ନୂଆଦିଲ୍ଲୀ,୨୮/୧୧: ଆସନ୍ତା ବର୍ଷ ଫେବ୍ରୁଆରୀ-ମାର୍ଚ୍ଚରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ  (ପିସିବି) ଆୟୋଜନ କରିବ  ଆଇସିସି ଚାମ୍ପିଅନ୍ସ ଟ୍ରଫି । କିନ୍ତୁ ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟର କ୍ରୀଡ଼ାସୂଚୀ ଚୂଡ଼ାନ୍ତ ହୋଇପାରି ନାହିଁ । ପୁଣି  ପାକିସ୍ତାନରେ ରାଜନୈତିକ  ଅସ୍ଥିରତା ପିସିବି ପାଇଁ ନୂଆ ସମସ୍ୟା ସୃଷ୍ଟି କରିଛି । ସୁରକ୍ଷା  ଦୃଷ୍ଟିରୁ ଶ୍ରୀଲଙ୍କା ବୋର୍ଡ ତା’ର ଏ’ ଦଳକୁ ପାକିସ୍ତାନରୁ ଫେରାଇ ନେଇଛି । ଯାହାକୁ ନେଇ  ପିସିବି ଏବେ ଘୋର ଚାପରେ ରହିଛି ।  

ପୂର୍ବରୁ ବିସିସିଆଇ ଭାରତୀୟ  ଦଳକୁ ପାକିସ୍ତାନ ପଠାଇବାକୁ ମନା କରି  ଦେଇଥିଲା । ଏହାପରେ ପିସିବି ଉଦ୍‌କ୍ଷିପ୍ତ  ହୋଇ ହାଇବ୍ରିଡ୍‌ ମଡେଲରେ ଟୁର୍ଣ୍ଣାମେଣ୍ଟ  ଆୟୋଜନ କରିବ ନାହିଁ ବୋଲି କହିଥିଲା ।  ଆଇସିସିର ବହୁ ବୁଝାସୁଝା ପରେ ବି ପିସିବି  ନିଜ ଜିଦ୍‌ରେ ଅଟଳ ରହିଛି । ଆଇସିସି  ଆସନ୍ତା ୨୯ ତାରିଖରେ ସମସ୍ତ ବୋର୍ଡକୁ  ନେଇ ବୈଠକ କରିବ ଏବଂ ଏଥିରେ  ଟୁର୍ଣ୍ଣାମେଣ୍ଟକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ପାକିସ୍ତାନରେ ରାଜନୈତିକ ଅସ୍ଥିରତା  ଦେଖା ଦେବା ପରେ  ପିସିବି ପାଇଁ ଅଡ଼ୁଆ ବଢ଼ି  ଯାଇଛି । ଶ୍ରୀଲଙ୍କା ଏ’ ଦଳ ଫେରିଯାଇଛି । ଚାମ୍ପିଅନ୍ସ  ଟ୍ରଫିରେ ସାମିଲ ହୋଇଥିବା  ଦଳ ଗୁଡ଼ିକ ଘଟଣା ଉପରେ  ସତର୍କ ନଜର ରଖିଛନ୍ତି । ପାକିସ୍ତାନର ପୂର୍ବତନ ବ୍ୟାଟର ବସିତ ଅଲି  ୨୯ ତାରିଖରେ ହେବାକୁ ଥିବା ଆଇସିସିର  ବୈଠକକୁ ମୂଲ୍ୟହୀନ ବୋଲି କହିଛନ୍ତି ।  

ସେ କହିଛନ୍ତି, ‘ଆମ ଦେଶରେ ଏବେ  ଯେଉଁ ଭଳି ସ୍ଥିତି ତାହା ଚାମ୍ପିଅନ୍ସ ଟ୍ରଫି  ଆୟୋଜନ ଉପରେ ନିଶ୍ଚିତ ଘୋର ପ୍ରଭାବ  ପକାଇବ ।’ ତେଣୁ ଯାହା ଆଶା କରାଯାଉଛି  ପିସିବି ନିଜ ନିଷ୍ପତ୍ତି ବଦଳାଇବ ଏବଂ ବାଧ୍ୟ  ହୋଇ ହାଇବ୍ରିଡ୍‌ ମଡେଲକୁ ସ୍ୱୀକୃତି ଦେବ ।  ହାଇବ୍ରିଡ୍‌ ମଡେଲ ଅନୁସାରେ ଭାରତ ତା’ର  ସମସ୍ତ ମ୍ୟାଚ୍‌ ୟୁଏଇରେ ଖେଳିବ । ପୂର୍ବ ଏସିଆ  କପ୍‌ ଏହି ମଡେଲରେ ଆୟୋଜିତ ହୋଇଥିଲା ।