ନୂଆଦିଲ୍ଲୀ : ଲୁଟିୟନ୍ସ ଦିଲ୍ଲୀର ମଧ୍ୟ ଭାଗରେ ୨୭.୩ ଏକର ଜମିରେ ବ୍ୟାପିଛି ଏକ ଏମିତି କ୍ଲବ୍, ଯେଉଁଠିକୁ ସାଧାରଣ ଲୋକଙ୍କ ପ୍ରବେଶ ପ୍ରାୟ ଅସମ୍ଭବ ମନେ ହୁଏ। ଏହାର ସଦସ୍ୟଙ୍କ ତାଲିକାରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ, କ୍ୟାବିନେଟ୍ ମନ୍ତ୍ରୀ, ବଡ଼ ବଡ଼ ଅଫିସର, ଜଜ୍ ଏବଂ ଶିଳ୍ପପତି ଆଦି ସାମିଲ ଅଛନ୍ତି। କିନ୍ତୁ ଆଜି ଏହି କ୍ଲବ୍ ନିଜ ଅସ୍ତିତ୍ୱର ସବୁଠାରୁ ବଡ଼ ଲଢ଼େଇ ଲଢୁଛି। କେନ୍ଦ୍ର ସରକାର ଏହି ସ୍ଥାନ ଲି କରିବାକୁ ୫ ଜୁନ୍ ୨୦୨ ସୁଦ୍ଧା ଅଲ୍ଟିମେଟମ୍ ଦେଇଛନ୍ତି। ଆସନ୍ତୁ ଜାଣିବା ୧୧୩ ବର୍ଷର ପୁରୁଣା 'ଦିଲ୍ଲୀ ଜିମଖାନା କ୍ଲବ୍'ର ସେହି ରୋଚକ କାହାଣୀକୁ, ଯାହା ଭାରତର ଇତିହାସ ଓ କ୍ଷମତାର ଅନେକ ରହସ୍ୟ ଉନ୍ମୋଚନ କରିଥାଏ ।
୧୯୧୩ - ଯେବେ ୭ ଜଣ ମହାରାଜା ରଖିଥିଲେ ମୂଳଦୁଆ
୧୯୧୧ ମସିହା ...ବ୍ରିଟେନର କିଙ୍ଗ ଜର୍ଜ ପଞ୍ଚମ ଭାରତର ରାଜଧାନୀ କୋଲକାତାରୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ଘୋଷଣା କଲେ। ଏହାସହ ଆରମ୍ଭ ହେଲା ନୂଆ ଦିଲ୍ଲୀ ନିର୍ମାଣର ସ୍ୱପ୍ନ। ଏକ ନୂଆ ରାଜଧାନୀ ତିଆରି ହେଉଥିଲା ଏବଂ ଏହା ସହ ଆବଶ୍ୟକ ଥିଲା ଏକ ଏମିତି ସାମାଜିକ କେନ୍ଦ୍ର, ଯେଉଁଠାରେ ବ୍ରିଟିଶ ଅଫିସର ଏବଂ ଭାରତୀୟ ମହାରାଜାମାନେ ଏକାଠି ବସି ପାରିବେ। ୨ଜୁଲାଇ ୧୯୧୩ ରେ ପ୍ରତିଷ୍ଠା ହେଲା 'ଇମ୍ପେରିଆଲ୍ ଦିଲ୍ଲୀ ଜିମଖାନା କ୍ଲବ୍'। ଏହାର ପ୍ରଥମ ସଭାପତି ଥିଲେ ସ୍ପେନସର ହରକୋର୍ଟ ବଟଲର। ଏହି କ୍ଲବ୍ ଗଠନରେ ଗ୍ୱାଲିୟର, ଜୟପୁର, ଜୋଧପୁର, କାଶ୍ମୀର, ଉଦୟପୁର, କିଷନଗଡ଼ ଏବଂ ଭୋପାଳର ନବାବଙ୍କ ଭଳି ୭ଟି ପ୍ରମୁଖ ଗଡ଼ଜାତ ରାଜ୍ୟର ଶାସକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ସେମାନଙ୍କୁ କ୍ଲବର ଆଜୀବନ ସଦସ୍ୟ କରାଯାଇ ଥିଲା।
ଲିଜର ସେହି ସର୍ତ୍ତ,ଯାହା ଆଜି ସାଜିଛି କାଳ
