ଭୁବନେଶ୍ୱର ୧୪/୦୩: ମାର୍ଚ୍ଚ ଆରମ୍ଭରୁ ମୁଣ୍ଡଫଟା ଖରା । ଆଗକୁ ଆହୁରି ଖରା ବଢିବ । ଏବେଠୁ ବାହାରକୁ ବାହାରିଲେ ଦେହ ଝାଇଁ ମାରିଯାଉଛି । ତଣ୍ଟି ଶୁଖିଯାଉଛି । ଅଂଶୁଘାତ ହୋଇଯିବାର ଭୟ ବି ଘାରୁଛି । ସହରରେ ଅଂଶୁଘାତ ହେଲେ ଆମ୍ବୁଲାନ୍ସ କି ଗାଡ଼ି ହସ୍ପିଟାଲ ଯାଇହେବ । ହେଲେ ଗାଁରେ କିଛି ନାହିଁ । ନା ଅଛି ହସ୍ପିଟାଲ, ନା ଅଛି ଆପାତକାଳୀନ ବ୍ୟବସ୍ଥା । ଆମ୍ବୁଲାନ୍ସ ବି ମିଳିବା କଷ୍ଟ ।

ବଡ଼କଥା ହେଉଛି, ଗ୍ରାମାଞ୍ଚଳରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର(ସିଏଚ୍‌ସି), ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ପିଏଚ୍‌ସି)ରେ ଅଂଶୁଘାତ ବ୍ୟବସ୍ଥା ନାମକୁ ମାତ୍ର । ଏଠାରେ ନା ପର୍ଯ୍ୟାପ୍ତ ଶଯ୍ୟା ରହୁଛି ନା ଡାକ୍ତର । ଆକ୍ରାନ୍ତ ଆସିଲେ, ତୁରନ୍ତ ଜିଲ୍ଲା ହସ୍ପିଟାଲ(ଡିଏଚ୍‌ଏଚ୍) କୁ ସ୍ଥାନାନ୍ତର କରାଯାଉଛି । ଏଠି ପ୍ରଶ୍ନ ଉଠୁଛି, ଗ୍ରାମାଞ୍ଚଳରେ ଏଭଳି ଅବ୍ୟବସ୍ଥା କ’ଣ ପାଇଁ? ସିଏଚ୍‌ସି, ପିଏଚ୍‌ସିରେ ଅଂଶୁଘାତରେ ଆକ୍ରାନ୍ତଙ୍କ ପାଇଁ ଉନ୍ନତମାନର ଚିକିତ୍ସା ବ୍ୟବସ୍ଥା କେବେ ଠୁ ହେବ?

ଜାତୀୟ ହେଲ୍‌ଥ ମିଶନ(ଏନ୍‌ଏଚ୍‌ଏମ୍) ର ତଥ୍ୟ କହୁଛି, ଏବେ ଓଡ଼ିଶାରେ ୧୨୩୪ଟି ପିଏଚ୍‌ସି ଓ ୩୭୬ଟି ସିଏଚ୍‌ସି ରହିଛି । ସେହିପରି ୬୬୮୮ଟି ଉପ-କେନ୍ଦ୍ର(ସବ୍‌ସେଣ୍ଟର) ସହ ୧୧୬ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଛି । ୨୦୨୧ରେ କେନ୍ଦ୍ର ସରକାରଙ୍କ ଅଂଶୁଘାତ ଉପରେ ନିଆଯାଇଥିବା ନ୍ୟାସନାଲ ଆକ୍ସନ ପ୍ଲାନ ଅନୁସାରେ, ଖରା ଦିନରେ ସିଏଚ୍‌ସି, ପିଏଚ୍‌ସିରେ ଅଂଶୁଘାତ ଚିକିତ୍ସା ବ୍ୟବସ୍ଥା ରହିବା ବାଧ୍ୟତାମୂଳକ । ଏଥିପାଇଁ ସ୍ୱତନ୍ତ୍ର ଶୀତତାପ ନିୟନ୍ତ୍ରିତ କକ୍ଷ, ଏୟାର କୁଲର, ବରଫ ଥଳି, ଓଆର୍‌ଏସ୍‌ ପ୍ୟାକେଟ, ଗ୍ଲୁକୋମିଟର, ଇସିଜି ମେସିନ, ସାଲାଇନ, ଆମ୍ବୁଲାନ୍ସ, ମେଡିକାଲ ଅଫିସର, ନର୍ସିଂ କର୍ମଚାରୀ, ପାରାମେଡିକ୍ସ, ଆଶା, ଏଏନ୍‌ଏମ୍ ଓ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ରହିବେ । ହେଲେ ସେଭଳି ବ୍ୟବସ୍ଥା କିଛି ହୁଏନି । ସିଏଚ୍‌ସି ସ୍ତରରେ ଦୁଇଟି ଓ ପିଏଚସିରେ ଗୋଟିଏ ଶଯ୍ୟା ନାଁକୁ ରୁହେ । ଖରାଦିନରେ ଆଶା, ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀମାନେ ଗାଁ ଗାଁ ବୁଲି ଲୋକଙ୍କୁ ଅଂଶୁଘାତ ଉପରେ ସଚେତନ କରିବାର ନିୟମ ବି ରହିଛି । ହେଲେ କେହି ମାନନ୍ତିନି । ବିଭିନ୍ନ ସମୟରେ ସିଏଚ୍ସି, ପିଏଚ୍‌ସିରେ ଅଂଶୁଘାତ ରୋଗୀଙ୍କୁ ଚିକିତ୍ସା ମିଳୁନଥିବା ଅଭିଯୋଗ ହୁଏ ।

