛି । ଅନୁରୂପ ଭାବେ ପ୍ରତି ପ୍ରଶ୍ନ ଚ୍ୟାଲେଞ୍ଜ ପାଇଁ ୧୦୦ ଟଙ୍କା ବଦଳରେ ଏଣିକି ୨୫ ଟଙ୍କା ଦେବାକୁ ପଡ଼ିବ ବୋଲି ସିବିଏସ୍ଇ ପକ୍ଷରୁ କୁହାଯାଇଛି । ଯଦି ପୁନଃ ମୂଲ୍ୟାୟନ କିମ୍ବା ଯାଞ୍ଚରେ ମାର୍କ ବୃଦ୍ଧି ପାଏ ତେବେ ଛାତ୍ରଛାତ୍ରୀ ଦାଖଲ କରିଥିବା ସମସ୍ତ ଫି ଫେରସ୍ତ କରାଯିବ । ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି, ଛାତ୍ରଛାତ୍ରୀଙ୍କ ମାନସିକ ଚାପ ହ୍ରାସ କରିବାକୁ ଏହି ପଦକ୍ଷେପ ନିଆଯାଇଛି । ସୂଚନାଯୋଗ୍ୟ, ଚଳିତବର୍ଷ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅନ୍ଲାଇନ ତଥା ଅନ୍ ସ୍କ୍ରିନ୍ ମାର୍କିଂ କରାଯାଇଛି ।

ଅଧିକ ପଢ଼ନ୍ତୁ :-  ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ: ସକାଳେ କୋର୍ କମିଟି ବୈଠକ, ମଧ୍ୟାହ୍ନରେ ପୁରୀ ଯିବେ