ମୁମ୍ବାଇ, ୨୩/୧୧: ଆସନ୍ତା ଫେବ୍ରୁଆରୀ-ମାର୍ଚ୍ଚରେ  ପାକିସ୍ତାନ କ୍ରିକେଟ୍‌ ବୋର୍ଡ  (ପିସିବି) ଚାମ୍ପିଅନ୍ସ ଟ୍ରଫି  ଆୟୋଜନ କରିବ । ମାତ୍ର ଏ ପର୍ଯ୍ୟନ୍ତ  ଏହାର କ୍ରୀଡ଼ାସୂଚୀ ଚୂଡ଼ାନ୍ତ ହୋଇପାରି  ନାହିଁ । ବିସିସିଆଇ ଓ ପିସିବି ମଧ୍ୟରେ  ବୁଝାମଣା ହୋଇ ନପାରିବାରୁ ଆଇସିସି ଅଡ଼ୁଆରେ ରହିଛି । ଯଦିଓ ଉଭୟ ବୋର୍ଡକୁ ବୁଝାଇବା ନେଇ ବହୁ  ପ୍ରୟାସ କରିଥିଲା କିନ୍ତୁ କିଛି ସୁଫଳ  ମିଳିନାହିଁ । ଆସନ୍ତା ମଙ୍ଗଳବାର ଦିନ  ଆଇସିସି ଏକ ଜରୁରିକାଳୀନ ବୈଠକ  ଡକାଇଥିବା ଜଣାପଡ଼ିଛି । ବୈଠକରେ  ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଥିବା  ସମସ୍ତ ବୋର୍ଡ ବସିବେ । 

ଭାରତ ସରକାର ଅନୁମତି ଦେଉ  ନଥିବାରୁ ବିସିସିଆଇ ପାକିସ୍ତାନକୁ ଦଳ  ପଠାଇବ ନାହିଁ ବୋଲି ଆଇସିସିକୁ  ଜଣାଇଥିଲା । ଆଇସିସି ଏ ବିଷୟରେ ପିସିବିକୁ ଅବଗତ କରାଇଥିଲା । ମାତ୍ର  ପିସିବି ଏଥିରେ ଉତ୍‌କ୍ଷିପ୍ତ ହୋଇ ହାଇବ୍ରିଡ୍‌  ମଡେଲରେ ଆଦୌ ରାଜି  ହେବ ନାହିଁ ବୋଲି କହିଥିଲା । ଭାରତୀୟ ଦଳ କାହିଁକି  ପାକିସ୍ତାନ ଗସ୍ତରେ ଆସିବ ନାହିଁ  ବୋଲି ପ୍ରଶ୍ନ କରି ବିସିସିଆଇ ଲିଖିତ  ଭାବେ ଏହାର କାରଣ ଜଣାଉ ବୋଲି  ଆଇସିସି ନିକଟରେ ଦାବି ଜଣାଇଥିଲା । 

ଆସନ୍ତା ବୈଠକରେ ଆଇସିସି  ସମସ୍ତ ବିବାଦର ସମାଧାନ କରି  ଚାମ୍ପିଅନ୍ସ ଟ୍ରଫିର ସୂଚୀ ଚୂଡ଼ାନ୍ତ  କରିପାରେ । ପିସିବିକୁ ହାଇବ୍ରିଡ୍‌  ମଡେଲରେ କ୍ରୀଡ଼ା ଆୟୋଜନ କରିବା  ନେଇ ଆଇସିସି ସହ ଅନ୍ୟ ବୋର୍ଡମାନେ  ରାଜି କରାଇବେ ବୋଲି କୁହାଯାଉଛି ।  କିନ୍ତୁ ଏହା ସତ ଯେ ଦୁଇ ଦେଶ  ମଧ୍ୟରେ ଏବେ ସଂପର୍କ ଯାହା ଭାରତ  କେବେବି ଚାମ୍ପିଅନ୍ସ ଟ୍ରଫି ଖେଳିବା  ନେଇ ପାକିସ୍ତାନ ଗସ୍ତରେ ଯିବ ନାହିଁ ।