କଟକ, ୦୭/୦୬: କଟକ ରାଣୀହାଟର ଏକ ଘରୋଇ ନର୍ସିଂହୋମରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର କରାଯାଇ ଜଣେ ଯବାନଙ୍କ ପତ୍ନୀଙ୍କ ମଳ ନଳୀ କାଟି ଦିଆଯାଇଥିଲା।‌ ଏହି ଘଟଣା 'ପ୍ରମେୟ'ରେ ପ୍ରକାଶ ପାଇବା ପରେ ପୁଲିସ ଓ ଜିଲ୍ଲା ପ୍ରଶାସନ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଶୁକ୍ରବାର ପୁଲିସ ଏସିପିଙ୍କ ନିର୍ଦ୍ଦେଶରେ ନର୍ସିଂହୋମରୁ ଜରୁରୀ କାଗଜପତ୍ର ଜବତ କରାଯାଇଥିଲା। ସିଡିଏମଓଙ୍କୁ ତଦନ୍ତ କରିବାକୁ ପୁଲିସ ଚିଠି ଲେଖିଥିଲା। ଶନିବାର ସିଡିଏମଓ କାର୍ଯ୍ୟାଳୟ ତରଫରୁ ଘଟଣାର ଅନୁଧ୍ୟାନ ପାଇଁ ଏକ କମିଟି ଗଠିତ ହୋଇଛି। ପ୍ରାଥମିକ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।‌ ନୋଡାଲ ଅଫିସର ଓ ଡିଲିଂ କ୍ଲର୍କ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ରିପୋର୍ଟ ଦେବେ। ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ଘରୋଇ ନର୍ସିଂହୋମ କର୍ତ୍ତୃପକ୍ଷ ଅଡ଼ୁଆରେ ପଡ଼ିଛି ।

 ସୂଚନାଯୋଗ୍ୟ ଯେ, ଦୀପ୍ତିମୟୀ ୧୧ ସପ୍ତାହର ଗର୍ଭବତୀ  ଥିବା ଜାଣିବାକୁ ପାଇବା ପରେ ପୂର୍ବରୁ ଦୁଇଟି ସନ୍ତାନ  ଥିବାରୁ ପରିବାରର ସହମତିରେ ଗର୍ଭପାତ କରିବାକୁ କଟକ  ରାଣୀହାଟର ଏକ ଘରୋଇ ନର୍ସିଂହୋମ୍‌କୁ ଆସିଥିଲେ ।  ତାଙ୍କର ଗର୍ଭପାତ  କରାଯାଇଥିଲା ଏବଂ  ଦୀପ୍ତିମୟୀ ଡିସ୍‌ଚାର୍ଜ  ବି ହୋଇଥିଲେ । କିନ୍ତୁ  ଘରକୁ ଯିବା ପରେ   ପେଟରେ ଯନ୍ତ୍ରଣା  ଅନୁଭବ କଲେ ଏବଂ  ପେଟ ଫୁଲିବାକୁ ଲାଗିଲା । ଯାବତୀୟ ଟେଷ୍ଟ୍‌ କରିବା ପରେ ତାଙ୍କୁ କୁହାଯାଇଥିଲା, ଗର୍ଭପାତ  ପରେ କୌଣସି ଅଂଶ ରହିଯାଇଥିବାରୁ ଏଭଳି ସମସ୍ୟା  ଉପୁଜିଛି । ପୁଣି ଅପରେସନ୍‌ କରାଯାଇଥିଲା । ତଥାପି ଦୀପ୍ତିମୟୀଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଆସିନଥିଲା ।  ପରିବାର ଲୋକେ ଚିନ୍ତାରେ ପଡିଯାଇଥିଲେ । ସ୍ୱାମୀ ସମର  କୁମାର ସାମଲ ଛୁଟି ନେଇ କଟକରେ ପହଞ୍ଚିଥିଲେ ।  ଏସ୍‌ସିବିର ଜଣେ ସର୍ଜନଙ୍କୁ ସାକ୍ଷାତ କରିବାରୁ ସେ ମଳ  ନଳୀରେ ସଂକ୍ରମଣ ହୋଇଥିବା କହିଥିଲେ । ସ୍ୱାସ୍ଥ୍ୟାବସ୍ଥା  ବିଗିଡି ଚାଲିଥିବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ  ହସ୍ପିଟାଲରେ ଦୀପ୍ତିମୟୀଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ  ଡାକ୍ତର ଯାଞ୍ଚ୍‌ କରି ଦେଖିଥିଲେ ଯେ, ଦୀପ୍ତିମୟୀଙ୍କ ମଳ ନଳୀ ପ୍ରାୟ ୩ ସେଣ୍ଟିମିଟର କଟିଯାଇଥିବା ଜଣାପଡିଥିଲା । ତେବେ ଦୀପ୍ତିମୟୀଙ୍କ ଅଭିଯୋଗ ମୁତାବକ,  ଭୁବନେଶ୍ୱରର ଘରୋଇ ହସ୍‌ପିଟାଲକୁ ସ୍ଥାନାନ୍ତର  ହେବାକୁ ପରିବାର ଲୋକେ ଚାହୁଥିବା ବେଳେ ନର୍ସିଂହୋମ୍‌  ତରଫରୁ ତାଙ୍କୁ ଡିସ୍‌ଚାର୍ଜ ପେପର୍‌ କିମ୍ବା ହସ୍‌ପିଟାଲ ବିଲ୍‌  ଦିଆଯାଇଥିଲା । ମଗାଯିବାରେ କୁହାଯାଇଥିଲା, ‘ଆଗେ  ରୋଗୀଙ୍କୁ ବଞ୍ଚାଅ, ପରେ ସବୁ କଥାବାର୍ତ୍ତା’ । କେବଳ ଏତିକି   ନୁହେଁ, ଚିକିତ୍ସା ତଥା ଅସ୍ତ୍ରୋପଚାରରେ ତ୍ରୁଟି ଧରାଯିବା ପରେ  ନର୍ସିଂହୋମ୍‌ କର୍ତ୍ତୃପକ୍ଷ ଭୁବନେଶ୍ୱର ଘରୋଇ ହସ୍‌ପିଟାଲ ଯାଇ  ଦୀପ୍ତିମୟୀଙ୍କ ପରିବାରକୁ ଭେଟି ଘଟଣାର ସମାଧାନ ଚାହିଥିବା ଦୀପ୍ତିମୟୀ ଅଭିଯୋଗ ଆଣିଛନ୍ତି । ଏ ବାବଦରେ ଦୀପ୍ତିମୟୀଙ୍କ  ପକ୍ଷରୁ ମଙ୍ଗଳାବାଗ୍‌ ଥାନାରେ ଏତଲା ଦିଆଯିବା ପରେ ପୁଲିସ୍‌   ନର୍ସିଂହୋମ୍‌କୁ ଯାଇ ସେଠାରୁ ଜରୁରି କାଗଜପତ୍ର ଜବତ  କରିଥିବା ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀ ପ୍ରକାଶ କରିଛନ୍ତି ।