ନୂଆଦିଲ୍ଲୀ/କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଭେନ୍ଦୁ ଅଧିକାରୀଙ୍କ ଅତି ନିକଟତର ସହଯୋଗୀ ତଥା ପୂର୍ବତନ ବାୟୁସେନା କର୍ମଚାରୀ ଚନ୍ଦ୍ରନାଥ ରଥଙ୍କ ସନସନୀଖେଜ ହତ୍ୟା ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିଛି । ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବା ପାଇଁ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଉତ୍ତରପ୍ରଦେଶରେ ଚଢ଼ାଉ କରି ୩ ଜଣ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇଛି । ଏହି ଗିରଫଦାରୀ ପଛରେ ଜଣେ ଅପରାଧୀର ଗୋଟିଏ ‘ଡିଜିଟାଲ୍ ଭୁଲ୍’ ପୁଲିସ ପାଇଁ ବରଦାନ ସାଜିଛି ।
ଅଯୋଧ୍ୟାରୁ ଧରାପଡ଼ିଲା ମୁଖ୍ୟ ସନ୍ଦିଗ୍ଧ:
ହେପାଜତକୁ ନିଆଯାଇଥିବା ସନ୍ଦିଗ୍ଧମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ହେଉଛି ରାଜ ସିଂ । ସୂଚନା ଅନୁଯାୟୀ, ରାଜ ସିଂ ମୂଳତଃ ବଲିଆର ବାସିନ୍ଦା ହୋଇଥିବା ବେଳେ ସେ ବିହାରର ବକ୍ସର ଅଞ୍ଚଳରେ ରହୁଥିଲା । ହତ୍ୟାକାଣ୍ଡ ପରେ ସେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଆତ୍ମଗୋପନ କରିଥିଲା । କୋଲକାତା ପୁଲିସ ଏବଂ ଅଯୋଧ୍ୟା ପୁଲିସର ଏକ ମିଳିତ ଅପରେସନରେ ତାକୁ କାବୁ କରାଯାଇ କୋଲକାତା ଅଣାଯାଇଛି । ଏହି ପେସାଦାର ହତ୍ୟାକାଣ୍ଡର ତଦନ୍ତ କରୁଥିବା ବେଳେ ପୁଲିସକୁ ଏକ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଥିଲା । ହତ୍ୟା ପୂର୍ବରୁ ଅପରାଧୀମାନେ ବ୍ୟବହାର କରୁଥିବା କାର୍ ଯେତେବେଳେ ହାଓଡ଼ାର ବାଲି ଟୋଲ୍ ପ୍ଲାଜା ଅତିକ୍ରମ କରିଥିଲା, ସେଠାରେ ସେମାନେ ନଗଦ ଟଙ୍କା କିମ୍ବା ଫାସଟ୍ୟାଗ୍ ବଦଳରେ UPI ମାଧ୍ୟମରେ ଟୋଲ୍ ଦେୟ ପୈଠ କରିଥିଲେ । ଏହି ଗୋଟିଏ ଡିଜିଟାଲ୍ ଟ୍ରାଞ୍ଜାକସନ୍ ପୋଲିସକୁ ହତ୍ୟାକାରୀଙ୍କ ମୋବାଇଲ୍ ନମ୍ବର ଏବଂ ବ୍ୟାଙ୍କ୍ ଡିଟେଲ୍ସ ପର୍ଯ୍ୟନ୍ତ ପହଞ୍ଚାଇ ଦେଇଥିଲା ।
CCTV ଫୁଟେଜ୍ ଓ ସିଲଭର୍ କାର୍ର ରହସ୍ୟ:
ଟୋଲ୍ ପ୍ଲାଜାରେ ଲାଗିଥିବା CCTV ଫୁଟେଜ୍ ଯାଞ୍ଚ କରିବା ପରେ ପୁଲିସ ଏକ ସିଲଭର୍ ରଙ୍ଗର ନିସାନ୍ ମାଇକ୍ରା କାରକୁ ଚିହ୍ନଟ କରିଥିଲା । ଏହି କାରରେ ୩ ଜଣ ସନ୍ଦିଗ୍ଧ ବସିଥିବାର ଦେଖାଯାଇଥିଲା । ହତ୍ୟାକାଣ୍ଡ ପରେ ଅପରାଧୀମାନେ କାରଟିକୁ ଦୋହରିଆ ଅଞ୍ଚଳରେ ଛାଡ଼ି ଫେରାର ହୋଇଯାଇଥିଲେ । ପୁଲିସ ବର୍ତ୍ତମାନ ଉକ୍ତ କାର୍ ଏବଂ ହତ୍ୟାରେ ବ୍ୟବହୃତ ଏକ ମୋଟରସାଇକେଲକୁ ଜବତ କରିଛି । ଗୋଟିଏ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଅପରାଧୀମାନେ ଗାଡ଼ିର ଚେସିସ୍ ନମ୍ବର ମିଟାଇବା ସହ ଜାଲ୍ ନମ୍ବର ପ୍ଲେଟ୍ ବ୍ୟବହାର କରି ପୁଲିସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ ।
୫୦ ସେକେଣ୍ଡରେ ଶେଷ କରିଦେଇଥିଲେ ଜୀବନ:
ଗତ ୬ ମେ ୨୦୨୬ ରାତିରେ ମଧ୍ୟଗ୍ରାମ ଅଞ୍ଚଳରେ ଚନ୍ଦ୍ରନାଥ ରଥ ନିଜ ଘରକୁ ଫେରୁଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲାୱ । ମାତ୍ର ୫୦ ସେକେଣ୍ଡ ମଧ୍ୟରେ ସୁଟରମାନେ ଅନ୍ଧାଧୁନ୍ଧ ଗୁଳିଚାଳନା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଚନ୍ଦ୍ରନାଥ ରଥ ଜଣେ ପୂର୍ବତନ ବାୟୁସେନା କର୍ମଚାରୀ ଥିଲେ ଏବଂ ସମ୍ପ୍ରତି ମୁଖ୍ୟମନ୍ତ୍ରୀ ସୁଭେନ୍ଦୁ ଅଧିକାରୀଙ୍କ ପିଏ ଭାବେ କାର୍ଯ୍ୟ କରୁଥିଲେ ।
ଆନ୍ତଃରାଜ୍ୟ ଅପରାଧୀ ଗୋଷ୍ଠୀର ସମ୍ପୃକ୍ତି:
ପୁଲିସ ସନ୍ଦେହ କରୁଛି ଯେ, ଏହି ହତ୍ୟାକାଣ୍ଡ ପଛରେ ଉତ୍ତରପ୍ରଦେଶ କିମ୍ବା ବିହାରର କୌଣସି ପେସାଦାର ‘ସୁଟର ଗ୍ୟାଙ୍ଗ’ର ହାତ ରହିଛି । ଏହି ପୂରା ଯୋଜନାଟି ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ କରାଯାଉଥିଲା, ଯେଉଁଥିରେ ସ୍ଥାନୀୟ ଅପରାଧୀ ଓ ବାହାର ରାଜ୍ୟର ଶାର୍ପସୁଟରମାନେ ସାମିଲ ଥିଲେ। ଏବେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି, ଯାହାଫଳରେ ଏହି ହତ୍ୟାକାଣ୍ଡ ପଛର ଅସଲ ମାଷ୍ଟରମାଇଣ୍ଡର ପରିଚୟ ମିଳିପାରିବ ।
ଆହୁରି ପଢ଼ନ୍ତୁ... ଶୁଭେନ୍ଦୁ ଅଧିକାରୀଙ୍କ ଶପଥ ଗ୍ରହଣ ପୂର୍ବରୁ ୟୁପିରେ ପହଞ୍ଚିଲା ପଶ୍ଚିମବଙ୍ଗ SIT;ଚନ୍ଦ୍ରନାଥଙ୍କ ହତ୍ୟା ସହିତ ଲିଙ୍କ୍ ସନ୍ଦେହ