ଭୁବନେଶ୍ୱର,୧୪/୦୩: ରାଜ୍ୟରେ ଏବେ ଅଧିକାଂଶ ଜଙ୍ଗଲ ଜଳୁଛି । କେତେକ ଜଙ୍ଗଲରେ ନିଆଁକୁ ଆୟତ୍ତ କରାଯାଇ ପାରିଛି । ଏବେ ବି ରାଜ୍ୟର କିଛି ଜଙ୍ଗଲ ହୁ ହୁ ହୋଇ ଜଳୁଛି । ସେହିପରି ଚନ୍ଦକା ଡମପଡ଼ା ଅଭୟାରଣ୍ୟରେ ଚଳିତବର୍ଷ ୨ଟି ସ୍ଥାନରେ ନିଆଁ ଲାଗିଥିଲା । ହେଲେ ସଜାଗ ଥିବା ବନ କର୍ମଚାରୀମାନେ ନିଆଁକୁ ସଙ୍ଗେ ସଙ୍ଗେ ଲିଭାଇବାରେ ସଫଳ ହୋଇଛନ୍ତି । ଗତବର୍ଷ ଏପ୍ରିଲ ୨୨ରେ ଏହି ଜଙ୍ଗଲର ୨ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଭୋଳା ଗାଁ ମୁଣ୍ଡରେ ନିଆଁ ଅଣାୟତ୍ତ ହୋଇ ପଡ଼ିଥିଲା । ଏହି ଅଞ୍ଚଳରେ ପ୍ରାୟ ୨ ଏକର ପରିମିତ ଜଙ୍ଗଲ ଜଳି ଯାଇଥିଲା । ଏଥିରେ କେତେକ ଜଙ୍ଗଲୀ ଜନ୍ତୁ ଓ ପକ୍ଷୀ ମୃତାହତ ହୋଇଥିଲେ।
ଚଳିତବର୍ଷ ଜଙ୍ଗଲ ନିଆଁକୁ ଜଗିବା ପାଇଁ ଅଭୟାରଣ୍ୟର ଚନ୍ଦକା, ଡମପଡ଼ା, ହଳଦିଆ ଓ ଭୁବନେଶ୍ୱର ଆଦି ୪ ରେଞ୍ଜ୍ରେ ବନ ବିଭାଗ, ଆଣ୍ଟିପୋଚିଂ ସ୍କ୍ୱାଡ୍, ପ୍ଲାଣ୍ଟେସନ ଓ ଇକୋ ଟୁରିଜିମର ସମୁଦାୟ ୧୨୦ କର୍ମଚାରୀ ନିୟୋଜିତ ଅଛନ୍ତି । ଏଥିସହ ୫ଟି ଫାୟାର ପ୍ରୋଟେକ୍ସନ୍ ସ୍କ୍ୱାଡ୍ ନିୟୋଜିତ ରହିଛନ୍ତି । ୫ଟି ସ୍କ୍ୱାଡ୍ରେ ୪୦ ଜଣ କର୍ମଚାରୀଙ୍କ ସମେତ ଜଙ୍ଗଲରେ ଥିବା ଗ୍ରାମବାସୀଙ୍କୁ ନିୟୋଜିତ କରାଯାଇଛି । ଭିଏଚ୍ଏଫ୍ ନେଟ୍ୱାର୍କ ମାଧ୍ୟମରେ ପରସ୍ପର ମଧ୍ୟରେ ଯୋଗାଯୋଗ ରକ୍ଷା କରାଯାଉଛି । ସାଟେଲାଇଟ୍ ଚିତ୍ରରୁ ଏହି ଜଙ୍ଗଲରେ ଚଳିତବର୍ଷ ୨ଟି ସ୍ଥାନରେ ଛୋଟ ଛୋଟ ନିଆଁ ଲାଗିଥିବା ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ରିପୋର୍ଟରୁ ପ୍ରକାଶ ପାଇଥିଲା । ଯାହାକୁ ସଙ୍ଗେ ସଙ୍ଗେ ଆୟତ୍ତ କରାଯାଇ ପାରିଥିଲା । ଗୋଟିଏ ଗୋଡ଼ିବାରୀରେ ନିଆଁ ଲାଗିଥିବା ବେଳେ ଗତ ଗୁରୁବାର ଭରତପୁର ଜଙ୍ଗଲରେ ନିଆଁ ଲାଗିଥିଲା । ଯାହାକୁ ସଙ୍ଗେ ସଙ୍ଗେ ଆୟତ୍ତ କରାଯାଇ ପାରିଥିଲା ।ତେବେ ଏଥିରେ କୌଣସି ବଡ଼ ଗଛ ଜଳିନାହିଁ କିମ୍ବା କୌଣସି ଜଙ୍ଗଲୀ ଜନ୍ତୁ ମୃତାହତ ହୋଇନାହାନ୍ତି ବୋଲି କହିଛନ୍ତି ଚନ୍ଦକା ଡିଏଫ୍ଓ ବିନୋଦ ଆଚାର୍ଯ୍ୟ ।
ନିଆଁ ଲାଗିବାର କାରଣ
ଚନ୍ଦକା ଜଙ୍ଗଲ ପ୍ରାୟତଃ ବାଉଁଶ ବୁଦାରେ ଭର୍ତ୍ତି । ବିଶେଷକରି ଫେବ୍ରୁଆରୀ ଆରମ୍ଭରୁ ଜୁନ୍ ଶେଷ ପର୍ଯ୍ୟନ୍ତ ଏହି ୫ ମାସ ଜଙ୍ଗଲକୁ ନିଆଁ ଭୟ ରହିଥାଏ । ତେବେ ଖରାଦିନେ ଅଦିନିଆ କାଳବୈଶାଖୀ ବର୍ଷା ହୋଇଥାଏ । ଫଳରେ ଜଙ୍ଗଲରେ ପଡ଼ିଥିବା ବାଉଁଶ ପତ୍ର ପଚିସଢ଼ି ମାଟିରେ ମିଶି ଯାଇଥାଏ । କିନ୍ତୁ ଚଳିତ ବର୍ଷ ଉତ୍ତାପ ବଢ଼ିଥିଲେ ମଧ୍ୟ କାଳବୈଶାଖୀ ବର୍ଷା ହୋଇନାହିଁ । ଚଳିତ ବର୍ଷ ଜଙ୍ଗଲରେ ଶୁଖିଲା ବାଉଁଶ ପତ୍ର ତଳେ ବହୁପରିମାଣରେ ସ୍ତରସ୍ତର ହୋଇ ପଡ଼ି ରହିଛି । ଫଳରେ ଜଙ୍ଗଲରେ କେହି ବିଡ଼ି କିମ୍ବା ସିଗାରେଟ୍ ପକାଇଦେଲେ ସଙ୍ଗେ ସଙ୍ଗେ ନିଆଁ ଲାଗି ଯାଉଛି । ସେପଟେ ଏହି ଅଭୟାରଣ୍ୟ ମଧ୍ୟରେ ରହିଛି ୫ଟି ଗାଁ । ନୂଆକୂଅ, ପିଠଖିଆ, ଢ଼ୋଲକାଠ, ଡ଼ାଆଣୀଗଡ଼ିଆ ଓ ବେଏଣ୍ଟା ସାହି । ଏହି ଗାଁ’ର ଲୋକମାନେ ଭୁବନେଶ୍ୱର, ଖୋର୍ଦ୍ଧା ଓ କଟକ ଯିବା ଆସିବା କରିଥାନ୍ତି । ଏହାବାଦ୍ ଜଙ୍ଗଲ ସୀମାରେ ୧୦୧ଟି ଗାଁ ରହିଛି । ସେମାନେ ମଧ୍ୟ ଜଙ୍ଗଲ ରାସ୍ତା ପଟେ ଯିବା ଆସିବା କରନ୍ତି । ଏଥିସହ ପର୍ଯ୍ୟଟକମାନେ ମଧ୍ୟ ଅଭୟାରଣ୍ୟ ବୁଲିବାକୁ ଯାଉଛନ୍ତି ।ଜଙ୍ଗଲକୁ ଯିବା ମୁଖ୍ୟ ରାସ୍ତା ଗୁଡ଼ିକରେ ଯିବା ଆସିବା କରିବା ସମୟରେ କେହି କେଉଁଠାରେ ବିଡ଼ି କିମ୍ବା ସିଗାରେଟ୍ ଟାଣି ପକାଇଦେଲେ ନିଆଁ ଲାଗି ଯାଉଛି ।
ସାଟେଲାଇଟରୁ ଜଣାପଡ଼ିଯାଉଛି ଅଗ୍ନିକାଣ୍ଡ
