ଭୁବନେଶ୍ୱର,୩୦/୦୮: ଭାରତ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା  କରିଥିବା ଟାରିଫ୍‌ ଯୋଗୁ ଚିଙ୍ଗୁଡି ରପ୍ତାନି ଉପରେ ସଙ୍କଟ ସୃଷ୍ଟି ହୋଇଛି । ଘରୋଇ ବଜାରରେ  ବାର୍ଷିକ ୯ ଲକ୍ଷ ମେଟ୍ରିକ ଟନ୍‌ ଚିଙ୍ଗୁଡି ଉତ୍ପାଦନ  ହୋଇଥାଏ । ବିଶ୍ୱର ଫାର୍ମ ଚିଙ୍ଗୁଡି ବ୍ୟବସାୟରେ  ଭାରତ ୪୦% ଯୋଗଦାନ ଦେଇଥାଏ । ଏ  କ୍ଷେତ୍ରରେ ୧୫ ନିୟୁତ ଲୋକ କାମ କରୁଛନ୍ତି ।  ମାତ୍ର ଟାରିଫ୍‌ ଯୋଗୁ ଦେଶର ସାମୁଦ୍ରିକ ଖାଦ୍ୟ  ରପ୍ତାନି କ୍ଷେତ୍ର ଉପରେ ବଡ଼ ବିପଦ ସୃଷ୍ଟି  ହୋଇଛି ।  

ଏହା ଦ୍ୱାରା ଚିଙ୍ଗୁଡି ଚାଷ ସହ ଜଡ଼ିତ ଲକ୍ଷ ଲକ୍ଷ କୃଷକଙ୍କ ଜୀବିକା ସଙ୍କଟରେ ରହିଛି । ସରକାର ଏହି କ୍ଷେତ୍ରର ଟାରିଫ୍‌ ଜନୀତ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ସାମୁଦ୍ରିକ ଖାଦ୍ୟ ରପ୍ତାନି ଶିଳ୍ପ ପକ୍ଷରୁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖାଯାଇଛି । ଫାଲକନ ମେରାଇନ ଏକ୍ସପୋର୍ଟର ଅଧ୍ୟକ୍ଷ ତାରା ରଞ୍ଜନ  ପଟ୍ଟନାୟକ କହିଛନ୍ତି, ଗତ ୨ ଦଶନ୍ଧି ହେବ  ଗୁଣବତ୍ତା ଚିଙ୍ଗୁଡି ରପ୍ତାନି କ୍ଷେତ୍ରରେ ଭାରତ  ଏକ ଅଗ୍ରଣୀ ସ୍ଥାନରେ ରହିଛି । ଟାରିଫ ଯୋଗୁ  ଚିଙ୍ଗୁଡି ରପ୍ତାନି କ୍ଷେତ୍ର ଆହ୍ୱାନ ସ୍ଥିତି ଦେଇ  ଗତି କରୁଛି । 

ଏଭଳି ସ୍ଥିତିରେ ଦେଶ ମଧ୍ୟରେ  ଚାହିଦା ସୃଷ୍ଟି ସହ ସରକାରୀ ପ୍ରକ୍ୟୋରମେଣ୍ଟରେ  ଚିଙ୍ଗୁଡିକୁ ସାମିଲ କରିବାର ଆବଶ୍ୟକତା ରହିଛି ।  ସେନା, ଅର୍ଦ୍ଧ ସାମରିକ ବଳ, ସରକାରୀ ସମର୍ଥିତ  ପୋଷଣ କାର୍ଯ୍ୟକ୍ରମର ଫୁଡ୍‌ ସପ୍ଲାଇ ସିଷ୍ଟମରେ  ଏହାକୁ ସାମିଲ କରାଯାଉ । ଚିଙ୍ଗୁଡିକୁ ପ୍ରୋତ୍ସାହନ  ପାଇଁ ଜାତୀୟ ସ୍ତରରେ ଏକ ସଚେତନତା ଏବଂ  ପ୍ରମୋସନ କ୍ୟାମ୍ପେନ ଆସିବାର ଆବଶ୍ୟକତା  ରହିଛି । ସରକରଙ୍କ ସୁଚିନ୍ତିତ ପଦକ୍ଷେପ ଲକ୍ଷ  ଲକ୍ଷ ଲୋକଙ୍କ ନିଯୁକ୍ତିକୁ ସୁରକ୍ଷା, ଗ୍ରାମାଞ୍ଚଳ  ଅର୍ଥନୀତିର ଦୃଢ଼ୀକରଣ, ଆତ୍ମନିର୍ଭରତା ଏବଂ  ପୋଷଣ ସୁରକ୍ଷାରେ ସହାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ।