ଚାନ୍ଦବାଲି, ୦୪/୦୯: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାଓ କ୍ୟାଚର ସାଜିଛି ମରଣଯନ୍ତା l ଅଧିକାଂଶ ସମୟରେ ମେଡିକାଲକୁ ଆସୁଥିବା ରୋଗୀ କାଓ କ୍ୟାଚରରେ ଖସି ପଡ଼ୁଛନ୍ତି । ବେଳେ ବେଳେ ସାଇକେଲ, ବାଇକ୍ ଚକା ମଧ୍ୟ ଫସି ଯାଉଥିବା ଅଭିଯୋଗ ଆସିଛି । ଗୁରୁବାର ଅର୍ଥାତ୍ ଆଜି ନୂଆଗାଁ ଅଞ୍ଚଳର ବିପିନ ଦାସ ନାମକ ଜଣେ ଯୁବକ ଚାନ୍ଦବାଲି ମେଡିକାଲରେ ଚିକିତ୍ସିତ ହେଉଥିବା ନିଜ ସମ୍ପର୍କୀୟଙ୍କୁ ଦେଖା କରି ଫେରୁଥିବା ବେଳେ କାଓ କ୍ୟାଚରରେ ଫସିଯାଇଥିଲେ । ମେଡିକାଲ ପ୍ରବେଶ ପଥରେ ଲାଗିଥିବା କାଓ କ୍ୟାଚର ଭିତରେ ତାଙ୍କ ଗୋଡ଼ ଫସି ଯାଇଥିଲା l ଦୀର୍ଘ ଅଧା ଘଣ୍ଟାରୁ ଅଧିକ ସମୟ ଧରି ବିପିନ ସେଠାରେ ଫସି ରହିବା ପରେ କିଛି ଲୋକ ହାତୁଡ଼ି ସାହାଯ୍ୟରେ ପୋଲକୁ ଭାଙ୍ଗି ତାଙ୍କୁ ଉଦ୍ଧାର କରିଥିଲେ ।
ତେବେ କେବଳ ବିପିନ ନୁହେଁ ଏଭଳି ଅନେକ ଲୋକ ଏହି କାଓ କ୍ୟାଚରରେ ଫସିଛନ୍ତି । ନୂଆ ମେଡିକାଲ ନିର୍ମାଣ ସମୟରେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ପାଇଁ ହସ୍ପିଟାଲକୁ ଆସୁଥିବା ରୋଗୀ ମାନଙ୍କ ସହିତ ଏଭଳି ବାରମ୍ବାର ଘଟୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।