ବ୍ରିଟିଶ ସରକାର ୧୯୧୮ ମସିହାରେ 'ସାମାଜିକ ଓ କ୍ରୀଡ଼ା କ୍ଲବ୍' ଚଳାଇବା ସର୍ତ୍ତରେ ,ଏହି ୨୭.୩ ଏକରରଜମି ଲିଜରେ ଦେଇଥିଲେ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଜମିର ବାର୍ଷିକ ଭଡ଼ା ମାତ୍ର ୧,୦୦୦ ଟଙ୍କା ଧାର୍ଯ୍ୟ କରାଯାଇ ଥିଲା, ଯାହା ଆଜି ବି ସେତିକି ଅଛି। କିନ୍ତୁ ଏହି ଲିଜର 'କ୍ଲଜ୍ ୪'ରେ ସ୍ପଷ୍ଟ ଲେଖା ଥିଲା ଯେ, ଯଦି ସରକାରଙ୍କୁ କୌଣସି 'ଜନହିତ କିମ୍ବା ସାର୍ବଜନୀନ ଉଦ୍ଦେଶ୍ୟ' ପାଇଁ ଏହି ଜମି ଦରକାର ହୁଏ, ତେବେ ସରକାର ଯେକୌଣସି ସମୟରେ ଲିଜ୍ ବାତିଲ କରି ପାରିବେ। ଆଉ ଆଜି ୧୧୩ ବର୍ଷ ପରେ ଏହି ଧାରା ହିଁ କ୍ଲବ୍ ପାଇଁ ସବୁଠାରୁ ବଡ଼ ସଙ୍କଟ ପାଲଟିଛି।
ରବର୍ଟ ଟୋର ରସେଲଙ୍କ କାରିଗରୀ ଓ କ୍ଲବ୍ ସଂସ୍କୃତି
୧୯୩୦ ଦଶକର ଆରମ୍ଭରେ କ୍ଲବ୍ ନିଜର ବର୍ତ୍ତମାନର ଠିକଣା -୨, ସଫଦରଜଙ୍ଗ ରୋଡ୍'କୁ ସ୍ଥାନାନ୍ତରିତ ହେଲା। ଏହି ଐତିହାସିକ ବିଲ୍ଡିଂକୁ ଡିଜାଇନ କରି ଥିଲେ ପ୍ରସିଦ୍ଧ ବ୍ରିଟିଶ ଆର୍କିଟେକ୍ଟ ରବର୍ଟ ଟୋର ରସେଲ, ଯାହାଙ୍କ ନାମ ଦିଲ୍ଲୀର ତିନୋଟି ପ୍ରସିଦ୍ଧ ବିଲ୍ଡିଂ କନଟ୍ ପ୍ଲେସ୍, ତ୍ରିମୂର୍ତ୍ତି ଭବନ (ଯାହା ଜବାହରଲାଲ ନେହୁରଙ୍କ ନିବାସ ହୋଇଥିଲା) ଓ ଏହି ଜିମ୍ ଖାନା କ୍ଲବ ସହ ଯୋଡ଼ି ହୋଇଛି। ଏଠାକାର ସ୍ୱିମିଂ ପୁଲର ନାମ ତତ୍କାଳୀନ ଭାଇସରାୟ ଲର୍ଡ ୱିଲିଙ୍ଗଡନଙ୍କ ପତ୍ନୀ 'ଲେଡି ୱିଲିଙ୍ଗଡନ'ଙ୍କ ନାମରେ ରଖାଯାଇଛି, ଯିଏ ସ୍ୱିମି ପୁଲ୍ ପାଇଁ ସେତେବେଳେ ୨୧,୦୦୦ ଟଙ୍କା ଦାନ କରି ଥିଲେ।
ସ୍ୱାଧୀନତା ପୂର୍ବରୁ ଜିମଖାନା କ୍ଲବ କେବଳ ଖେଳର ଆଡ୍ଡା ନଥିଲା। ଏହି ଔପନିବେଶିକ ସାମାଜିକ ଜୀବନର କେନ୍ଦ୍ର ଥିଲା। ଏଠାରେ ଚାଲୁଥିଲା ପାଶ୍ଚାତ୍ୟ ସଂସ୍କୃତି। ଭାରତୀୟ ଆଇସିଏସ୍ ଅଫିସରମାନଙ୍କୁ ଯଦି କ୍ଲବରେ ସମ୍ମାନ ପାଇବାର ଥିଲା, ତେବେ ସେମାନଙ୍କୁ ଫକ୍ସଟ୍ରଟ୍ ଡାନ୍ସ ଶିଖିବାକୁ ପଡ଼ୁଥିଲା ଏବଂ ପରଟା ସ୍ଥାନରେ ଅଣ୍ଡା ଓ ସସେଜ୍ ଜଳଖିଆ କରିବାକୁ ପଡ଼ୁଥିଲା। ପାଶ୍ଚାତ୍ୟ ପୋଷାକ ପରିଧାନ କରିବାକୁ ପଡ଼ୁଥିଲା। ଏମିତିକି ରେଶମୀ କୁର୍ତ୍ତା ଓ ଷ୍ଟାଚର୍ଡ ପାଇଜାମା ପିନ୍ଧୁଥିବା ବ୍ୟକ୍ତିଙ୍କୁ ଜବାହର ଜ୍ୟାକେଟ୍ ପିନ୍ଧିବାକୁ କୁହାଯାଉ ଥିଲା। କିନ୍ତୁ ଏହାର ଏକ ଅନ୍ଧାରୀ ଦିଗ ବି ଥିଲା ; ୧୯୪ରେ ଲର୍ଡ ମାଉଣ୍ଟବ୍ୟାଟେନଙ୍କ ଗସ୍ତ ସମୟରେ ଭାରତୀୟ ଅଫିସରମାନଙ୍କୁ ଭିତରକୁ ନଛାଡ଼ି ବାହାର ଲନରେ ଅଟକାଇ ଦିଆଯାଇ ଥିଲା।
୧୫ ଅଗଷ୍ଟ ୧୯୪୭ରେ ଦେଶ ସ୍ୱାଧୀନ ହେବା ପରେ ନାମରୁ 'ଇମ୍ପେରିଆଲ୍' ଶବ୍ଦ ହଟାଇ ଦିଆଗଲା। କିନ୍ତୁ ନ୍ୟାସନାଲ କମ୍ପାନୀ ଲ' ଟ୍ରିବ୍ୟୁନାଲ (NCLT) ନିଜର ଏକ ନିର୍ଦ୍ଦେଶରେ ଟିପ୍ପଣୀ କରି କହିଥିଲେ ଯେ, ନାମରୁ ତ ଇମ୍ପେରିଆଲ୍ ହଟିଗଲା, କିନ୍ତୁ କ୍ଲବର ପୃଷ୍ଠପୋଷକ ମାନଙ୍କ ମାନସିକତାରୁ ଏହା ହଟିଛି କି ନାହିଁ, ସେଥିରେ ସନ୍ଦେହ ଅଛି। ଯଦିଓ ଏହି ସାମ୍ରାଜ୍ୟରେ ଅଲିମ୍ପିକ୍ସ ସ୍ତରର ସୁବିଧା ଅଛି, ଯେମିତି କି ଦେଶର ସବୁଠାରୁ ଅଧିକ ୨୬ଟି ଗ୍ରାସ୍ ଟେନିସ କୋର୍ଟ, ୩୫,୦୦୦ ବହି ଥିବା ବିଶାଳ ଲାଇବ୍ରେରୀ, ଆଲିସାନ ବାର୍ ଏବଂ ରେଷ୍ଟୁରାଣ୍ଟ। କିନ୍ତୁ ଏହାର ମେମ୍ବରସିପ୍ ପ୍ରକ୍ରିୟା ସବୁଠାରୁ ବଡ଼ ବିବାଦର ବିଷୟ।
ଦିଲ୍ଲୀ ଜିମଖାନା କ୍ଲବର ମେମ୍ବରସିପ୍ ପାଇବା କୌଣସି ସାମ୍ରାଜ୍ୟ ପାଇବା ଠାରୁ କମ୍ ନୁହେଁ। ବର୍ତ୍ତମାନ ପ୍ରାୟ ୫,୬୦୦ ସ୍ଥାୟୀ ସଦସ୍ୟ ଅଛନ୍ତି। ଏଠାରେ ଏକ ଅଲିଖିତ କୋଟା ପ୍ରଣାଳୀ ଚାଲେ - ୪୦% ସିଭିଲ୍ ସେବା, ୪୦% ପ୍ରତିରକ୍ଷା ସେବା ଏବଂ ୨୦% ବ୍ୟବସାୟୀ କିମ୍ବା ପ୍ରତିଷ୍ଠିତ ବ୍ୟକ୍ତି। ଏହି କାରଣରୁ ସାଧାରଣ ଲୋକଙ୍କ ପାଇଁ ୱେଟିଂ ଲିଷ୍ଟ ପ୍ରାୟ ୩୭ ବର୍ଷ ବିତି ଯାଇଛି। କିଛି ଲୋକ ୧୯୭୦ ଦଶକରେ ଆବେଦନ କରି ଆଜି ଯାଏ ଅପେକ୍ଷାରତ। ଲୋକେ କୁହନ୍ତି, ଯଦି ଜିମଖାନାର ମେମ୍ବର ହେବାର ଅଛି, ତେବେ ଜନ୍ମ ହେବା ପୂର୍ବରୁ ହିଁ ଆପ୍ଲାଇ କରିବାକୁ ପଡ଼ିବ। ଏଠାରେ କେବଳ ଟଙ୍କା ନୁହେଁ, ବରଂ ହାଇ-ପ୍ରୋଫାଇଲ୍ 'କନେକ୍ସନ' ଅଧିକ ଗୁରୁତ୍ୱ ରଖେ।
