ଭୁବନେଶ୍ୱର,୩୦/୦୭: ସହର ଜଳବନ୍ଦୀ ହଟାଇବାକୁ ନୂଆ ମାଷ୍ଟରପ୍ଲାନ କରାଯିବ । ପାଣି ନିଷ୍କାସନ ବାଟ ରୋକୁଥିବା ଜବରଦଖଲ ହଟାଯିବ । ସ୍ୱଚ୍ଛ ଓ ସବୁଜ ଭୁବନେଶ୍ୱର ଗଢ଼ି ତୋଳିବା ଉପରେ ଫୋକସ ରହିବ । ଜନସେବାକୁ ପ୍ରାଥମିକତା ଦେବାକୁ ଆମର ଲକ୍ଷ୍ୟ ରହିଛି । ମଙ୍ଗଳବାର ବିଏମ୍‌ସି କମିଶନର ଭାବେ ଚଞ୍ଚଳ ରାଣା ଯୋଗ ଦେବା ଅବସରରେ ଏହା କହିଛନ୍ତି । ଚଞ୍ଚଳ ରାଣା ବିଏମ୍‌ସି ଅଫିସରେ ପହଞ୍ଚି ଅତିରିକ୍ତ କମିଶନରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ଏହାପରେ ସେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁରଙ୍କ ସହ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ, ଅଧ୍ୟକ୍ଷା ଓ କର୍ପୋରେଟରମାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଆଲୋଚନା କରିଥିଲେ । 

ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଥିଲେ, ''ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଲୋକଙ୍କ ପାଖରେ ପହଞ୍ଚିବାରେ ବିଏମ୍‌ସି ସେତୁ ଭଳି କାମ କରିବ । ଲୋକଙ୍କ ଅଭିଯୋଗକୁ ପ୍ରାଥମିକତା ଦିଆଯିବ । ବିଏମ୍‌ସିକୁ ଆସୁଥିବା ସମସ୍ତ ଅଭିଯୋଗକୁ ୨୪ ଘଣ୍ଟା ଭିତରେ ସମାଧାନ କରିବାକୁ ସେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନାଗରିକମାନଙ୍କ ସହଯୋଗ, ସଫେଇ କର୍ମୀ ଓ କର୍ମଚାରୀଙ୍କ ଉଦ୍ୟମ, କଠୋର ପରିଶ୍ରମ ପାଇଁ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪ରେ ଭୁବନେଶ୍ୱର ମହାନଗର ନିଗମ ଦେଶରେ ନବମ ସ୍ଥାନ ହାସଲ କରିଛି ।''

ଉପ-ବିଭାଗର ଡେପୁଟି କମିଶନରଙ୍କୁ ଡାକି ଆଲୋଚନା କରିଥିଲେ ବିଏମ୍‌ସି କମିଶନର । ବୁଧବାର ହେବାକୁ ଥିବା କର୍ପୋରେସନ ବୈଠକରେ ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଏବଂ ପ୍ରସ୍ତାବର ସମୀକ୍ଷା କରିଥିଲେ ନୂଆ କମିଶନର । ସେହିପରି ସ୍ୱାୟତ୍ତ ଶାସନ ଦିବସ ଅନେକ ଗୁଡିଏ ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ ।  ଜଳବନ୍ଦୀ ହେଉଥିବା ସ୍ଥାନକୁ ଚିହ୍ନଟ କରି ଏହାର ସ୍ଥାୟୀ ସମାଧାନ କରିବାକୁ ଡ୍ରେନେଜ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।ସେହିପରି ର‌୍ୟାପିଡ୍‌ ଆକ୍ସନ ଟିମ୍‌କୁ ଅଧିକ କ୍ରିୟାଶୀଳ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।