କେବଳ ସେତିକିନୁହେଁ, ରାଜ୍ୟରେ ପିଏଚ୍‌ସି ଓ ସିଏଚ୍‌ସିର ବି ଅବସ୍ଥା ଭଲ ନାହିଁ । ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ବିଧାନସଭା ଷ୍ଟାଣ୍ଡିଂ କମିଟି । କମିଟି ଦର୍ଶାଇଛି, ଅଧିକାଂଶ ସ୍ଥାନରେ ହସ୍ପିଟାଲର କୋଠା ଜରାଜୀର୍ଣ୍ଣ ହୋଇରହିଛି । ତେଣୁ ସରକାର ଏଭଳି କୋଠାକୁ ଚିହ୍ନଟ କରି ସେସବୁର ମରାମତି କରିବାର ଆବଶ୍ୟକତା ରହିଛି । ଏନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ନୀଳକଣ୍ଠ ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ତାହା ସମ୍ଭବପର ହୋଇପାରି ନଥିଲା ।

ଆହୁରି ପଢ଼ନ୍ତୁ...ନୀତି ଆୟୋଗ ପରାମର୍ଶ; ଅଭିବୃଦ୍ଧିକୁ ଲୋଡ଼ା ଦୃଢ଼ ଭିତ୍ତିଭୂମି, ସ୍ୱାସ୍ଥ୍ୟ, ଶିକ୍ଷା ବ୍ୟବସ୍ଥା

ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ତଥ୍ୟ କହୁଛି, ଗତ ୨୦୨୪-୨୫ରେ ରାଜ୍ୟରେ ୬୪ଜଣ ଲୋକ ଅଂଶୁଘାତରେ ପ୍ରାଣ ହରାଇଥିଲେ । ୨୦୨୩- ୨୪ରେ ୨୪ ଜଣଙ୍କର ଓ ୨୦୨୨-୨୩ରେ ୧୭ଜଣଙ୍କର ପ୍ରାଣହାନୀ ଘଟିଥିଲା । ଏଭଳି ସ୍ଥିତିରେ କେବଳ ଜିଲ୍ଲା କି ସହର ନୁହେଁ, ଗ୍ରାମାଞ୍ଚଳରେ ବି କଡ଼ା ପଦକ୍ଷେପ ନେବା ଜରୁରି ହୋଇପଡ଼ିଛି । ତେବେ ଚଳିତବର୍ଷ ରାଜ୍ୟ ସରକାର ଅଂଶୁଘାତ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି । ୩୦ ଜିଲ୍ଲା, ଟ୍ୱିନସିଟି, ୧୦ ପୌରାଞ୍ଚଳ ପାଇଁ ହିଟୱେଭ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି । ରାଜ୍ୟ ତଥା ଜିଲ୍ଲାସ୍ତରରେ ୨୪ଘଣ୍ଟିଆ କଣ୍ଟ୍ରୋଲରୁମ୍ ମଧ୍ୟ ଖୋଲାଯାଇଛି ।