ଫରେଷ୍ଟ୍ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ଫାୟାର ମନିଟରିଂ ପାଇଁ ୨ଟି ସାଟେଲାଇଟ୍ ଲଗାଯାଇଛି । ସାଟେଲାଇଟ୍ ମାଧ୍ୟମରେ ଜଙ୍ଗଲରେ କେଉଁ ସ୍ଥାନରେ ନିଆଁ ଲାଗୁଛି ତାହା ଜଣାପଡ଼ିଯାଉଛି । ଏପରିକି ନିଆଁ, ଧୂଆଁ ଚିତ୍ରକୁ ସାଟେଲାଇଟ୍ ଉତ୍ତୋଳନ କରି ପାରୁଛି । ଏହା ସିଧାସଳଖ ପିସିସିଏଫ୍(ଜେନେରାଲ)ଙ୍କ କାର୍ଯ୍ୟାଳୟରୁ ତଦାରଖ କରାଯାଉଛି । ଫଳରେ ୨୪ ଘଣ୍ଟିଆ ପହରାରେ ଥିବା ବନ କର୍ମଚାରୀମାନେ ସଙ୍ଗେ ସଙ୍ଗେ ନିଆଁ ଲାଗିଥିବା ସ୍ଥାନରେ ପହଞ୍ଚି ନିଆଁକୁ ଆୟତ୍ତ କରିପାରୁଛନ୍ତି । ନିଆଁ ଲାଗିଥିବା ସ୍ଥାନରେ ନାଲି ରଙ୍ଗ ଦେଖା ଯାଉଛି । ନିଆଁ ଲିଭା ସାରିବା ପରେ ବନ କର୍ମଚାରୀମାନେ ସେଠାର ଫଟୋ ଉଠାଇ ପଠାଉଛନ୍ତି । ଯାହାକି ସାଟେଲାଇଟ୍ ଉତ୍ତୋଳନ କରିଥିବା ନିଆଁ(ନାଲି ରଙ୍ଗ) ଆପେ ଆପେ ସବୁଜ ରଙ୍ଗ ହୋଇ ଯାଉଛି।
ଆହୁରି ପଢନ୍ତୁ-ଅଂଶୁଘାତ ଆକ୍ରାନ୍ତଙ୍କୁ ଭରସା ଜିଲ୍ଲା ହସ୍ପିଟାଲ, ସିଏଚ୍ସି, ପିଏଚ୍ସିରେ ମିଳୁନି ସେବା
ନିଆଁ ଲଗାଉଛନ୍ତି, ଲିଭାଉଛନ୍ତି
ଜବଡ଼ ଅଗ୍ନିକାଣ୍ଡରୁ ଜଙ୍ଗଲକୁ ରକ୍ଷା ପାଇଁ ରାସ୍ତା କଡ଼ରେ ପଡ଼ୁଥିବା ଶୁଖିଲା ପତ୍ରକୁ ନିଆଁ ଲଗାଇ ପୋଡ଼ାଯିବା ସହ ଲିଭାଇ ଦିଆଯାଏ । ଜଙ୍ଗଲରେ ନିୟୋଜିତ ଥିବା ଫାୟାର ପ୍ରୋଟେକ୍ସନ୍ ସ୍କ୍ୱାଡ୍ ଏସବୁ କାର୍ଯ୍ୟ କରିଥାନ୍ତି । ଏଥିପାଇଁ ସେମାନଙ୍କୁ ଫାୟାର ବ୍ରୋର, ଏୟାର ବ୍ରୋର ଏବଂ ୱାଟର ବ୍ରୋର ଦିଆଯାଇଛି । ବିଶେଷ କରି ଅଧିକାଂଶ ଏୟାର ବ୍ରୋର ବ୍ୟବାହର କରାଯାଇଥାଏ । ଏଥିପାଇଁ ଚନ୍ଦକା ବନଖଣ୍ଡ ପକ୍ଷରୁ ୧୮ଟି ବ୍ରୋର ଯୋଗାଇ ଦିଆଯାଇଛି । ଏନ୍ଜିଓଙ୍କ ପକ୍ଷରୁ ବ୍ୟାପକ ସଚେତନତା ଜଙ୍ଗଲରୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଜଙ୍ଗଲ ମଧ୍ୟରେ ଥିବା ଗାଁ ଓ ଉପକଣ୍ଠରେ ଥିବା ଗ୍ରାମ ମାନଙ୍କରେ ଲୋକମାନଙ୍କୁ ବ୍ୟାପକ ସଚେତନତା କରାଯାଉଛି । ବିଭିନ୍ନ ଏନ୍ଜିଓ କର୍ମଚାରୀନେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବା ସହ ଜଙ୍ଗଲରେ ନିଆଁ ଲାଗିଲେ କ’ଣ କ୍ଷତି ହେବ ସେ ସମ୍ପର୍କରେ ଘର ଘର ବୁଲି ବୁଝାଉଛନ୍ତି ।