ଭୁବନେଶ୍ଵର, ୦୧/୦୧ : ତୁଟିଲା ଅରୁଆ-ଉଷୁନା ବିବାଦ। ଓଡ଼ିଶାରୁ ୬ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠାଇବ କେନ୍ଦ୍ର। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା। ୫ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଓ ୧ ଲକ୍ଷ ମେଟ୍ରିକ୍ ଟନ୍ ଅରୁଆ ଚାଉଳ ଉଠାଇବ କେନ୍ଦ୍ର। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଲେ ମନ୍ତ୍ରୀ। ସେ କହିଛନ୍ତି ଯେ, ରାଜ୍ୟରେ ଏବେ ମୋଟ ୭ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଅଛି। ବାକି ୧ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ନିଲାମ କରାଯିବ। ଡବଲ ଇଞ୍ଜିନ୍ ସରକାର ଡବଲ ସ୍ପିଡ୍ ରେ କାମ କରିବ। ଶୂନ୍ୟରେ ପ୍ରସଙ୍ଗ କରୁଛନ୍ତି ବିରୋଧୀ।
କେନ୍ଦ୍ରର ଚାଉଳ ଉଠାଣକୁ ନେଇ ବିଜେଡି କାଉଣ୍ଟର କରିଛି। ବିଜେଡି ଉପସଭାପତି ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ଅରୁଆ, ଉଷୁନା, ଧାନ ମଣ୍ଡି ସବୁଥିରେ ସରକାର ଫେଲ୍ ମାରିଛନ୍ତି। ନୂତନ ବର୍ଷରେ ଏସବୁ ସୁଧାରି ସରକାର ଲୋକଙ୍କ ନିକଟତର ହେବାକୁ ଅନ୍ତତଃ ଚେଷ୍ଟା କରନ୍ତୁ।
ସେପଟେ ଖରିଫ ଓ ରବି ଋତୁରେ କ୍ରୟ କରାଯାଇଥିବା ଧାନର ମିଲିଂ ଓ ଉତ୍ପାଦିତ ଚାଉଳକୁ କେନ୍ଦ୍ରୀୟ ଭଣ୍ଡାରକୁ ଯୋଗାଣ କରିବାର ସମୟସୀମାକୁ କେନ୍ଦ୍ର ସରକାର ବଢ଼ାଇଛନ୍ତି। ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଚାଉଳ ଦେଇ ହେବ। କେନ୍ଦ୍ର ସରକାର ଅବଧି ବଢ଼ାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସିଏମ୍ କହିଛନ୍ତି, ଏହି ସମୟୋଚିତ ନିଷ୍ପତ୍ତି ଖରିଫ ବିପଣନ ଋତୁ ୨୦୨୫– ୨୬ ପାଇଁ ଓଡ଼ିଶାର ଧାନ ସଂଗ୍ରହ ପ୍ରକ୍ରିୟାକୁ ସୁଚାରୁରୂପେ ସମ୍ପାଦନ କରିବାରେ ସହାୟକ ହେବ।