ଦେଖନ୍ତୁ ଏହି ଭିଡ଼ିଓ - ଗରମରୁ ମୁକ୍ତି ପାଇବାକୁ ଶୈଳ ନିବାସ: ମନାଲି–ସିମଲା ମୁହାଁ ପର୍ଯ୍ୟଟକ, ରାସ୍ତାରେ ଲମ୍ବିଛି ଟ୍ରାଫିକ୍ ଜାମ୍
୨୨ ମେ ୨୦୨୬ରେ କେନ୍ଦ୍ର ସରକାରଙ୍କ ଭୂମି ଏବଂ ବିକାଶ କାର୍ଯ୍ୟାଳୟ (L&DO) ଏକ ଚିଠି ଜାରି କରି କ୍ଲବକୁ ୫ ଜୁନ୍ ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ ଜମି ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି। ସରକାରଙ୍କ ଯୁକ୍ତି ହେଉଛି, ଏହି କ୍ଲବ୍ ପ୍ରଧାନମନ୍ତ୍ରୀ ଆବାସର ଅତି ନିକଟରେ ଥିବାରୁ ଏହା ଏକ 'ହାଇ-ସିକ୍ୟୁରିଟି ଜୋନ୍'। ତେଣୁ ଦେଶର ସୁରକ୍ଷା ଏବଂ ଶାସନିକ ଭିତ୍ତିଭୂମି ପାଇଁ ଏହି ଜମିର ଆବଶ୍ୟକତା ରହିଛି। ଏହି ନିର୍ଦ୍ଦେଶ ବିରୋଧରେ କ୍ଲବ୍ ଏବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। କ୍ଲବର ସଦସ୍ୟ ନିତିନ ବର୍ମା ଏହାକୁ ଲଜ୍ଜାଜନକ ବୋଲି କହିଥିବା ବେଳେ ପୂର୍ବତନ ଆଇପିଏସ୍ ଅଫିସର କିରଣ ବେଦୀ ମଧ୍ୟ ଏହାକୁ ଦୁର୍ଭାଗ୍ୟଜନକ ବୋଲି ଦର୍ଶାଇଛନ୍ତି। କିନ୍ତୁ ଅନ୍ୟପଟେ କ୍ଲବର ଶତାଧିକ କର୍ମଚାରୀଙ୍କ ଭବିଷ୍ୟତ ଏବେ ଅନ୍ଧାରକୁ ଚାଲି ଯାଇଛି।
୧୯୧୩ ମସିହାରେ ୭ ଜଣ ମହାରାଜାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି କ୍ଲବର ଭବିଷ୍ୟତ ଏବେ କୋର୍ଟ ଏବଂ ସରକାରୀ ନିର୍ଦ୍ଦେଶ ମଧ୍ୟରେ ଛନ୍ଦି ହୋଇ ପଡ଼ିଛି। ଇତିହାସ ସାକ୍ଷୀ ଅଛି, ଏହି କ୍ଲବ୍ ୧୯୪୭ର ଦେଶ ବିଭାଜନ ହେବା ଠାରୁ ଆରମ୍ଭ କରି ଅନେକ ବଡ଼ ବଡ଼ ରାଜନୈତିକ ଝଡ଼ର ସାମ୍ନା କରିଛି। କିନ୍ତୁ ଏଥର କ୍ଲବ୍ ନିଜକୁ ରକ୍ଷା କରି ପାରୁଛି ନା ଏହା ଇତିହାସର ପୃଷ୍ଠାରେ ସମାଧି ନେଉଛି, ତାହା ଦେଖିବାକୁ ବାକି ରହିଲା।
ଆହୁରି ମଧ୍ୟ ପଢନ୍ତୁ : ହାୱଡାର ‘କଥିତ ଡନ’କୁ ଅଣ୍ଡରୱିୟାରରେ ବୁଲାଇଲା ପୁଲିସ , ଅପରାଧିଙ୍କୁ ବଙ୍ଗଳା ସିଏମ୍ ଶୁଭେନ୍ଦୁଙ୍କ କଡ଼ା ମେସେଜ